ଭୁବନେଶ୍ୱର,୧୭/୦୬ : ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରର ପଶ୍ଚିମ ପଟୁ ଆକାଶ କଳାହାଣ୍ଡିଆ ଦିଶିଲା । ହାଲୁକା ପବନ ବି ଦେଲା । ଲାଗିଲା, ବର୍ଷା ଅଜାଡ଼ି ଦେବ । ଏତେ ଦିନର ଯେଉଁ ତାତି ଜମାଟ ବାନ୍ଧି ଘୂରି ବୁଲୁଛି, ଏକାଥରକେ ଥଣ୍ଡା ହୋଇଯିବ । କିନ୍ତୁ, ଫୁସ୍‌ ବର୍ଷା ତ ହେଲାନି । କିଛି ସମୟ ଭିତରେ ବାଦଲ ବି ଗାଏବ । ଭୁବନେଶ୍ୱରବାସୀ ପୁଣି ନିରାଶ ହେଲେ। ପହିଲି ରଜରେ ବି ଏମିତି ହୋଇଥିଲା । ଦିନ ତମାମ ରଜ ପାଗ ହେଲା । ଆକାଶ ମେଘୁଆ ରହିଲା । ସନ୍ଧ୍ୟାରେ ଠାଏ ଠାଏ ବୁନ୍ଦା ବୁନ୍ଦା ବର୍ଷା । ବାସ୍‌, ତାତି କମିବା ବଦଳରେ ହୁଳା ବାହାରିଲା ।

ମୌସୁମୀ ଉପକୂଳ ଓଡ଼ିଶାକୁ ଛୁଇଁଥିବା କୁହାଯାଉଛି । କିନ୍ତୁ, ରାଜଧାନୀକୁ ବୋଧହୁଏ ବର୍ଷା ବିହୀନ ମୌସୁମୀ ଆସିଛି । ତାତି କମୁନି, ବରଂ ବଢ଼ୁଛି । ସୋମବାର ୩୭ ଡିଗ୍ରୀ ଥିଲା, ମଙ୍ଗଳବାର ତାପମାତ୍ରା ୩୯.୨ ଡିଗ୍ରୀ ଛୁଇଁଥିଲା । ଗୁଳୁଗୁଳି ଏମିତି ଯେ ସକାଳୁ ଗମଗମ ଝାଳ ବାହାର କରି ଦେଲା । ତେବେ ଭୁବନେଶ୍ୱରରେ ବର୍ଷା ନ ହେବା ପଛରେ ଏକ ଅଦୃଶ୍ୟ ପାଚେରି ବାଧକ ସାଜିଥିବା ବିଶେଷଜ୍ଞ ମତ ଦେଇଛନ୍ତି । ଏନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ କହିଛନ୍ତି, ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ପଶ୍ଚିମ ପଟୁ ନୟାଗଡ଼ ଆଡ଼ୁ ମେଘ ଖଣ୍ଡ ଘୋଟି ଆସିଥିଲା । କିନ୍ତୁ, ଭୁବନେଶ୍ୱର ଭିତରକୁ ଠିକ୍‌ ଭାବେ ପ୍ରବେଶ କରିପାରିଲାନି । ଯେମିତି ଭୁବନେଶ୍ୱର ସୀମାରେ କେହି ତାକୁ ଅଟକାଇ ଦେଲା । ଏଇ ବାଧକ ହେଉଛି ଏକ ଉତ୍ତପ୍ତ ବଳୟ । ବିଶେଷଜ୍ଞଙ୍କ କହିବାନୁସାରେ ଦ୍ରୁତ ସହରୀକରଣ ପାଇଁ ଏଭଳି ଉତ୍ତପ୍ତ ବଳୟ ସୃଷ୍ଟି ହେଉଛି । ସହରୀକରଣ ଯୋଗୁ ଏକ ଗମ୍ଭୁଜ ଆକୃତିର ଉତ୍ତପ୍ତ ବଳୟ ଭୁବନେଶ୍ୱର ଭୂପୃଷ୍ଠରୁ ବାୟୁମଣ୍ଡଳକୁ ବହୁ ଉଚ୍ଚତା ପର୍ଯ୍ୟନ୍ତ ଲମ୍ବିଛି । ଏହା ପ୍ରଭାବରେ ଭୂପୃଷ୍ଠ ତଳଭାଗରେ ଥିବା ଜଳୀୟବାଷ୍ପ ଉପରକୁ ଉଠିପାରୁନି । ଏହି ଜଳୀୟବାଷ୍ପ ଯଦି ଉପରକୁ ଯିବ, ତେବେ ମେଘ ବାଦଲ ସହ ମିଶିଲେ ବର୍ଷା କରାଇବ । ସେହିପରି ଏହି ବଳୟ ଏମିତି ରହୁଛି, ସହର ଭିତରକୁ ଆସୁଥିବା ମେଘ ବାଦଲ ଖଣ୍ଡ ପାଇଁ ମଧ୍ୟ ବାଧକ ହେଉଛି । ଉତ୍ତାପ ବଳୟର ପ୍ରଭାବଶାଳୀ ଗରମ ପବନ ମେଘ ବାଦଲ ଖଣ୍ଡକୁ ଭାଙ୍ଗି ଦେଉଛି । ତେଣୁ ଏହି ମେଘ ବାଦଲ ଖଣ୍ଡ ସହର ଭିତରକୁ ନ ଆସି ଅନ୍ୟ ଆଡ଼କୁ ଯାଇ ବର୍ଷା କରାଇଥାଏ ।

ମଙ୍ଗଳବାର ଆସିଥିବା ବାଦଲ କଟକ ମାହାଙ୍ଗା, ସାଲେପୁର ଆଡ଼କୁ ଯାଇ ବର୍ଷା କରାଇଥିବା ବେଳେ ଭୁବନେଶ୍ୱର ଶୁଖିଲା ରହିଲା । ପଶ୍ଚିମ ପଟୁ ଆସୁଥିବା ବାଦଲକୁ ଏହା ବେଶି ବାଧା ଦେ । ଏହାର ଏକମାତ୍ର କାରଣ ହେଲା- ଦ୍ରୁତ ଓ ବ୍ୟାପକ ସହରୀକରଣ, କଂକ୍ରିଟକରଣ । ଅପରପକ୍ଷରେ ଜଳୀୟବାଷ୍ପ ଉପରକୁ ଯାଇପାରୁନଥିବାରୁ ତଳ ବାୟୁମଣ୍ଡଳରେ ଘୂରି ବୁଲି ବେଶି ଗୁଳୁଗୁଳି ସୃଷ୍ଟି କରୁଛି । ଭୁବନେଶ୍ୱରରେ ଏବେ ଅସମ୍ଭାଳ ଗରମ ଅନୁଭୂତ ହେଉଛି । ଦିନ ସାଢ଼େ ୧୧ଟାବେଳେ ତାପମାତ୍ରା ୩୬.୮ ଡିଗ୍ରୀ ଥିଲା । କିନ୍ତୁ, ଆର୍ଦ୍ରତା ପରିମାଣ ଥିଲା ୫୬% । ହିଟ୍‌ ଇଣ୍ଡେକ୍ସ ହିସାବରେ ଅନୁଭୂତ ହେଉଥିଲା ୪୯ ଡିଗ୍ରୀ ଭଳି ଗରମ । ଦିନ ସାଢ଼େ ୨ଟାବେଳକୁ ତାପମାତ୍ରା ୩୮.୬ ଡିଗ୍ରୀ ସେଲସିୟସ୍‌ ଏବଂ ଆର୍ଦ୍ରତା ୪୯% । ଅନୁଭୂତ ହେଉଥିଲା ୫୦ ଡିଗ୍ରୀ ସେଲସିୟସ୍‌ ଭଳି ତାତି । ଏଭଳି ସ୍ଥିତିରେ ଦିନ ୪ଟା ପରେ ପାଗ ବଦଳିଥିଲା । ଧୀରେ ଧୀରେ ଆକାଶକୁ ମେଘ ଢାଙ୍କୁଥିଲା । ଅପରାହ୍ନ ୫ଟାବେଳେ ଲାଗିଲା, ବର୍ଷା ଢାଳି ଥଣ୍ଡା କରିଦେବ । କିନ୍ତୁ, ଫୁସ୍‌... । ବାଦଲ କୁଆଡ଼େ ପଳାଇଲା । ବର୍ଷା ଗାଏବ । ଗରମ, ଗୁଳୁଗୁଳି ଜାରି... ।

ଆହୁରି ପଢନ୍ତୁ- ରଜ ସରିଲା, ମାଟି ଶୁଖିଲା; ବର୍ଷା ନାହିଁ, ୪୪% ନିଅଣ୍ଟିଆ, ୨୦ରୁ ବଢ଼ିପାରେ, ନଚେତ୍‌ ନାକେଦମ କରିବ ଗୁଳୁଗୁଳି

ହାଇଟେକ୍ ଆମେରିକାରେ ୩୦୦ ବର୍ଷ ପଛରେ ଅଟକିଥିବା ଦୁନିଆ; ଆଧୁନିକତା ରୁ ବହୁ ଦୂରରେ ଜୀବନ କାଟନ୍ତି ଏମିଶ ସମ୍ପ୍ରଦାୟ