ନୂଆଦିଲ୍ଲୀ,୧୬/୦୯: ପୁଲିସ  ଥାନାରେ ସିସିଟିଭି କ୍ୟାମେରାର ଅଭାବ ସହ ଜଡ଼ିତ ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହି  ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ଦେଶର ସବୁ ଥାନାରେ ସିସିଟିଭି ଲଗାଇବା ଜରୁରି ।  ସେହିପରି ରେକର୍ଡିଂ ଯାଞ୍ଚ ଲାଗି କଣ୍ଟ୍ରୋଲ  ରୁମ୍‌ ଖୋଲିବା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ଏକ ଖବରକାଗଜରେ ପ୍ରକାଶିତ  ରିପୋର୍ଟ ଉପରେ କୋର୍ଟ ସ୍ୱତଃ ସଂଜ୍ଞାନ ନେଇ ଏହା କହିଛନ୍ତି । ଏଥିସହ ମାମଲାରେ  ରାୟକୁ ସଂରକ୍ଷିତ ରଖିଛନ୍ତି । ସେପ୍ଟେମ୍ବର ୨୬ରେ ଏଥିନେଇ ଚୂଡ଼ାନ୍ତ ରାୟ ଆସିବ ।  

ନିକଟରେ ‘ଦୈନିକ ଭାସ୍କର’ରେ ପ୍ରକାଶିତ ଏକ ଆଲେଖ୍ୟରେ ରାଜସ୍ଥାନରେ ବିଗତ  ୮ ମାସ ମଧ୍ୟରେ ପୁଲିସ କଷ୍ଟଡିରେ  ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ କରାଯାଇଥିଲା । ସେଥିମଧ୍ୟରୁ ଉଦୟପୁର  ଡିଭିଜନ୍‌ରେ କେବଳ ୭ ଜଣଙ୍କର ମୃତ୍ୟୁ  ହୋଇଥିଲା । ଏହାର ଶୁଣାଣି କରି ଜଷ୍ଟିସ୍‌  ବିକ୍ରମ ନାଥ ଓ ଜଷ୍ଟିସ୍‌ ସନ୍ଦୀପ ମେହତାଙ୍କ  ଖଣ୍ଡପୀଠ କହିଛନ୍ତି, ଏହି ମାମଲା  ହେଉଛି ଅନୁଧ୍ୟାନର । ଥାନାରେ ସିସିଟିଭି  ନଥିବାରୁ ଅନୁଧ୍ୟାନରେ ସମସ୍ୟା ହେଉଛି ।  ସେହିପରି ଥାନାରେ ସିସିଟିଭି ଲାଗିଲେ  ବି କାଲି ଅଧିକାରୀ କ୍ୟାମେରାକୁ ବନ୍ଦ  କରିପାରନ୍ତି । ଏପରିସ୍ଥଳେ ରେକର୍ଡିଂ ଯାଞ୍ଚ  ଲାଗି ଆମେ ଏମିତି ଏକ କଣ୍ଟ୍ରୋଲ ରୁମ୍‌  ଚାହୁଁଛୁ ଯେଉଁଥିଲେ ମାନବିକ ହସ୍ତକ୍ଷେପ  ସର୍ବନିମ୍ନ ରହିବ । ଆଇଆଇଟିଗୁଡି଼କୁ ସାମିଲ  କରି ଏଭଳି ସିଷ୍ଟମ ବନାଇବା ଉପରେ  ବିଚାର କରିହେବ । ସେମାନେ ଏମିତି  ଏକ ସଫ୍ଟୱେର ଦେବେ ଯେଉଁଥିରେ ପ୍ରତି  ସିସିଟିଭି ଫୁଟେଜ୍‌ର ଅନୁଧ୍ୟାନ କରିହେବ । କୌଣସି କ୍ୟାମେରା ବନ୍ଦ ହୋଇଗଲେ  ତୁରନ୍ତ କଣ୍ଟ୍ରୋଲ ରୁମ୍‌କୁ ସୂଚନା ମିଳିବ ।  ଏହି ଅନୁଧ୍ୟାନ ମାନବୀୟ ନ ହୋଇ  ପୂରାପୂରି କୃତ୍ରିମ ବୁଦ୍ଧିମତ୍ତା ଉପରେ ହେବାକୁ କୋର୍ଟ ଗୁରୁତ୍ୱାରୋପ କରିଥିଲେ ।

 ଏହାପୂର୍ବରୁ ୨୦୧୮ରେ ସୁପ୍ରିମକୋର୍ଟ  ମାନବାଧିକାର ଉଲ୍ଲଂଘନକୁ ରୋକିବାକୁ  ସବୁ ରାଜ୍ୟକୁ ପୁଲିସ ଥାନାରେ ସିସିଟିଭି  ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ।  ପରବର୍ତ୍ତୀ ସମୟରେ ୨୦୨୦ରେ ସିବିଆଇ,  ଇଡି, ଏନ୍‌ଆଇଏ ଭଳି ତଦନ୍ତକାରୀ  ଏଜେନ୍ସିର ଅଫିସ୍‌ରେ ମଧ୍ୟ କ୍ୟାମେରା  ଲଗାଯିବା କଥା କହିଥିଲେ । ତେବେ  ଅଦ୍ୟାବଧି କିଛି ରାଜ୍ୟ ନିଜର ପୁଲିସ  ଥାନାରେ କ୍ୟାମେରା ଲଗାଇଥିବା ବରିଷ୍ଠ  ଓକିଲ ତଥା ଏହି ମାମଲାରେ ଆମିକସ୍‌  କ୍ୟୁରି ସିଦ୍ଧାର୍ଥ ଦାଭେ ଦର୍ଶାଇଥିଲେ।