ଭୁବନେଶ୍ୱର,୧୪/୦୯: ମାନସିକ ରୋଗୀଙ୍କ ଚିକିତ୍ସା କରିବ କୃତ୍ରିମ ବୁଦ୍ଧିମତା ବା ଏଆଇ । କୌଣସି ମନସ୍ତତ୍ତ୍ୱବିତ୍ କିମ୍ବା ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବନି ଘରେ ବସି ମୋବାଇଲ ଆପରେ ଏଆଇ ଡାକ୍ତରଙ୍କ ପରାମର୍ଶ ନେଇ ହେବ । ଏଆଇ ମାନସିକ ଚିନ୍ତାରୁ ମୁକ୍ତି ପାଇବା ପାଇଁ ସମାଧାନର ରାସ୍ତା ଦେବ । ଏଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି ଭୁବନେଶ୍ୱର ଏମ୍ସ । ମାନସିକ ରୋଗୀଙ୍କ ପାଇଁ ଏମ୍ସ ତିଆରି କରିଛି ଉନ୍ନତମାନର ଏଆଇ ଆପ୍ । ଏହି ଆପର ନାମ ରହିଛି ନେଭର ଏଲୋନ୍ ଆପ୍ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଆପ୍ କେବଳ ମେଡିକାଲ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରହିଛି । ମାନସିକ ରୋଗୀଙ୍କ ଚିକିତ୍ସାରେ ସହାୟତା ପ୍ରଦାନ ପାଇଁ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି ମାନସିକ ଦୁଃଶ୍ଚିନ୍ତା । ପାଠ ପଢା ହେଉ ଅବା ପାରିବାରିକ କଳହ କିମ୍ବା ବ୍ୟକ୍ତିଗତ ସମସ୍ୟା, ଏସବୁ ମାନସିକ ଚିନ୍ତା ଲଦିଦେଉଛି । ଫଳସ୍ୱରୂପ କମ୍ ବୟସରେ ପିଲାମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉନାହାନ୍ତି । ବାଲେଶ୍ୱର ଫକୀରମୋହନ କଲେଜରେ ପଢୁଥିବା ଛାତ୍ରୀ ସୌମ୍ୟାଶ୍ରୀ ହୁଅନ୍ତୁ ଅବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜର ଛାତ୍ରୀ । ନିକଟରେ ଏହିଭଳି ଅନେକ ଉଦାହରଣ ଘଟିଛି । ପିଲାମାନଙ୍କ ମାନସିକ ସ୍ଥିତି ବିଗିଡ଼ିଯାଉଥିବା ବେଳେ ସେମାନେ ଡାକ୍ତରଙ୍କ ପାଖକୁ ନଯାଇ ନିଜ ଜୀବନ ହାରି ଦେଉଛନ୍ତି । ଏଭଳି ସମୟରେ ନେଭର ଏଲୋନ୍ ଆପ୍ ଏକ ସଞ୍ଜିବନୀ ସଦୃଶ ହେବ ବୋଲି ଏମ୍ସ କର୍ତ୍ତୃପକ୍ଷ ଆଶାବାଦୀ ରହିଛନ୍ତି । ଏମ୍ସ ଛାତ୍ରଛାତ୍ରୀଙ୍କ ବ୍ୟତୀତ ମେଡିକାଲ କର୍ମଚାରୀମାନେ ଏହି ଆପ୍ ବ୍ୟବହାର କରୁଛନ୍ତି । ଆପ୍ରେ ମାନସିକ ସ୍ୱାସ୍ଥ୍ୟ ଚିନ୍ତା ପାଇଁ ସ୍କ୍ରିନିଂ, ମନସ୍ତତ୍ୱବିତ୍, ବିଶେଷଜ୍ଞ ଏବଂ ସ୍ୱେଚ୍ଛାସେବୀଙ୍କ ପରାମର୍ଶ ସୁବିଧା ରହିଛି ।
ମାନସିକ ରୋଗରେ ପୀଡ଼ିତ ଛାତ୍ରଙ୍କ ପ୍ରଶ୍ନ ଗ୍ରହଣ କରିବା ପରେ, ଏଆଇ ମାଧ୍ୟମରେ ରୋଗର ପରୀକ୍ଷା ଓ ଚିକିତ୍ସା ବାବଦରେ ତଥ୍ୟ ପ୍ରଦାନ କରିବ । ଏହାପରେ ଉକ୍ତ ଚିକିତ୍ସା ଲିଙ୍କ୍ ଆସିବ । ଏହି ଲିଙ୍କ୍ ସ୍ୱୟଂଚାଳିତ ଭାବରେ ଭୁବନେଶ୍ୱର କିମ୍ବା ଦିଲ୍ଲୀ ଏମ୍ସରେ ଥିବା ଛାତ୍ର ଆରୋଗ୍ୟ ପରିଷଦ କିମ୍ବା ପ୍ରଶିକ୍ଷିତ ଛାତ୍ର ସ୍ୱେଚ୍ଛାସେବୀଙ୍କୁ ପଠାଯିବ । ଏଥିରେ ଉଭୟ ଅନଲାଇନ୍ ଓ ଅଫଲାଇନ୍ ସୁବିଧା ଅଛି । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଗୋପନ ରହିବ । ସମ୍ପୃକ୍ତ ମାନସିକ ରୋଗୀଙ୍କ ବିଷୟରେ କୌଣସି ସୂଚନା ମିଳିବନି । ଆଗକୁ ଏହି ଆପ୍ ବ୍ୟାପକ କରାଯିବ ବୋଲି ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି ।
ଅପରପକ୍ଷେ, ଭୁବନେଶ୍ୱର ଏମ୍ସରେ ଖୁବଶୀଘ୍ର ହେବ ଲିଭର ପ୍ରତିରୋପଣ । ଏନେଇ ପ୍ରକ୍ରିୟା ଚାଲୁରହିଛି । ୨ମାସ ମଧ୍ୟରେ ଲିଭର ପ୍ରତିରୋପଣ ପାଇଁ ଯୋଜନା ଅଛି । ଏଥିସହ ଛାତ୍ରଛାତ୍ରୀଙ୍କ ପାଇଁ ସ୍କିଲ୍ ଲ୍ୟାବ୍ ପ୍ରତିଷ୍ଠା କରାଯିବ । ପୂର୍ବରୁ ଜଣେ ଡାକ୍ତର ଲାଇଭ୍ ଡେମୋ ମାଧ୍ୟମରେ ରୋଗୀଙ୍କ ଚିକିତ୍ସା ବାବଦରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଥିଲେ । ହେଲେ ସ୍କିଲ୍ ଲ୍ୟାବରେ ରୋବୋଟିକ୍ ସ୍କିଲ ମାଧ୍ୟମରେ ଡେମୋ ପ୍ରଦର୍ଶିତ ହେବ ।