ନୂଆଦିଲ୍ଲୀ,୧୭/୦୬; ଘରୋଇ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଦିନିକିଆ । ଧର୍ମଶାଳାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆରେ ଭାରତ ୭ ୱିକେଟ୍ରେ ବିଜୟ ହାସଲ କରିଥିଲା । ଲକ୍ଷ୍ନୌ ମ୍ୟାଚ୍ ଜିତି ଦଳ ସିରିଜ କବ୍ଜା କରିବାକୁ ପ୍ରୟାସ କରିବ । ଆଫଗାନିସ୍ତାନ ପାଇଁ ଏହି ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ପ୍ରଥମ ମ୍ୟାଚ୍ ୨୫ ଓଭର ବିଶିଷ୍ଟ ରହିଥିଲେ ହେଁ ଭାରତ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିଥିଲା । ନବାଗତ ଗୁରନୂର ବ୍ରାର ଓ ହର୍ଷ ଦୁବେ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
ଅଧିନାୟକ ଶୁଭମନ ଗିଲ୍ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । କେବଳ ଭେଟେରାନ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ମିଳି ନଥିଲା । ସେ କିଛି ଦର୍ଶନୀୟ ସଟ୍ ଖେଳିଥିଲେ ହେଁ ରନ ଆଉଟ୍ ହୋଇଥିଲେ । ଆଜି ସେ ବଡ଼ ଇନିଂସ ଖେଳି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ଥିବା ପ୍ରମାଣ କରିବେ । ମଧ୍ୟ କ୍ରମରେ ଶ୍ରେୟାସ ଆୟରଙ୍କ ବ୍ୟାଟ୍କୁ ମଧ୍ୟ ବଡ଼ ଇନିଂସ ଆଶା କରାଯାଉଛି । ସେ ସଫଳ ହେଲେ ଭାରତର ବ୍ୟାଟିଂ ବିଭାଗକୁ ନେଇ ଚାଲିଥିବା ପରୀକ୍ଷାର ପରିସମାପ୍ତି ଘଟିବ । ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ଅନୁପସ୍ଥିତି ସତ୍ତେ୍ୱ ଭାରତର ବୋଲିଂ ବିଭାଗ ସୁଦୃଢ଼ ରହିଛି । ତଥାପି ଭାରତ ଆଜି କୁଲଦୀପ ଯାଦବଙ୍କୁ ଏକାଦଶରେ ସୁଯୋଗ ଦେବା ଆଶା କରାଯାଉଛି । ଆଫଗାନିସ୍ତାନକୁ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ଅବଶ୍ୟ ଲକ୍ଷ୍ନୌ ପିଚ୍ ବୋଲିଂ ବାହିନୀଙ୍କୁ ଯଥେଷ୍ଟ ସହାୟତା କରିବ । ଆଜି ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ଏକାନ୍ନା ଷ୍ଟାଡ଼ିୟମ୍ ପିଚ୍ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ସ୍ଥାନୀୟ ଉତ୍ତପ୍ତ ଜଳବାୟୁ ମଧ୍ୟ ସ୍ପିନ ବୋଲିଂ ପାଇଁ ଅନୁକୂଳ ରହିବ । ବ୍ୟାଟରମାନେ ଜମି ରହିଲେ ପିଚ୍ର ଫାଇଦା ଉଠାଇ ପାରିବେ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ଏହା ବି ପଢନ୍ତୁ...୧୦୦ପ୍ରଭାବଶାଳୀ ଖେଳାଳୀଙ୍କ ସୂଚୀରେ କେବଳ ଜଣେ ଭାରତୀୟ, ଜାଣନ୍ତୁ କିଏ ?
ସମ୍ଭାବ୍ୟ ଭାରତ ଏକାଦଶ: ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ଇଶାନ କିଷନ, ଶ୍ରେୟାସ ଆୟର, କେଏଲ ରାହୁଲ, ନୀତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ/ଗୁରନୂର ବ୍ରାର ।
ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ଇବ୍ରାହିମ ଜାଡ୍ରାନ, ରହମନୁଲ୍ଲା ଗୁରବାଜ, ସେଦ୍ଦିକୁଲ୍ଲା ଅଟଳ, ରହମତ ଶାହ, ହସମତୁଲ୍ଲା ସାହିଦି (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ, ଇକ୍ରାମ ଅଲିଖିଲ, ମହମ୍ମଦ ନବି, ରସିଦ ଖାନ, ମହମ୍ମଦ ସଲିମ, ଆଲ୍ଲା ଗଜନଫର, ଜିଆଉର ରେହମାନ ।