ବାଙ୍ଗିରିପୋଷି, ୧୭/୦୬ : ପରିଣତ ବୟସରେ ବୋଝ ପାଲଟିଲା ଜନ୍ମଦାତ୍ରୀ ମା’। ଯେଉଁ ବୟସରେ ଛୋଟ ଛୁଆ ପରି ଯତ୍ନ ନେବାର ଆବଶ୍ୟକତା ରହିଛି ସେହି ବୟସରେ ଏକା ମରିବାକୁ ଦୁଇ ଦିନ ହେଲା ଜଙ୍ଗଲରେ ଛାଡ଼ି ଦେଲେ ପୁଅମାନେ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ । ମାନବିକତା ଦେଖାଇ ତୁରନ୍ତ ତାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କରିବାର ବ୍ୟବସ୍ଥା କରିଛି ବାଙ୍ଗିରିପୋଷି ପୁଲିସ ।

ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କନ୍ଦଳିଆ ଗାଁର ୯୫ ବର୍ଷୀୟା ବୃଦ୍ଧା ରୁକ୍ମିଣୀ ପାତ୍ର । ବୟସାଧିକ ଯୋଗୁଁ ସେ ଏକ ପ୍ରକାର ଅକର୍ମଣ୍ୟ ହୋଇ ପଡ଼ିଥିଲେ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ଗୋଟିଏ ପୁଅ ଘରେ ଶଯ୍ୟାଶାୟୀ ଥିବା ବେଳେ ଘର ଲୋକମାନେ ଠିକରେ ବୃଦ୍ଧା ମା’ର ସେବା କରିନପାରି ଜଙ୍ଗଲରେ ଛାଡ଼ି ଦେଇଥିବା ପୁଲିସ୍‌ କହିଛି । ପୂର୍ବରୁ ମଧ୍ୟ ପିଲାମାନେ ମା’କୁ ବୋଝ ଭାବି ଜଙ୍ଗଲରେ ଛାଡ଼ି ଦେଇଥିଲେ । ସେହି ସମୟରେ ପୂର୍ବତନ ଆଇଆଇସି ବିରେନ୍ଦ୍ର ସେନାପତି ଉଦ୍ଧାର କରି କିଛି ଲୁଗାପଟା ପ୍ରଦାନ କରି ଘରେ ଛାଡ଼ିଥିଲେ । ବୃଦ୍ଧାଙ୍କ ଝିଅ କିଛିଦିନ ତାଙ୍କୁ ନିଜ ଘରେ ରଖିଥିଲେ । ପରେ ଘରେ ଆଣି ଛାଡ଼ିଦେବାରୁ ପୁଅ ଓ ନାତିମାନେ ବୃଦ୍ଧା ମା’ର ସେବା କରିବାକୁ ଅମଙ୍ଗ ହେଲେ । ଶେଷରେ ବୋଝ ଭାବି ତାଙ୍କୁ ନିଜ ପିଲାମାନେ ପାଖ ଜଙ୍ଗଲରେ ଫିଙ୍ଗି ଦେଇ ଆସି ଥିଲେ ।

ଏଭଳି ଏକ ଅମାନୁଷିକ ସ୍ଥିତିରେ ବୃଦ୍ଧା ଜଣକ ଦୁଇ ଦିନ ହେଲା ନଖାଇ ଜଙ୍ଗଲରେ ପଡ଼ିରହି ମୃତ୍ୟୁ ସହ ସଂଘର୍ଷ କରୁଥିଲେ । ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତି ବୃଦ୍ଧାଙ୍କୁ ଦେଖି ନିକଟସ୍ଥ ଥାନାରେ ଖବର ଦେଇଥିଲେ । ଖବର ପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ପଞ୍ଚାନନ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ତରଫରୁ ତତ୍ପରତା ପ୍ରକାଶ ପାଇ ଜଙ୍ଗଲରୁ ବୃଦ୍ଧାଙ୍କୁ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ପୁଲିସ ପକ୍ଷରୁ ତାଙ୍କୁ ତୁରନ୍ତ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ସୁରକ୍ଷିତ ଭାବେ ବାରିପଦା ବୃଦ୍ଧାଶ୍ରମରେ ଥଇଥାନ କରାଯାଇଛି ବୋଲି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି କହିଛନ୍ତି ।

ଆହୁରି ପଢନ୍ତୁ- ରାଜଧାନୀକୁ ଆସିଛି ବର୍ଷା ବିହୀନ ମୌସୁମୀ, ବାଦଲ ଜଗୁଛି ଅଦୃଶ୍ୟ ବଳୟ, ୫୦ ଡିଗ୍ରୀ ଭଳି ଗରମରେ ଲୋକେ ଛଟପଟ

ହାଇଟେକ୍ ଆମେରିକାରେ ୩୦୦ ବର୍ଷ ପଛରେ ଅଟକିଥିବା ଦୁନିଆ; ଆଧୁନିକତା ରୁ ବହୁ ଦୂରରେ ଜୀବନ କାଟନ୍ତି ଏମିଶ ସମ୍ପ୍ରଦାୟ