ପୁରୀ,୨୦/୧୦: ଆଜି ଆଲୋକର ପର୍ବ ଦୀପାବଳିରେ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବା ସହ  ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ(ପୟା  ଶ୍ରାଦ୍ଧ) ଦେବେ ଶ୍ରଦ୍ଧାଳୁ । ସେଥିପାଇଁ  ଶ୍ରୀକ୍ଷେତ୍ରକୁ ଛୁଟିଛି  ଶ୍ରଦ୍ଧାଳୁଙ୍କ ସୁଅ । ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମକୁ  ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଶେଷ  ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ନିକଟ ଏମାର ମଠ ଚକଡ଼ାରେ  ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ୪ଟି ସ୍ଥାନରେ ବ୍ୟାରିକେଡ଼୍‌ ଘେରାଇ ତଳେ ବାଲି ପକାଯିବା ସହ ଶ୍ରଦ୍ଧାଳୁମାନେ ସେଠାରେ  କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବାକୁ ପ୍ରସ୍ତୁତି  ହେଉଛି । କୌଣସି ଅଘଟଣର ସାମ୍ନା କରିବାକୁ  ଅଗ୍ନିଶମବାହିନୀଙ୍କ ସମେତ ଆମ୍ବୁଲାନ୍ସ ରହିବ ।  କାର୍ତ୍ତିକ ମାସ ଅବସରରେ ଶ୍ରୀମନ୍ଦିରରେ  ପ୍ରଚଳିତ ଦର୍ଶନ ବ୍ୟବସ୍ଥାର କୌଣସି ପରିବର୍ତ୍ତନ  ହୋଇ ନଥିବା ସୂଚନା ଦେଇଛନ୍ତି ପୁରୀ ଏସ୍‌ପି  ପ୍ରତୀକ ସିଂହ ।

ଆଲୋକର ପର୍ବ ଦୀପାବଳିରେ ବଡ଼ଦାଣ୍ଡ  ସମେତ ତୀର୍ଥ ପୁଷ୍କରିଣୀରେ ଲାଗିବ ପ୍ରବଳ  ଭିଡ଼ । ସକାଳୁ ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା,  ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ସମେତ ପବିତ୍ର  ମହୋଦଧିରେ ସ୍ନାନକରି ଶ୍ରଦ୍ଧାଳୁମାନେ  ଶ୍ରୀମନ୍ଦିର ପହଞ୍ଚିବେ । ଶ୍ରୀଜଗନ୍ନାଥଙ୍କୁ ସାକ୍ଷୀ  ରଖି ପୂର୍ବଜଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ ।  ପୂର୍ବପୁରୁଷଙ୍କ ମୋକ୍ଷପ୍ରାପ୍ତି ଓ ପରିବାର ପାଇଁ  ଆର୍ଶୀବାଦ ଲାଭ କରିବେ । ଠାକୁରଙ୍କ ଦର୍ଶନ  ସହ ମହାପ୍ରସାଦ ସେବନ କରି ବ୍ରାହ୍ମଣ  ଭୋଜନ କରାଇ ପୂଣ୍ୟ ଅର୍ଜନ କରିବେ ।  ଦୀପାବଳି ଅବସରରେ ସନ୍ଧ୍ୟାରେ ସୁସଜ୍ଜିତ  ଆଲୋକମାଳାରେ ସାରା ସହର ଝଲସି ଉଠିବ ।  ସହରବାସୀ ଘରେ ଘରେ ଦୀପ ଓ ମହମବତୀ  ଲଗାଇବା ସହ କାଉଁରିଆ ଜାଳିବେ । ବିଭିନ୍ନ  ଅନୁଷ୍ଠାନ ରଙ୍ଗବେରଙ୍ଗର ଆଲୋକମାଳାରେ  ସୁସଜ୍ଜିତ ହେବ । ବ୍ୟବସାୟିକ ଅନୁଷ୍ଠାନ ବେଶ  ଜାକଜମକରେ ପାଳନ କରିବେ । ବିପଦଜନକ  ବାଣ ନଫୁଟାଇବାକୁ ଗଣମାଧ୍ୟମ ଜରିଆରେ  ଏସ୍‌ପି ସିଂହ ସଭିଙ୍କୁ ଅନୁରୋଧ କରିଛନ୍ତି ।