ହୋବାର୍ଟ,୦୨/୧୧: ଆଜି ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ ତୃତୀୟ ଟି-ଟ୍ୱେଣ୍ଟି । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ଆଉ ବାକି ରହିଛି ୩ଟି ମ୍ୟାଚ୍ । ସିରିଜ ଜିତିବାକୁ ହେଲେ ଭାରତକୁ ସମସ୍ତ ମ୍ୟାଚ୍ ଜିତିବାକୁ ହେବ । ତେଣୁ ଭାରତ ପାଇଁ ପ୍ରତ୍ୟେକ ମ୍ୟାଚ ହେବ ‘କର ବା ମର’ ।
ଦ୍ୱିତୀୟ ମ୍ୟାଚ୍ରେ ଭାରତ ବ୍ୟାଟିଂ କ୍ରମରେ ବହୁ ପରୀକ୍ଷା ନିରୀକ୍ଷା କରିଥିଲା । ବ୍ୟାଟରମାନେ ମଧ୍ୟ ବେପରବାୟ ସଟ୍ ଖେଳିଥିଲେ । ଯାହା ଦଳ ପାଇଁ ପରାଜୟର କାରଣ ସାଜିଥିଲା । ଭାରତ ଏହି ତ୍ରୁଟିକୁ ସୁଧାରି ସାରିଥିବା ଆଶା କରାଯାଉଛି । ଅଭିଷେକ ଶର୍ମା ଚମତ୍କାର ଫର୍ମରେ ରହିଛନ୍ତି । ହେଲେ ବାକି ଖେଳାଳିଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ। ବିଶେଷ କରି ଶୁଭମନ ଗିଲ୍ ଓ ତିଳକ ବର୍ମାଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଛି । ବୋଲିଂ ବିଭାଗରେ ଭାରତ ପରିବର୍ତ୍ତନ କରିପାରେ । କୁଲଦୀପ ଯାଦବଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ଖେଳିବାକୁ ସୁଯୋଗ ମିଳିବ । ସେହିପରି ରିଙ୍କୁ ସିଂହଙ୍କୁ ସୁଯୋଗ ଦେବାକୁ ମଧ୍ୟ ଦଳ ଚିନ୍ତା କରୁଛି । ସେ ଖେଳିଲେ ଶିବମ ଦୁବେ ଏକାଦଶରୁ ବାଦ ପଡ଼ିବେ ।
ଅଷ୍ଟ୍ରେଲିଆ ଦଳକୁ ଦୁର୍ଦ୍ଧର୍ଷ ବ୍ୟାଟର ଗ୍ଲେନ ମ୍ୟାକ୍ସୱେଲ୍ ଫେରୁଛନ୍ତି । ତେଣୁ ଭାରତକୁ ଏଥିପ୍ରତି ସତର୍କ ରହିବାକୁ ହେବ । ସେହିପରି ଜୋସ ହାଜେଲଉଡଙ୍କ ସ୍ଥାନରେ ସିନ ଆବୋଟ ଏକାଦଶକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଆଜି ସାମସନ ୫ ରନ କଲେ ୧୨ତମ ଭାରତୀୟ ଭାବେ ଟି-ଟ୍ୱେଣ୍ଟିରେ ୧୦୦୦ ରନ ପୂରଣ କରିବେ। ସେହିପରି ତିଳକ ବର୍ମା ୩୮ ଓ ଅଭିଷେକ ୬୪ ରନ କଲେ ୧୦୦୦ ରନ କ୍ଲବ୍ରେ ସ୍ଥାନ ହାସଲ କରିବେ । ଅଷ୍ଟ୍ରେଲିଆର ଟିମ ଡେଭିଡ୍ ୧୦୦୦ ରନ କ୍ଲବ୍ଠୁ ଆଉ ୫୦ ରନ ଦୂରରେ ରହିଛନ୍ତି । ଯଶପ୍ରୀତ ବୁମରା ୨ଟି ୱିକେଟ୍ ନେଲେ ଦ୍ୱିତୀୟ ଭାରତୀୟ ଭାବେ ୧୦୦ ୱିକେଟ୍ ପୂରଣ କରିବେ । ଭାରତ ପକ୍ଷରୁ କେବଳ ଅର୍ଶଦୀପ ୧୦୧ ୱିକେଟ୍ ନେଇଛନ୍ତି ।
ହୋବାର୍ଟ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ମାତ୍ର ସ୍ଥାନୀୟ ଜଳବାୟୁ ମ୍ୟାଚକୁ ପ୍ରଭାବିତ କରିବ । ଆଜି ଥଣ୍ଡା ପାଗ ସହ କୋହଲା ପବନ ବହିବା ନିଶ୍ଚିତ । ତେଣୁ ବଲ୍ ସୁଇଂ ହେବ । ପେସ୍ ବୋଲରମାନେ ନୂଆ ବଲ୍ର ଫାଇଦା ଉଠାଇ ପାରିବେ । ମାତ୍ର ସତକର୍ତାର ସହ ଖେଳିଲେ ବିଶାଳ ସ୍କୋର ସମ୍ଭବ । ଟସ ସେଭଳି ଗୁରୁତ୍ୱ ରଖୁନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ଭାରତ: ଶୁଭମନ ଗିଲ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ, ଅକ୍ଷର ପଟେଲ, ଶିବମ ଦୁବେ/ରିଙ୍କୁ ସିଂହ, ହର୍ଷିତ ରାଣା, କୁଲଦୀପ ଯାଦବ/ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ: ମିଚେଲ ମାର୍ଶ (ଅଧିନାୟକ), ଟ୍ରେଭିସ ହେଡ୍, ଜୋସ ଇଂଲିଶ, ଟିମ ଡେଭିଡ୍, ଗ୍ଲେନ ମ୍ୟାକ୍ସୱେଲ୍, ମିଚେଲ ଓଏନ/ମାଥ୍ୟୁ ସର୍ଟ, ମାର୍କସ ଷ୍ଟଇନିସ, ଜାଭିୟର ବାର୍ଟଲେଟ, ନାଥାନ ଏଲିସ, ସିନ ଆବୋଟ/ ମାହଲି ବିୟର୍ଡମାନ, ମାଟ କୁହ୍ନେମନ ।