ନୂଆଦିଲ୍ଲୀ,୧୪/୧୦: ବିହାର  ବିଧାନସଭା ନିର୍ବାଚନ ପାଇଁ ଆସନ  ବୁଝାମଣାକୁ ନେଇ ମହାମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ଯାହାଫଳରେ କଂଗ୍ରେସ  ରାଜ୍ୟର ସମସ୍ତ ୨୪୩ଟି ଆସନରେ ନିର୍ବାଚନ  ଲଢ଼ିବାକୁ ରଣନୀତି ପ୍ରସ୍ତୁତ କରୁଛି । ଏହି କାରଣରୁ ଦଳର କେନ୍ଦ୍ରୀୟ ନେତୃବୃନ୍ଦ ରାଜ୍ୟ ଶାଖାଠାରୁ ୨୪୩ଟି ଆସନରେ ସମ୍ଭାବ୍ୟ  ପ୍ରାର୍ଥୀଙ୍କ ତାଲିକା ମାଗିଛି ।

ରାଜଧାନୀ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‌ଗେଙ୍କ ବାସଭବନରେ ସୋମବାର  ରାତିରେ ସିଇସିର ଏକ ଜରୁରି ବୈଠକ ହୋଇଥିଲା । ବୈଠକରେ ସକିଲ ଅହମ୍ମଦ, ରାଜେଶ ରାମ, କୃଷ୍ଣା ଆଲାଭରୁ,  ନାସିର ହୁସେନ ଓ କେ.ସି ବେଣୁଗୋପାଳ  ପ୍ରମୁଖ ସାମିଲ ହୋଇଥିଲେ । କଂଗ୍ରେସ  ତାର ସମସ୍ତ ବଡ଼ ନେତାମାନଙ୍କୁ ଦିଳ୍ଲୀରେ ରହିବାକୁ ପରାମର୍ଶ ଦେଇଛି । ତେବେ ବୈଠକରେ କ'ଣ ନିଷ୍ପତ୍ତି ନିଆଯାଇଛି  ତାହା ସ୍ପଷ୍ଟ ହୋଇନାହିଁ । କୁହାଯାଉଛି କି  ବିହାର ପାଇଁ ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ  ୭୬ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିଛି । ଏହି  ତାଲିକାରେ ମୋହର ଲାଗିବା ପରେ  ସେମାନଙ୍କୁ ସର୍ତ୍ତ ନାମାଙ୍କନ ଦାଖଲ  କରିବାକୁ ଅନୁମତି ଦିଆଯିବ । ଅର୍ଥାତ  ଯଦି ବୁଝାମଣା ହୁଏ ତେବେ ଯେଉଁସବୁ  ଆସନ କଂଗ୍ରେସ ହାତକୁ ନଯିବ ସେଠାରୁ  ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିବେ ।  

ସେପଟେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ  ଯାଦବ, ପତ୍ନୀ ରାବ୍ରୀ ଦେବୀ ଓ ପୁଅ  ତେଜସ୍ୱୀ ଯାଦବ ଦିଲ୍ଲୀ ଯାଇଥିଲେ ।  ଆଇଆରସିଟିସି ମାମଲାରେ ସେମାନେ  କୋର୍ଟରେ ହାଜର ହେବାକୁ ଥିଲା । ଚର୍ଚ୍ଚା ହେଉଥିଲା କି ଦିଲ୍ଲୀରେ ସେମାନେ କଂଗ୍ରେସ  ଅଧ୍ୟକ୍ଷ ଖଡ୍‌ଗେ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟି ଆସନ ବୁଝାମଣା ଚୂଡାନ୍ତ କରିବେ ।  କିନ୍ତୁ ସେମାନେ କଂଗ୍ରେସ ନେତାଙ୍କୁ ଭେଟିନାହାନ୍ତି । କୋର୍ଟରେ ହାଜର ହେବା  ପରେ ସିଧାସଳଖ ପାଟନା ଫେରି ଆସିଛନ୍ତି ।  ପାଟନାସ୍ଥିତ ବାସଭବନରେ ପହଞ୍ଚିବା  ପରେ ଲାଲୁ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନ  ଚିହ୍ନ ବାଣ୍ଟିବା ଆରମ୍ଭ କରିଦେଇଛନ୍ତି ।  ବେଗୁସରାଇ ଜିଲ୍ଲାର ମଟିହାନି ଆସନରେ  ବାଗୋ ସିଂହଙ୍କୁ ଆରଜେଡି ଚିହ୍ନ ମିଳିଛି ।  ଭୋଜପୁରର ସନ୍ଦେଶ ଆସନରେ ଅରୁଣ  ଯାଦବଙ୍କ ପୁଅ ଦୀପୁ ଯାଦବଙ୍କୁ ଚିହ୍ନ  ଆବଣ୍ଟନ କରାଯାଇଛି । ସେହିଭଳି ପରବତା  ଆସନରୁ ସଞ୍ଜୀବ ସିଂହଙ୍କୁ ଦଳୀୟ ଚିହ୍ନ  ଦିଆଯାଇଛି । ସେ ନିକଟରେ ଜେଡିୟୁ  ଛାଡି ଆରଜେଡିରେ ସାମିଲ ହୋଇଥିଲେ ।  ବିଭିନ୍ନ ଆସନରେ ମନୋନୀତ ହୋଇଥିବା  ପ୍ରାର୍ଥୀମାନଙ୍କୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି  ପ୍ରାର୍ଥିପତ୍ର ଦାଖଲ କରିବାକୁ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି । କାରଣ ୧୭ ତାରିଖ  ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ।  

ଅନ୍ୟପକ୍ଷରେ କଂଗ୍ରେସ ଭିଆଇପି ମୁଖ୍ୟ  ମୁକେଶ ସାହାନୀଙ୍କୁ ଦିଲ୍ଲୀ ଡାକିଛି । ତାଙ୍କ  ସହ ଆସନ ବୁଝାମଣା କରିବାକୁ ଡକାଯାଇଛି  ଏବଂ ସେ ଦିଲ୍ଲୀରେ ମଧ୍ୟ ପହଞ୍ଚିଛନ୍ତି । କିନ୍ତୁ ଆରଜେଡି ଇତିମଧ୍ୟରେ ଭିଆଇପିକୁ ୧୮  ଆସନ ଦେବାକୁ ଘୋଷଣା କରିଛି । ତେବେ ଏଥିରେ ଆରଜେଡି ସର୍ତ୍ତ ରଖିଛି । ସର୍ତ୍ତ ଅନୁସାରେ ଭିଆଇପି ୮ ଆସନରେ ନିଜସ୍ୱ ପ୍ରାର୍ଥୀ ଦେବ ଏବଂ ବାକି ୧୦ ଆସନରେ  ଆରଜେଡି ନେତାମାନେ ଭିଆଇପି ଟିକଟରେ ଲଢ଼ିବେ । ତେବେ ଏଭଳି ସର୍ତ୍ତରେ ଭିଆଇପି  ରାଜି ହୋଇଛି କି ନାହିଁ ତାହା ଜଣାପଡିନାହିଁ ।