ପାଟଣାଗଡ଼,୨୯/୧୦: ବଲାଙ୍ଗୀରକୁ ହରଡ଼ ବିହନ ଉତ୍ପାଦନରେ ଅଗ୍ରଣୀ ଜିଲ୍ଲା କରିବାକୁ ଫୋକସ୍ କରାଯାଉଛି । ଏ ନେଇ ରାଜ୍ୟ ସରକାରଙ୍କ କୃଷି ବିଭାଗ ଓ ଆନ୍ତର୍ଜାତୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡା)ଙ୍କ ମିଳିତ ଆନୁକୂଲ୍ୟରେ ବିଲୁପ୍ତ ପ୍ରାୟ ଫସଲ ସମୂହରେ ପୁନଃରୁଦ୍ଧାର ନିମନ୍ତ ଦୀର୍ଘସ୍ଥାୟୀ ସଘନ କୃଷି ଯୋଜନା ମାଧ୍ୟମରେ ୧୦୦୦ ହେକ୍ଟର ଅଧିକ ଅମଳ କ୍ଷମ ହରଡ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ନିଆଯାଇଛି । ହରଡ ବିହନ ଉତ୍ପାଦନରେ ଆମ ରାଜ୍ୟକୁ ସ୍ବାବଲମ୍ବୀ କରିବା ସହିତ ଚାଷୀମାନଙ୍କର ଆର୍ଥିକ ଉନ୍ନତି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ପ୍ରଣୟନ କରାଯାଇଛି ।
ଇକାର୍ଡା ସଂସ୍ଥାର ଆଞ୍ଚଳିକ ସଂଯୋଜକ ( ଦକ୍ଷିଣ ଏସିଆ ଓ ଚୀନ) ଡ଼ଃ ଶିବ କୁମାର ଅଗ୍ରୱାଲ ଓ ଓଡିଶା ପ୍ରତିନିଧି ଡ଼ କିଶୋର କୁମାର ବେହେରା, ଦେଓଗାଁ ବ୍ଲକ ପରୁଆଭାଡି ଗ୍ରାମରେ ପରିକ୍ଷାମୂଳକ ଭାବରେ ଚାଷ କରାଯାଇଥିବା ଅଧିକ ଅମଳକ୍ଷମ ହରଡ ବିହନ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ଗ୍ରାମରେ ୧୦ଟି ପ୍ରଜାତିର ଅଧିକ ଅମଳକ୍ଷମ ହରଡ ବିହନର ପରିକ୍ଷାମୂଳକ ଭାବ ଚାଷ କରାଯାଇଛି । ଏହି କ୍ଷେତ୍ର ପରିଦର୍ଶନ ସହିତ ଦେଓଗାଁ ଓ ପାଟଣାଗଡ଼ ବ୍ଳକର ବିଭିନ୍ନ ଅଗ୍ରଣୀ ଚାଷୀ ଙ୍କ ହରଡ ବିହନ ଉତ୍ପାଦକ କ୍ଷେତ୍ର କୁ ଡ଼. ଅଗ୍ରୱାଲ ନିରକ୍ଷଣ କରିଥିଲେ। ପରିଦର୍ଶନ ପରେ ଜିଲ୍ଲାର ହରଡ ବିହନ ଉତ୍ପାଦନକାରୀ ଅଗ୍ରଣୀ ଚାଷୀ ମାନଙ୍କ ସହିତ ମତ ବିନିମୟ କରିଥିଲେ।
ସୂଚନାଯୋଗ୍ୟ ଯେ ଏହି ଯୋଜନା ରେ ଗତ ୩ ବର୍ଷରେ ବଲାଙ୍ଗୀର ଜିଲ୍ଲାର ହରଡ ବିହନ ଉତ୍ପାଦନ କରି ୧୦୦୦ କ୍ୱିଣ୍ଟାଲ ଅଧିକ ଅମଳକ୍ଷମ ହରଡ ବିହନକୁ ଓଡିଶା ରାଜ୍ୟ ବିହନ ନିଗମକୁ ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରି ବଲାଙ୍ଗୀରକୁ ହରଡ ବିହନ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ରେ ପରିଗଣିତ କରିବା ପାଇଁ ବିଭିନ୍ନ ଦିଗ ଉପରେ ଚାଷୀମାନଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା।