କଟକ/ଭୁବନେଶ୍ୱର, ୧୭/୯ : ପାର୍ବଣରେ ଡିଜେ ଗାଡି ଉପରେ ଅଙ୍କୁଶ। ଗାଡି ପଞ୍ଜୀକରଣ ସମୟରେ ଦେଖାଯିବ ଗାଡିର ଦୈର୍ଘ୍ୟ, ପ୍ରସ୍ତ, ଉଚ୍ଚତା। କୌଣସି ଗାଡିକୁ ମୋଡିଫାଏ କରିପାରିବେନି ଡିଜେ ମାଲିକ। ମୋଟର ଯାନ ଆଇନ ଅନୁସାରେ ମୋଡିଫାଏ ହୋଇଥିବା ସମସ୍ତ ଡିଜେ ଗାଡିର ପଞ୍ଜୀକରଣ ସହ ଫିଟନେସ୍‌କୁ ରଦ୍ଦ କରାଯିବ। ରାଜ୍ୟ ସଡ଼କ ପରିବହନ କମିଶନରଙ୍କ ପକ୍ଷରୁ ପୁଲିସ ବିଭାଗ ଓ ସମସ୍ତ ଜିଲ୍ଲାର ପରିବହନ ଅଧିକାରୀଙ୍କୁ ଚିଠି କରାଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ପରିବହନ ପ୍ରାଧିକରଣ ଏହି ପଦକ୍ଷେପ ନେଇଛି। 

ଗତ କିଛି ଦିନ ହେଲା ଡିଜେ ଗାଡି ଜନିତ ଅଘଟଣ ସାମ୍ନାକୁ ଆସୁଛି। ଏହାକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ଡିଜେ ଗାଡି ଗୁଡ଼ିକରେ ବେଆଇନ ଭାବେ ଷ୍ଟ୍ରକଚର ପରିବର୍ତ୍ତନ କରାଯାଉଛି। ଗାଡିର ଉଚ୍ଚତା, ଲମ୍ବ ଏବଂ ପ୍ରସ୍ଥରେ ପରିବର୍ତ୍ତନ କରାଯାଉଛି। ଅତି ଉଚ୍ଚ ସ୍ଵରର ଲାଉଡ ସ୍ପିକର୍ ଓ ଲାଇଟ୍ ଲଗାଯାଉଛି। ମୋଟରଯାନ ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ବେଆଇନ ଭାବେ ଡିଜେ ଗାଡିକୁ ବ୍ୟବହାର କରାଯାଉଛି। ଏହାକୁ ରୋକିବା ପାଇଁ ପରିବହନ ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପରିବହନ ଆୟୁକ୍ତଙ୍କ ଦ୍ୱାରା ଏକ ସର୍କୁଲାର ଜାରି କରାଯାଇଛି। ଏହାଦ୍ୱାରା ଶବ୍ଦ ପ୍ରଦୂଷଣ ହେଉଛି। ଅଧିକ ଉଚ୍ଚତା ବିଶିଷ୍ଟ ଗାଡି ଯୋଗୁଁ ଦୁର୍ଘଟଣା ଘଟୁଛି। ଡିଜେ ଗାଡ଼ିର ଶବ୍ଦ, ଆଲୋକ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ଅନେକ ସମୟରେ ଅଘଟଣର କାରଣ ସାଜୁଛି । 

ସୂଚନାଯୋଗ୍ୟ ଯେ, କୌଣସି ଯାନକୁ ମୂଳ ଢାଞ୍ଚାରୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ବହୁରଙ୍ଗୀ LED/ଲେଜର/ନିଅନ୍ ଲାଇଟ୍, ଘୁରୁଥିବା DJ ଲାଇଟ୍, କିମ୍ବା AIS-008 ନିର୍ଦ୍ଦିଷ୍ଟକରଣ ଅନୁଯାୟୀ ନଥିବା ଯେକୌଣସି ଆଲୋକ ବ୍ୟବସ୍ଥା ବ୍ୟବହାର ନିଷେଧ ରହିଛି। ସେହିଭଳି ମୋଟର ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ଏବଂ ସମାନ ସେଟଅପ୍ ବ୍ୟବହାର ବେଆଇନ। ସେହିଭଳି ଗାଡ଼ିରେ ଡିଜେ ସେଟ୍ ଅପ୍ ପାଇଁ ମନଇଚ୍ଛା ଯନ୍ତ୍ରାଂଶ ପରିବହନ ମଧ୍ୟ ବେଆଇନ।ମୋଟର ଯାନର ଷ୍ଟ୍ରକଚର୍ ପରିବର୍ତ୍ତନ କରି ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଲାଗୁ କରାଯିବ। ​​​​​​​
ବେଆଇନ ଡିଜେ ଗାଡ଼ି ଯୋଗୁଁ ନିକଟ ଅତୀତରେ ଘଟିଥିବା କିଛି ଅଘଟଣ-
• ମେ ୨୦୨୫: କଟକରେ ଏକ ଡିଜେ ଭ୍ୟାନରେ ସଟସର୍କିଟ୍ ଯୋଗୁଁ ନିଆଁ ଲାଗି ଦୁଇ ଯାତ୍ରୀ ଗୁରୁତର ହୋଇଥିଲେ ।
• ମାର୍ଚ୍ଚ ୨୦୨୪: ବରଗଡ଼ରେ ଏକ ଡିଜେ ଗାଡ଼ି ଓଲଟିବାରୁ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିଲେ। ଡିଜେ ଲାଇଟ୍ ଯୋଗୁଁ ଡ୍ରାଇଭର ଭାରସାମ୍ୟ ହରାଇଥିଲେ।   
• ନଭେମ୍ବର ୨୦୨୩: ଗଞ୍ଜାମରେ ଡିଜେ ଲାଇଟ୍ ଯୋଗୁଁ ଡିଜେ ଗାଡ଼ି ସହ ବାଇକ ଧକ୍କା ହୋଇଥିଲା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।