ପାଟନା,୦୬/୧୧: ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୧୨୧ ଆସନରେ ମତଦାନ ହେବ । ମୋଟ ୩ କୋଟି ୭୫ ଲକ୍ଷରୁ ଅଧିକ ଭୋଟର ୧,୩୧୪ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ କରିବେ । ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟରେ ଏନ୍ଡିଏର ୧୨୧ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ଯେବେ କି ମହାମେଣ୍ଟର ୧୨୬ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେବ ।
ଏହି ପର୍ଯ୍ୟାୟରେ କିଛି ହେଭିୱେଟ୍ ଲଢ଼ୁଛନ୍ତି । ସେମାନଙ୍କ ମଧ୍ୟରେ ତାରାପୁର ଆସନରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଲଖୀସରାୟରୁ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଏବଂ ରାଘୋପୁରରୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତଥା ଆର୍ଜେଡି ନେତା ତେଜସ୍ୱୀ ଯାଦବ ରହିଛନ୍ତି । ମହୁଆରୁ ତେଜପ୍ରତାପ ଯାଦବ, ଛାପରାରୁ ଖେସାରୀ ଲାଲ ଯାଦବ, ଅଲୀନଗରରୁ ମୈଥିଲୀ ଠାକୁର, ମହନାରରୁ ଜେଡିୟୁର ପ୍ରଦେଶ ଅଧ୍ୟକ୍ଷ ଉମେଶ ସିଂହ କୁଶୱାହ, ପାରୁ ଆସନରୁ ଆର୍ଏଲ୍ଏମ୍ର ଅଧ୍ୟକ୍ଷ ମଦନ ଚୌଧୁରୀ ପ୍ରମୁଖ ବି ଏହି ପର୍ଯ୍ୟାୟରେ ଲଢ଼ୁଛନ୍ତି । ସହର୍ସା ଆସନରୁ ଆଇଆଇପିର ଇନ୍ଦ୍ରଜିତ ପ୍ରସାଦ ଗୁପ୍ତା, ବକ୍ସରରୁ ପୂର୍ବତନ ଆଇଆଇପି ସଦସ୍ୟ ଆନନ୍ଦ ମିଶ୍ର, ସିୱାନରୁ ରଘୁନାଥପୁରର ପୂର୍ବତନ ସାଂସଦ ଶାହାବୁଦ୍ଦିନଙ୍କ ପୁଅ ଓସାମା ଶାହାବ, ପରସାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦାରୋଗା ରାୟଙ୍କ ନାତୁଣୀ କରିସ୍ମା ରାୟଙ୍କ ଭାଗ୍ୟ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ହେବ । ଏହାବ୍ୟତୀତ ପ୍ରଥମ ପର୍ଯ୍ୟାୟରେ ବିହାର ସରକାରର ୧୪ ଜଣ ମନ୍ତ୍ରୀ ଲଢ଼ୁଛନ୍ତି । ଏନ୍ଡିଏ ତରଫରୁ ବିଜେପିର ୪୮ ପ୍ରାର୍ଥୀ, ଜେଡିୟୁର ୫୭, ଏଲ୍ଜେପି (ଆର୍)ର ୧୪ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଯାଉଛି । ଅନ୍ୟପକ୍ଷରେ ମହାମେଣ୍ଟ ତରଫରୁ ଏହି ପର୍ଯ୍ୟାୟରେ ଆର୍ଜେଡିର ୭୩, କଂଗ୍ରେସର ୨୪, ସିପିଆଇ (ଏମ୍ଏଲ୍)ର ୧୪, ଭିଆଇପିର ୫, ସିପିଆଇ(ଏମ୍)ର ୩ ଓ ସିପିଆଇର ୫ ସମେତ ଆଇଆଇପିର ୩ ପ୍ରାର୍ଥୀ ବି ଦୌଡ଼ରେ ରହିଛନ୍ତି ।