ଫିରିଙ୍ଗିଆ, ୨୮/୧୦: ଅଙ୍ଗନଓ୍ବାଡି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ। ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ସମସ୍ୟାର ସମାଧାନ ନ ହେବା ଯାଏ ଖୋଲିବନି ତାଲା । ଚେତାବନୀ ଦେଇଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ବନ୍ଧଗଡ଼ ପଞ୍ଚାୟତ ମଣିପଦର ଗ୍ରାମବାସୀ ।
ସୂଚନା ଅନୁଯାୟୀ, ମଣିପଦର ଅଙ୍ଗନଓ୍ବାଡି ୱାର୍କର ବିନ୍ଧାଣିଙ୍କ ମୃତ୍ୟୁ ପରେ ଗତ ଜୁଲାଇ ମାସରୁ ଖାଲିପଡ଼ିଛି ଏହି ସ୍ଥାନ । ପଦବୀ ପୂରଣ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ପ୍ରକାଶ ପରେ ମଣିପଦର ଗାଁର ୧୫ଜଣ ଆଶାୟୀ ମହିଳା ଅଙ୍ଗନଓ୍ବାଡି କର୍ମୀ ପାଇଁ ଆବେଦନ କରିଥିଲେ । ଆବେଦନ ପରେ ଫର୍ମ ଯାଞ୍ଚ ପ୍ରକ୍ରିୟା ମଧ୍ୟ ହୋଇଥିଲା । ମଣିପଦର ଗାଁର ଆବେଦନ କରିଥିବା ୧୪ଜଣ ମହିଳା ଏବଂ ଜଣେ ଅସହାୟ ବାପା ମା' ଛେଉଣ୍ଡ ଝିଅ ଅଧିକ ମାର୍କ ରଖିଥିବା ସତ୍ତ୍ବେ ଅଙ୍ଗନଓ୍ବାଡି କର୍ମୀ ଭାବେ ନିଯୁକ୍ତିରେ ପାଇନଥିଲେ। ହେଲେ ପବିଙ୍ଗିଆ ପଞ୍ଚାୟତର ଜଣେ ଅବିବାହିତା ଯୁବତୀକୁ ନିଯୁକ୍ତି ଦିଆଯାଇଥିବାରୁ ମଣିପଦର ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ । ସେପଟେ ଆବେଦନ କାରୀଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି l ଯାହାକୁ ନେଇଁ ବାରମ୍ବାର ବିଭିନ୍ନ ବିଭାଗୀୟ ଅଧିକାରୀ ଅନିୟମିତତା ନେଇଁ ଅଭିଯୋଗ କରିବା ପରେ କେହି ଶୁଣିନଥିଲେ। ମଙ୍ଗଳବାର ବାଧ୍ୟ ଦିନ ୯ ଟାରୁ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବା ସହ ଉତ୍ତ୍ୟକ୍ତ ଗ୍ରାମବାସୀ ଅଙ୍ଗନଓ୍ବାଡି ଆଗରେ ହୋ ହାଲା କରିଥିଲେ। ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ଝୁଲି ରହିବ ବୋଲି ଅଡ଼ି ବସିଛନ୍ତି ମଣିପଦର ଗ୍ରାମବାସୀ।