ନୂଆଦିଲ୍ଲୀ,୨୧/୦୯ : ଲୋକପ୍ରିୟ ଆସାମ ତଥା ବଲିଉଡ୍ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲା ଏକ ନୂଆ ମୋଡ଼ ନେଇଛି । ତାଙ୍କ ପାର୍ଥିବ ଶରୀର ଆଜି (ରବିବାର) ସିଙ୍ଗାପୁରରୁ ଆସାମ ଗୌହ୍ୱାଟିରେ ପହଞ୍ଚିଛି । ତାଙ୍କୁ ଶୋକାକୁଳ ବିଦାୟ ଦେଇଛନ୍ତି ଫ୍ୟାନ୍ସ ଓ ପରିବାର । ଅନ୍ତିମ ଦର୍ଶନ ପରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଜୁବୀନଙ୍କ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜରଙ୍କ ନାମରେ ଏଫଆଇଆର ଦାୟର ହୋଇଛି । ଯାହାର ତଦନ୍ତ ଭାର ସିଆଇଆଡିକୁ ହସ୍ତାନ୍ତର କରିଛନ୍ତି ଆସାମ ସରକାର ।
ଜୁବୀନ ହଂକଂ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାରେ ଯୋଗ ଦେବାକୁ ସିଙ୍ଗାପୁର ଯାଇଥିଲେ । କିନ୍ତୁ ସେଠାରେ ସ୍କୁବା ଡାଇଭିଂ କରିବା ବେଳେ ଦୁର୍ଘଟଣାର ଶିକାର ହୋଇ ଆଖି ବୁଜିଛନ୍ତି । ଜୁବୀନଙ୍କ ମୃତ୍ୟୁ ପରେ ଫେଷ୍ଟିଭାଲ ଆୟୋଜକ ଶ୍ୟାମକାନୁ ମହନ୍ତ ଓ ମ୍ୟାନେଜର ସିନ୍ଧାନ୍ତ ଶର୍ମାଙ୍କ ବିରୋଧରେ ଅଭିଯୋଗ ହୋଇଛି । ଫଳରେ ଆସାମ ସରକାର ତଦନ୍ତ ଦାୟିତ୍ୱ ସିଆଇଡିକୁ ହସ୍ତାନ୍ତର କରିଛନ୍ତି । ୫୨ ବର୍ଷୀୟ ଜୁବୀନଙ୍କ ଅନ୍ତିମ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେ ଲାଇଫ୍ ଜ୍ୟାକେଟ ପିନ୍ଧି ପାଣିକୁ ଡେଉଁଥିବାର ଦେଖାଯାଇଛି । ଡାଇଭିଂ କରିବା ସମୟରେ ସେ ପ୍ରାଣ ହରାଇଥିଲେ । ଏହା ପରେ ତାଙ୍କୁ ପାଣିରୁ ବାହାର କରାଯାଇ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସିଙ୍ଗାପୁରରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମାମଲାର ତଦାରଖ କରୁଛନ୍ତି ।
ଜୁବୀନ ଗର୍ଗ ଆସାମ, ନେପାଳୀ ସମେତ ଅନ୍ୟ ଆଞ୍ଚଳିକ ସିନେମାରେ ଗୀତ ଗାଇଛନ୍ତି । ବଲିଉଡରେ ବହୁ ହିଟ୍ ଗୀତ ଗାଇଛନ୍ତି । ଗ୍ୟାଙ୍ଗଷ୍ଟାର ଫିଲ୍ମର 'ୟା ଅଲି', ହ୍ରିତିକ ରୋଶନଙ୍କ ଅଭିନୀତ କ୍ରିସ ୩ର 'ଦିଲ ତୁହି ବତା', ଓ ପ୍ୟାର କା ସାଇଡ ଇଫେକ୍ଟ ସିନେମାର 'ଜାନେ କ୍ୟା ଚାହେ ମନ' ଭଳି ଗୀତ ଗାଇ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ୪୦ ଭାଷାରେ ୩୮ ହଜାର ଗୀତ ଗାଇଛନ୍ତି