ମୁମ୍ବାଇ,୨୩/୧୦:​​​​​​​​​​​​​ ଦ୍ବିତୀୟ ଦିନିକିଆରେ ବି ମାତ୍ ଖାଇଲା ଭାରତ । ୧୭ ବର୍ଷ ପରେ ଆଡିଲେଡରେ ପରାଜୟ । ଆଡିଲେଡ ଓ୍ବନଡେରେ ଭାରତୀୟ ଦଳ ପରାସ୍ତ । ମ୍ୟାଚକୁ ୨ ଓ୍ବିକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ ଟିମ୍ । ୨୬୫ ରନ୍ ଟାର୍ଗେଟକୁ ୪୬.୨ ଓଭରରେ ୮ ଓ୍ବିକେଟ୍ ହରାଇ ହାସଲ କରିଛି । ଦ୍ବିତୀୟ ଦିନିକିଆ ବିଜୟ ସହିତ କଙ୍ଗାରୁ ଦଳ ତିନୋଟି ମ୍ୟାଚ୍ ବିଶିଷ୍ଟ ସିରିଜକୁ କବଜା କରିଛି । ପରବର୍ତ୍ତୀ ମ୍ୟାଚ୍ ସିଡନୀ ଗ୍ରାଉଣ୍ଡରେ ଖେଳାଯିବ । ସମ୍ମାନ ରକ୍ଷା ପାଇଁ ତୃତୀୟ ଓ୍ବାନଡେ ଲଢ଼େଇ କରିବ ଭାରତୀୟ ଦଳ । ଆଜିର ମ୍ୟାଚରେ ମୋଟ୍ ୪ଟି ଓ୍ବିକେଟ୍ ନେଇ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ଆଡାମ୍ ଜାମ୍ପା ।

ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୯ ୱିକେଟ ହରାଇ ୨୬୪ ରନ କରିଥିଲା ଟିମ୍ ଇଣ୍ଡିଆ । ଏହାର ଜବାବରେ ଅଷ୍ଟ୍ରେଲିଆ ୨୨ ବଲ୍ ବାକି ଥାଇ ମ୍ୟାଚ୍ ଜିତିଥିଲା। ଅଷ୍ଟ୍ରେଲିଆ ୪୬.୨ ଓଭରରେ ୮ ୱିକେଟ ହରାଇ ୨୬୫ ରନ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ସର୍ଟ ସର୍ବାଧିକ ୭୪ ରନ୍ କରିଛନ୍ତି । ଭାରତ ପକ୍ଷରୁ ଅର୍ଶଦୀପ, ହର୍ଷିତ୍ ଏବଂ ସୁନ୍ଦର ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି । ତିନି ମ୍ୟାଚ୍ ବିଶିଷ୍ଟ ଓ୍ବାନଡେ ସିରିଜରେ ଏହା ଭାରତର ଲଗାତାର ଦ୍ୱିତୀୟ ପରାଜୟ ହୋଇଛି । ପୂର୍ବରୁ, ଅଷ୍ଟ୍ରେଲିଆ ପର୍ଥରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟକୁ ୭ ୱିକେଟରେ ଜିତିଥିଲା ।

୨୬୫ ରନର ଟାର୍ଗେଟ ପିଛା କରିବାକୁ ଅଷ୍ଟ୍ରେଲିଆର ଆରମ୍ଭ ଖରାପ ଥିଲା । ଅଧିନାୟକ ମିଚେଲ ମାର୍ଶ କେବଳ ୧୧ ରନ୍ ଆଉଟ୍ ହୋଇଥିଲେ । ଓପନର ଟ୍ରାଭିସ୍ ହେଡ୍ ୪୦ ବଲରେ ୨୮ ରନ୍ କରି ହର୍ଷିତ୍ ରାଣାଙ୍କ ଶିକାର ବନିଥିଲେ । ସେହିପରି ମ୍ୟାଟ୍ ରେନଶ ୩୦ ରନ୍ କରି ପାଭେଲିୟନକୁ ଫେରିଥିଲେ । ଏହାପରେ ଆଲେକ୍ସ କେରି କେବଳ ୯ ରନ କରିପାରିଥିଲେ। ମାଥ୍ୟୁ ସର୍ଟ ୭୮ ବଲରେ ୭୪ ରନର ଏକ ଦୃଢ଼ ଇନିଂସ ଖେଳିଥିଲେ। ତାଙ୍କୁ ସାଥ୍ ଦେଇଥିଲେ ମିଚେଲ ଓୱେନ୍ । ସେ ୩୬ ରନ୍ କରିଥିଲେ । ବାର୍ଟଲେଟ୍ ୫ ବଲରେ କେବଳ ୩ ରନ କରିପାରିଥିଲେ। ମିଚେଲ ଷ୍ଟାର୍କ ମାତ୍ର ୪ ରନ କରି ଫେରିଥିଲେ । ହେଲେ କୁପର କୋନୋଲି ଗୋଟିଏ ପଟରେ ଖୁଣ୍ଟ ଭଳି ଛିଡ଼ା ହୋଇଥିଲେ । ସେ ୫୩ ବଲରେ ୬୧ ରନ୍‌ର ଅପରାଜେୟ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତାଇଛନ୍ତି ।