ନୂଆଦିଲ୍ଲୀ,୧୭/୦୯: ଅକ୍ଟୋବର ପହିଲାରୁ ଭାରତୀୟ ରେଲୱେ ଏହାର ଟିକଟ ସଂରକ୍ଷଣ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ତତ୍କାଳ ଟିକଟ ଭଳି ଏବେ ଜେନେରାଲ ରିଜର୍ଭେସନ ଟିକଟ ବୁକିଂ ଲାଗି ଇ-ଆଧାର ଯାଞ୍ଚ ଜରୁରି ହେବ । ପ୍ରଥମ ୧୫ ମିନିଟ କେବଳ ଆଧାର ଓଟିପି ଜରିଆରେ ବୁକିଂ କରିହେବ ଟିକଟ । ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମନ୍ତ୍ରଣାଳୟ ମୁତାବକ, ଆଇଆର୍ସିଟିସି ୱେବ୍ସାଇଟ କିମ୍ବା ଆପ୍ଲିକେସନରେ ଜେନେରାଲ ରିଜର୍ଭେସନ ଖୋଲିବାର ୧୫ ମିନିଟରେ ଟିକେଟ୍ ବୁକ୍ କରିବା ଲାଗି ଆଧାର ଯାଞ୍ଚ ଜରୁରୀ ହେବ । ଏହା ଦ୍ୱାରା ଜାଲ୍ ଆଇଡି, ଏଜେଣ୍ଟଙ୍କ ଦ୍ୱାରା ହେଉଥିବା ଟିକଟ କଳାବଜାରୀ ଉପରେ ଲଗାମ ଲାଗିବ । ଆଇଆର୍ସିଟିସି ଆକାଉଣ୍ଟ ପୂର୍ବରୁ ଆଧାର ସହ ଲିଙ୍କ୍ ଥିଲେ ବୁକିଂ ସହଜ ହେବ । ୱେଟିଂ ସମୟ କମିବ ଏବଂ ଟିକସ ଶୀଘ୍ର କନଫର୍ମ ହେବ । ରେଲୱେର କମ୍ପ୍ୟୁଟରୀକୃତ ପିଆର୍ଏସ୍ କାଉଣ୍ଟରରେ ଜେନେରାଲ ରିଜର୍ଭେସନ ଟିକଟ ବୁକିଂ କରିବା ପୂର୍ବ ଭଳି ଜାରି ରହିବ ।
ସେହିଭଳି ରେଲୱେର ଅଧିକୃତ ଟିକଟ ଏଜେଣ୍ଟଙ୍କ ଲାଗି ପ୍ରଥମ ଦିନ ଟିକଟ ବୁକିଂ ଉପରେ ୧୦ ମିନିଟର ପ୍ରତିବନ୍ଧକ ମଧ୍ୟ ବିନା କୌଣସି ପରିବର୍ତ୍ତନରେ ଜାରି ରହିବ । ଦଲାଲ ଏବଂ ଜାଲ୍ ଏଜେଣ୍ଟମାନେ ବେଆଇନ ଉପାୟରେ ଟିକଟ ବୁକିଂ କରିବା ଯୋଗୁ ଟିକଟ ବୁକିଂ ଆରମ୍ଭର କିଛି ସମୟ ପରେ ଟିକଟ ସରିଯାଇଥାଏ । ଏଥିଯୋଗୁ ସାଧାରଣ ଯାତ୍ରୀଙ୍କୁ ଟିକଟ ମିଳିବା କଷ୍ଟକର ହୋଇଥାଏ । ପ୍ରକୃତ ଯାତ୍ରୀ ଏବଂ ଜାଲିଆତି ରୋକିବା ଲାଗି ଏଭଳି ନିୟମ ଆସିବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି।