ବାରଙ୍ଗ, ୬/୯ : ବାରଙ୍ଗ ଥାନା ମୁଣ୍ଡଳୀ ବ୍ୟାରେଜର ୨ ନଂ ଗେଟ୍ ତଳେ ଭାସୁଛି ଗଳିତ ମୃତଦେହ। ଶନିବାର ସକାଳୁ ବ୍ରିଜ୍ ଆଖପାଖରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ। ଏହି ସମୟରେ ପାଣିରେ ମୃତଦେହ ଭାସୁଥିବା ଦେଖିଥିଲେ। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସୂଚନାନୁଯାୟୀ, ଶନିବାର ସକାଳୁ ମୁଣ୍ଡଳୀ ବ୍ୟାରେଜର ୨ ନଂ ଗେଟ୍ ନିକଟରେ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ସ୍ଥାନୀୟ ଲୋକ ଖୋଜାଖୋଜି କରିବା ପରେ ପାଣିରେ ଏକ ଶବ ମୁଁହ ମାଡ଼ି ଉଲଗ୍ନ ଅବସ୍ଥାରେ ଭାସୁଥିବା ଦେଖିଥିଲେ। ଶବଟି ସକାଳୁ ୧ ନଂ ଗେଟ୍ ତଳେ ଭାସୁଥିବା ବେଳେ ଏବେ ୨ ନଂ ଗେଟ୍ ତଳେ ଭାସୁଛି। ଖବର ଲେଖାହେବା ସୁଦ୍ଧା ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିବା ଜଣାପଡ଼ିଛି। ନଦୀରେ ବନ୍ୟା ଜଳ ଆସିଥିବାରୁ ମୃତଦେହଟି କେଉଁଆଡୁ ଭାସି ଆସିଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ଅଧିକ ଦିନ ପାଣିରେ ପଡ଼ି ରହିବାରୁ ମୃତଦେହ ଫୁଲି ଯିବା ସହିତ ପ୍ରବଳ ଦୁର୍ଗନ୍ଧ ହେଉଛି।