ମାଲକାନଗିରି,୩/୧୦(ଆପ୍ର): ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ଓ କଂଗ୍ରେସର ଶତାଧିକ କର୍ମୀ ଆଜି ବିଜେପି ଦଳରେ ଯୋଗ ଦେଇଛନ୍ତି।
ସୂଚନା ମୁତାବକ, ବିଜେଡିର ଟାଣୁଆ ନେତାମାନେ ଆଜି ବିଜେଡି ଛାଡି ବିଜେପି ମୁହାଁ ହୋଇଛନ୍ତି। ଜିଲ୍ଲାର ବିଜେଡ଼ି ଦଳ ମଧ୍ୟରେ ଅନ୍ତକନ୍ଦଳ ଜାରି ରହିବା ସହ ପରିସ୍ଥିତି ଠିକ ନଥିବାରୁ ଅନେକ ଦଳିୟ କର୍ମୀ ବିଜେପି ଆଡେ ଢଳିଛନ୍ତି। ବିଜେପିରେ ସାମିଲ ହୋଇଥିବା କର୍ମୀଙ୍କ ମଧ୍ୟରେ ପୂର୍ବତନ ବ୍ଲକ ସଭାପତି ତଥା ଜିଲ୍ଲା ସଂପାଦକ ବିଭାଂଶୁ ରଞ୍ଜନ ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ, ବ୍ଲକ ଉପସଭାପତି ବିଦେଶୀ ପ୍ରହରାଜ, ବିରଲକ୍ଷ୍ମଣପୁର ସରପଞ୍ଚ ନୀଳକଣ୍ଠ ଝୋଲା, ସଞ୍ଜୟ ବୈରାଗୀ, ମହାଦେବ ଶିଶା, ବିନାଶ ହନ୍ତାଳ ପ୍ରମୁଖ ସାମିଲ ରହିଛନ୍ତି।
ଏହି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, ବିଧାୟକ ନରସିଂହ ମାଡକାମୀ ଓ ଜିଲ୍ଲା ବିଜେପି ସଭାପତି ଅଶୋକ ପରିଡ଼ାଙ୍କ ସମେତ ପୂର୍ବତନ ବିଧାୟକ ଡମ୍ବରୁ ଶିଶା ପ୍ରମୁଖ ଉପସ୍ଥିତ ଥିଲେ।
ଲଗାତାର ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳରୁ ନେତା ଓ କର୍ମୀ ମାନେ ବିଜେପି ଦଳରେ ସାମିଲ ହେଉଛନ୍ତି। ଆଜି ଦୁଇ ଦଳର ଟାଣୁଆ କର୍ମୀମାନେ ବିଜେପିରେ ସାମିଲ ହେବା ପରେ ବିଜେପି ଜିଲ୍ଲାରେ ଧିରେଧିରେ ନିଜର ଗଡ ସୁଦୃଢ କରୁଛି ବୋଲି ଅନୁମାନ କରାଯାଉଛି।