ନୂଆଦିଲ୍ଲୀ,୧୭/୦୬; ଜମୁଛି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ । ଆଜି ଗ୍ରୁପ୍-୧ରେ ୩ଟି ମ୍ୟାଚ୍ ରହିଛି । ଅପରାହ୍ଣ ୩ଟାରୁ ଅଷ୍ଟ୍ରେଲିଆ-ବାଂଲାଦେଶ, ରାତି ୭ଟାରୁ ଭାରତ-ନେଦରଲାଣ୍ଡ୍ସ ଏବଂ ରାତି ୧୧ଟାରୁ ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ ହେବ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ଆଜି ଆଧିପତ୍ୟ ଲକ୍ଷ୍ୟରେ ରହିଛି । ନେଦରଲାଣ୍ଡ୍ସ ମଧ୍ୟ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ରହିଛି । ବିଶ୍ୱକପ୍ରେ ଭାରତ ଓ ନେଦରଲାଣ୍ଡ୍ସ ପ୍ରଥମ ଥର ସାମ୍ନାସାମ୍ନି ହେବେ ।
ଏହି ମ୍ୟାଚ୍ରେ ଭାରତର ପଲା ଭାରି ରହିବା ସ୍ୱାଭାବିକ । ପାକିସ୍ତାନ ବିପକ୍ଷରେ ଦଳ ୬୪ରନ୍ ବିଜୟ ହାସଲ କରିଥିଲା । ସ୍ମୃତି ମନ୍ଧନା ୬୮ରନ୍ ଇନିଂସ୍ ଖେଳି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ ଓ ଭାରତୀ ଫୁଲମାଳି ବିଫଳ ହୋଇଥିଲେ । ଏହି ୩ ଖେଳାଳି ଫର୍ମକୁ ଫେରିଲେ ଭାରତ ବଡ଼ ସ୍କୋର କରିପାରିବ । ପୂର୍ବ ମ୍ୟାଚ୍ରେ ପେସ୍ ବିଭାଗ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ହେଁ ଅଲରାଉଣ୍ଡର ଦୀପ୍ତି ଶର୍ମା ୫ଟି ଓ ଶ୍ରୀ ଚରଣୀ ୩ଟି ୱିକେଟ୍ ନେଇ ବିଜୟରେ ଅନ୍ୟତମ ଭୂମିକା ଗ୍ରହଣ କରିଥିଲେ ।
ଆଜି ଦୀପ୍ତିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ନେଦରଲାଣ୍ଡ୍ସ ପ୍ରଥମ ମ୍ୟାଚ୍ ବାଂଲାଦେଶଠୁ ପରାଜିତ ହୋଇଥିଲା । ଦଳରେ ଏକାଧିକ ବଡ଼ ହିଟର ରହିଛନ୍ତି । ପୂର୍ବ ମ୍ୟାଚ୍ରେ ଅଧିନାୟିକା ବାବେଟ୍ଟ ଡି ଲିଡ୍ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ବୋଲରମାନେ ମଧ୍ୟ ଶୃଙ୍ଖଳିତ ବୋଲିଂ କରିଥିଲେ ।
ଏହା ବି ପଢନ୍ତ...IND VS AFG: ଆଜି ଭାରତ-ଆଫଗାନସ୍ତାନ ଦ୍ୱିତୀୟ ଦିନିକିଆ, ବିଶ୍ୱକପ୍ ପାଇଁ ପ୍ରସ୍ତୁତ ଥିବା ପ୍ରମାଣ ଦେଇ ପାରିବେ ତ ରୋହିତ ?
ସମ୍ଭାବ୍ୟ ଏକାଦଶ
ଭାରତ: ସ୍ମୃତି ମନ୍ଧନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର (ଅଧିନାୟିକା), ଭାରତୀ ଫୁଲମାଳି, ରିଚା ଘୋଷ, ଦୀପ୍ତି ଶର୍ମା, ଶ୍ରେୟଙ୍କା ପାଟିଲ, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ଶ୍ରୀ ଚରଣୀ ।
ନେଦରଲାଣ୍ଡ୍ସ: ହିଦର ସିଗର୍ସ, ଫେବେ ମୋଲ୍କେନବୋର, ବାବେଟ୍ଟ ଡି ଲିଡ୍ (ଅଧିନାୟିକା), ଏସ୍. କାଲିସ୍, ରବିନ ରିଜକୀ, ଏସ୍. ଖୁରାନା, ଫ୍ରେଡେରିକ୍ ଓଭରଡିକ୍, ଇରିସ୍ ଜ୍ୱିଲିଙ୍ଗ୍, କାରୋଲିନ ଡି ଲାଙ୍ଗେ, ସିଲ୍ଭର ସିଗର୍ସ, ଇସାବେଲ ଭାନ୍ ଡର ୱନିଙ୍ଗ୍ ।