ନୂଆଦିଲ୍ଲୀ,୦୧/୧୧:ଚୀନ୍‌ରେ ଏକ ନୂଆ ନିୟମ ଲାଗୁ ହୋଇଛି । ନିୟମ ଅନୁସାରେ, ଏଣିକି କେବଳ ପେସାଦାର ବ୍ୟକ୍ତି ହିଁ କୌଣସି ବିଷୟ ଉପରେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସୂଚନା ଦେଇପାରିବେ । ଏଣିକି କୌଣସି ବ୍ୟକ୍ତି ଯଦି ସୋସିଆଲ ମିଡିଆରେ ଚିକିତ୍ସା, ଆଇନ, ଅର୍ଥ କିମ୍ବା ଶିକ୍ଷା ଭଳି ଗମ୍ଭୀର ବିଷୟ ଉପରେ କହିବାକୁ ଚାହିଁବେ, ତାଙ୍କ ପାଖରେ ବୈଧ ଓ ଯାଞ୍ଚ୍‌ ହୋଇଥିବା ଡିଗ୍ରୀ କିମ୍ବା ବୃତ୍ତିଗତ ଯୋଗ୍ୟତା ଥିବା ଆବଶ୍ୟକ । ଗତ ୨୫ ତାରିଖରୁ ଦେଶରେ ଏହି ନିୟମ ଲାଗୁ ହୋଇଛି ।

ଡୟିନ୍‌ (ଟିକ୍‌ଟକ୍‌ର ଚୀନୀ ସଂସ୍କରଣ), ବିଲିବିଲୀ ଓ ୱିବୋ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକୁ କୌଣସି ବିଷୟ ଉପରେ ସୂଚନା କିମ୍ବା ପରାମର୍ଶ ଦେଉଥିବା ବ୍ୟକ୍ତିଙ୍କ ପ୍ରମାଣପତ୍ର (ଡିଗ୍ରୀ କିମ୍ବା ବୃତ୍ତିଗତ ଲାଇସେନ୍ସ) ପ୍ରଥମେ ଯାଞ୍ଚ୍‌ କରିବାକୁ ପଡ଼ିବ । ଏହା ପରେ ତାଙ୍କୁ ଉକ୍ତ ବିଷୟ ଉପରେ ପୋଷ୍ଟ୍‌ କରିବାକୁ ଅନୁମତି ଦିଆଯିବ । ଚୀନ୍‌ ସରକାରଙ୍କ ଅନୁସାରେ, ଏହି ନିୟମର ଉଦ୍ଦେଶ୍ୟ ଭୁଲ ତଥ୍ୟ ଓ ଖବର ପ୍ରସାରଣକୁ ରୋକିବା । ଇଣ୍ଟର୍‌ନେଟ୍‌ରେ ସର୍ବଦା ମିଛ ଓ ଅପୂର୍ଣ୍ଣ ସୂଚନା ପ୍ରସାରିତ ହୋଇଥାଏ । ଖାସ୍‌କରି ସ୍ୱାସ୍ଥ୍ୟ, ଆଇନ କିମ୍ବା ନିବେଶ ଭଳି ଗମ୍ଭୀର ବିଷୟରେ ଲୋକେ ଭୁଲ ମାର୍ଗରେ ଚାଲିଯାଆନ୍ତି । ସେଥିପାଇଁ ସରକାର ଚାହୁଁଛନ୍ତି, କେବଳ ଯୋଗ୍ୟ ଓ ଲାଇସେନ୍ସଧାରୀ ବ୍ୟକ୍ତି ହିଁ ଏ ସମସ୍ତ ବିଷୟ ଉପରେ ପରାମର୍ଶ ଦିଅନ୍ତୁ । ତେବେ ଏହି ନିୟମ ଚୀନ୍‌ରେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ନେଇ ବଡ଼ ବିତର୍କ ଆରମ୍ଭ କରିଛି । ଆଲୋଚକଙ୍କ କହିବା ଅନୁସାରେ, ସରକାର ନିୟମର ବାହାନା ଦେଖାଇ ସୋସିଆଲ ମିଡିଆ ଉପରେ ନିଜ ନିୟନ୍ତ୍ରଣକୁ ମଜଭୁତ କରିବାକୁ ଚାହୁଁଛନ୍ତି । ଏ ପ୍ରକାର ନିୟମ ଦ୍ୱାରା ସରକାର ସ୍ଥିର କରିବେ କିଏ କହିପାରିବ, କିଏ ନୁହେଁ । ଏହା ଦ୍ୱାରା ସାଧାରଣ ନାଗରିକ, ସ୍ୱାଧୀନ ସାମ୍ବାଦିକ ଓ କଣ୍ଟେଣ୍ଟ୍‌ କ୍ରିଏଟରଙ୍କ ସ୍ୱର ଦବିପାରେ ।