ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁପବାଡ଼ା ଜିଲ୍ଲାର କେରାନ୍ ସେକ୍ଟରରେ ଭାରତୀୟ ସେନା ଏକ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି। ଏହି ଅପରେସନରେ ଦୁଇଜଣ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ତେବେ ଆତଙ୍କୀଙ୍କ ମୃତ ଦେହ ଏଯାଏ ଜବତ ହୋଇପାରିନାହିଁ, ଏଣୁ ସେନା ପକ୍ଷରୁ ଏକ ଆଣ୍ଟି-ଟେରର୍ ସର୍ଚ୍ଚ ଅପରେସନ୍ ଚାଲୁ ରହିଛି।
ସୂଚନା ମୁତାବକ, କୁପବାଡ଼ା ଜିଲ୍ଲାର କେରାନ୍ ସେକ୍ଟରରେ ଏଲଓସି ନିକଟରେ ରବିବାର ସକାଳେ ଏହି ଘଟଣା ଘଟିଛି। ସୀମା ନିକଟରେ ସନ୍ଦେହଜନକ ଗତିବିଧିର ସୂଚନା ପାଇବା ପରେ ସେନା ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା। ତେବେ ଅନୁପ୍ରବେଶକାରୀ ମାନଙ୍କୁ ସିଧାସଳଖ ଟାର୍ଗେଟ କରି ଭାରତୀୟ ସେନା ଦୁଇ ଆତଙ୍କୀଙ୍କୁ ଧରାଶାୟୀ କରିଛି।
ଏହି ଅପରେସନରେ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି, କିନ୍ତୁ ସେମାନଙ୍କର ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ। ତେବେ ସର୍ଚ୍ଚ ଅପରେସନ୍ ଚାଲୁଥିବାରୁ ମୃତଦେହ ମିଳିବା ପରେ ଏନେଇ ଅଧିକ ବିବରଣୀ ମିଳିବ ଆଶା କରାଯାଉଛି। ଏହାସହ ଆତଙ୍କୀମାନେ ବ୍ୟବହାର କରୁଥିବା ଅନ୍ୟ କୌଣସି ମାରଣାସ୍ତ୍ର କିମ୍ୱା ଅନ୍ୟ ସାମଗ୍ରୀର ବିବରଣୀ ମଧ୍ୟ ମିଳିପାରିନାହିଁ।
ସେହିଭଲି, ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲ୍ଲାର ରାମଗଡ ସେକ୍ଟରର କାରାଲିୟାନ ଗ୍ରାମରେ ସକାଳ ୬ଟା ୩୦ମନିଟ ସମୟରେ ଏକ ସନ୍ଦେହଜନକ ପାକିସ୍ତାନୀ ଡ୍ରୋନ୍ ଦେଖାଯାଇଥିବା ନେଇ ସୂଚନା ମିଳିଛି। ଏନେଇ ବର୍ଡର୍ ସିକ୍ୟୁରିଟି ଫୋର୍ସ୍ (ବିଏସ୍ଏଫ୍) ଅନ୍ୟ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ତେବେ ଏହି ଡ୍ରୋନ ଦ୍ୱାରା ଚୋରା ଅସ୍ତ୍ର ବା ମାଦକଦ୍ରବ୍ୟ କରାଯାଇଥିବା ଅନୁମାନ କରି ଯାଞ୍ଚ କରାଯାଉଛି।