ଆମ ରାଜ୍ୟରେ ଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୁଏ, ପୂଜା ଆସିଗଲେ ଗାଁଠାରୁ ସହର ଚାରିଆଡ଼େ ସରଗରମ ବାତାବରଣ । ସମସ୍ତେ ବ୍ୟସ୍ତ, ଯାହା ପାଖରେ ଧନ ଅଛି ସିଏ ପରିବାରକୁ ଖୁସି ରଖିବାପାଇଁ ଦୈନିକ କିଣାକିଣିରେ ବ୍ୟସ୍ତ ରୁହେ । ଯାହା ପାଖରେ ଧନ ନାହିଁ ସେ ନିଜର ପରିବାରକୁ କିପରି ଖୁସିରେ ରଖିପାରିବ ଧାର ଉଧାର ପାଇଁ ୟା ଦ୍ୱାର ତା' ଦ୍ୱାର ହେବାରେ ବ୍ୟସ୍ତରେ ସମୟ ଯାଏ । ଯାର ଦେହରେ ବଳ ଅଛି ସିଏ ଧମକ ଚମକ ସୃଷ୍ଟିକରି ଗୁଳିଭର୍ତ୍ତି ବନ୍ଧୁକ ଲଗାଇ ବଟି ଆଦାୟ କରିବାରେ ବ୍ୟସ୍ତ ରୁହେ, ଯାହାର ମୁଣ୍ଡରେ ବୁଦ୍ଧିଅଛି ସିଏ ଧର୍ମର ବନ୍ଧୁକ ଲଗାଇ ଚାନ୍ଦା ଆଦାୟ କରିବାରେ ବ୍ୟସ୍ତ ରୁହେ । ମୋଟାମୋଟି କହିବାକୁ ଗଲେ, ଏ ପାର୍ବଣ ଋତୁ ଆସିଗଲେ ସମସ୍ତେ ବ୍ୟସ୍ତ ରହିବାଟା ସାଧାରଣ ପ୍ରକ୍ରିୟାରେ ପରିଣତ ହୋଇଯାଏ । ବଟି ଆଉ ଚାନ୍ଦାର ସଂଜ୍ଞା ଯେତେବେଳେ ଏକ ହୋଇଯାଏ ସେତେବେଳେ ସାଧାରଣ ଜନତାଙ୍କର ବଞ୍ଚିବା କଷ୍ଟକର ହୋଇପଡ଼େ । ସରକାର ବଟି ଏବଂ ଚାନ୍ଦାକୁ ବେଆଇନ ଘୋଷଣା କରିଥିଲେ ବି ଏହା ଦିନଦିପହରେ ସରକାରଙ୍କ ନାକତଳେ ବେଧଡ଼କ ଚାଲେ । ସରକାର ହେଲ୍ପଲାଇନ ନମ୍ବର ଦେଇ ପ୍ରଶାସନ ଘୋଷଣା କରନ୍ତି- ଯଦି କିଏ ଜୋରଜବରଦସ୍ତ ଚାନ୍ଦା ମାଗୁଛି ତମେ ପ୍ରଶାସନକୁ ଫୋନ କର । ଭାଇ ପ୍ରଶାସନ ସିନା ଜାଣି ଅଜଣା ହୁଏ, ହେଲେ ଯେଉଁମାନେ ଚାନ୍ଦାରୂପକ ବଟି ଆଦାୟ କରୁଛନ୍ତି ସେମାନେ ଅସାମାଜିକ ଚାରିଦଉଡ଼ି କଟା ବୋଲି ସାଧାରଣ ଜନତା ପରା ସେମାନଙ୍କୁ ଭଲଭାବରେ ଜାଣିଛନ୍ତି । ଆଜି ସିନା ଫୋନ କରିଦେବ, କାଲି ସେ ଲୋକ ସାହିବସ୍ତିରେ ଚଳିପାରିବ ତ? ଆଉ ଫୋନ କରିବାପରେ ଯେଉଁ ପୁଲିସ ଆସିବ ସିଏ ପରା ଚାନ୍ଦା ନେବାରେ ଏମାନଙ୍କ ବୋପା । ମହରଗରୁ ଯାଇ କାନ୍ତାରରେ ପଡ଼ିବା ସାର ହେବ, ତେଣୁ ଚାନ୍ଦା ଦେଇ ଦେଇ ଚନ୍ଦା ହେଲା ପରେ ବି ସାଧାରଣ ଲୋକଟି ନିରବ ରହିବାକୁ ବାଧ୍ୟ ହୁଅନ୍ତି ।
ଯେଉଁ କମିଟିର ମୁଖିଆ ଭଲ ଚାନ୍ଦା ଆଦାୟ କରେ ସିଏ ଭଲ ନେତାଟିଏ ହୋଇଯାଏ, ସବୁ ଚାନ୍ଦାର ମୂଳରେ ନେତା । ମୁଁ କହିଲି ତୁ ସେ ନେତାଙ୍କ ଚାନ୍ଦା ଆଦାୟ କଥା ଛାଡ଼ି କହ ଆମେ ଏ ମହରଗ ବଜାରେ କିପରି ଚାନ୍ଦା ଆଦାୟକାରୀ ଅସାମାଜିକଙ୍କ କବଳରୁ ବଞ୍ଚିବା । ଖତୁଆ ଏବେ ମୁରୁକି ହସିଦେଇ କହିଲା, ସବୁ ଚାନ୍ଦାର କେନ୍ଦ୍ରସ୍ଥଳୀର ସ୍ଥଳାଧିପତି ତ ନେତା । ଯେଉଁ ପୂଜା କମିଟି ଯେତେ ଅଧିକ ଚାନ୍ଦା ଆଦାୟ କରିବ ସେ ପୂଜା କମିଟି ସେତେ ଧୁମ୍ଧାମରେ ପୂଜା କରିବ । ଆଉ ସେ ପୂଜା କମିଟିର ଚାନ୍ଦା ଆଦାୟକାରୀ (ଅସାମାଜିକ)ଙ୍କୁ ଆଞ୍ଚଳିକ ନେତା ନିଜ ଦଳରେ ରଖି ଚାନ୍ଦାମଗା କାର୍ଯ୍ୟରେ ନିୟୋଜିତ କରନ୍ତି । ମୁଁ କହିଲି, ପାଗର ପରିବର୍ତ୍ତନ ପରି ଜନସଂଖ୍ୟା ବୃଦ୍ଧି ଫଳରେ ବେରୋଜଗାର ବୃଦ୍ଧିପାଇଛି । ବେକାରୀଙ୍କ ସଂଖ୍ୟା ବୃଦ୍ଧି ହେତୁ ଆର୍ଥିକ ସଂକଟ ଦେଖାଦେଇଛି । ଏବେ ଯେଉଁ ଚାନ୍ଦିମେଢ଼, ସୁନାମେଢ଼ ଆଖିଦୃଶିଆ ତୋରଣ ହେଉଛି ସବୁ ଚାନ୍ଦା ଓ ବଟି ପଇସାରେ ସମ୍ଭବ ହେଉଛି । କିଛି ପୂଜା ମଣ୍ଡପର ମୁଖିଆମାନଙ୍କ ପରିବାର ଏଇ ଚାନ୍ଦା ପଇସାରେ ଚଳନ୍ତି । ମୁଖିଆମାନେ ବାତେରା ଛତରା ଏବଂ ଚାରି ଦଉଡ଼ି କଟାମାନଙ୍କୁ ଟ୍ରେନିଂ ଦେଇ ମାର୍କେଟକୁ ଛାଡ଼ନ୍ତି ଚାନ୍ଦା ଟଙ୍କାରୁ କିଛି ଟଙ୍କା ମଦ ମାଂସ ଖାଇ ଉତ୍ସାହ ପ୍ରଦାନ କରନ୍ତି । ଏମାନେ ସାଧାରଣତଃ ଭଡ଼ାଟିଆମାନଙ୍କୁ ଭୟ ଦେଖାଇ ଜୁଲମ କରି ମୋଟା ଅଙ୍କର ଚାନ୍ଦା ଆଦାୟ କରିଥାନ୍ତି । ଏହି ପୂଜା ପାର୍ବଣରେ ଚାନ୍ଦା ଆଦାୟ କରୁଥିବା ଟୋକା ପରବର୍ତ୍ତୀ ସମୟରେ ବଟି ଆଦାୟକାରୀ ଗୁଣ୍ଡା ଭାବରେ ନିଜକୁ ପ୍ରତିଷ୍ଠିତ କରିଥାନ୍ତି । ଅଭାବରୁ ସ୍ୱଭାବ ନଷ୍ଟରୁ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ କରି ଧୃତମାନବମାନେ ରୋଜଗାରର ଶୀର୍ଷରେ ପହଞ୍ଚି ଜିରୋରୁ ହିରୋ ହୋଇପାରୁଛନ୍ତି । ଖତୁଆ କହିଲା, ଯେଉଁମାନେ ସରକାରୀ ଚାକିରି କରିଛନ୍ତି ସେମାନେ ତ ଅଭାବରେ ନାହାନ୍ତି? ସେମାନେ କିଆଁ ସ୍ୱଭାବ ନଷ୍ଟକରି ବଟିରୂପକ ଲାଞ୍ଚ ନପାଇଲେ ଫାଇଲଗୁଡ଼ାକୁ ପକ୍ଷାଘାତ ରୋଗୀ ସଜାଇ ଆଲମାରୀର ଗୋଟିଏ କୋଣରେ ପକାଇ ରଖୁଛନ୍ତି । ଆଉ ବଟି ପାଇଗଲା ପରେ ଏମିତି କି ଇଞ୍ଜେକ୍ସନ ଦିଅନ୍ତି କେଜାଣି ପକ୍ଷାଘାତରେ ପୀଡ଼ିତ ଫାଇଲ ଘୋଡ଼ା ପରି ଦୌଡ଼େ?
ଅଭାବୀ ଅପେକ୍ଷା ଭାବୀମାନେ ଏବେ ବେଶି ସ୍ୱଭାବ ନଷ୍ଟକାରୀ ଦୃଷ୍ଟିଗୋଚର ହେଉଛନ୍ତି । ଆଉ ଏଇମାନଙ୍କ ଯୋଗୁଁ ସମାଜରେ ଚାନ୍ଦାରୁପକ ବଟି ବେଶ୍ ପତିଆରା ଦେଖାଇଥାନ୍ତି । ମୁଁ କହିଲି, ଏଇ କିଛିଦିନ ହେଲା ମୁଁ ଦେଖୁଛି ଭିଜିଲାନ୍ସ କେତେ ସରକାରୀ ଅଧିକାରୀଙ୍କ ଘରୁ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠାବ କରୁଛନ୍ତି । ଖତୁଆ କହିଲା- ଭାଇ, ସାରୁ ଭିତରେ ମାରୁ ତ ନିଶ୍ଚୟ ଅଛି । ମୁଁ କହିଲି- ମାନେ? ଖତୁଆ କହିଲା- ସବୁ ସେଇ ଚାନ୍ଦାର କରାମତି । ଖତୁଆ ସ୍ମିତ ହସି କହିଲା- ସବୁ ଜାଗାରେ ଲାଞ୍ଚ ଚାଲୁଥିବାବେଳେ କାହିଁକି କିଛି ନିର୍ଦ୍ଦିଷ୍ଟ କିରାଣି କିମ୍ବା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି? ମୁଁ କାରଣ ପଚାରିବାରୁ ଖତୁଆ କହିଲା- ମୁଁ ଯଦି ଏକଥା କହିବି କାଲି ମୋତେ ବି ମିଛ କେସ୍ରେ ଜେଲଖାନାର ଅତିଥି ହେବାକୁ ପଡ଼ିବ । ତମକୁ ତ ଶୁଣାଇଲେ ଅମୁକ ଇଞ୍ଜିନିୟର ଘରୁ ଏତେ କୋଟି ବାହାରିଲା, ସମୁକ ଅଧିକାରୀଙ୍କ ଘରୁ ଏତେ କୋଟି ଟଙ୍କା ବାହାରିଲା, କେବେ ଶୁଣିଛ କି ପିଅନ, କିରାଣି, ଅଧିକାରୀ ଓ ଯନ୍ତ୍ରୀଙ୍କୁ ଧରିଥିବା ଭିଜିଲାନ୍ସ ବାବୁମାନେ କେବେ ବିଭାଗୀୟ ମନ୍ତ୍ରୀଙ୍କୁ ଧରିଛନ୍ତି କି? ଉତ୍ତର ଆସିବ- ନା, କେବେ ନୁହେଁ । ଖତୁଆ କହିଲା- ଆଚ୍ଛା କହିଲ ଭାଇ, ଆମ ସରକାର ଏ ବେସରକାରୀ ଡିଲରଙ୍କୁ କାହିଁକି ଏତେ ପ୍ରାଧାନ୍ୟ ଦେଉଛନ୍ତି? ମୁଁ ବି ଗମାତ କରି କହିଲି- ସରକାରୀ ହେଉ କି ବେସରକାରୀ ହେଉ, ସବୁ କିନ୍ତୁର ଫିନ୍ତୁ ତମ ପାଖରେ ଅଛି । ସେଇଥିପାଇଁ ତ ତମକୁ ଲୋକ କୁହନ୍ତି ଆମ ରାଜ୍ୟର ନାରଦ ବୋଲି! ଖତୁଆ ଫେଁ କରି ହସିଦେଇ କହିଲା- ନାରଦ କ’ଣ କେବଳ କଳି ଲଗାନ୍ତି? ନାରଦଙ୍କୁ ସବୁ ସମସ୍ୟାର ସମାଧାନ ମାଲୁମ ଥିଲା ଏବଂ ସମସ୍ତଙ୍କ ପାଖରେ ସଠିକ୍ ସମାଚାର ପହଞ୍ଚାଇବାର କର୍ତ୍ତବ୍ୟ ତାଙ୍କ କାନ୍ଧ ଉପରେ ନ୍ୟସ୍ତ ଥିଲା । ହେଲେ ମୁଁ ବୁଝିପାରେନାହିଁ ଲୋକମାନେ ତାଙ୍କୁ କଳିହା ନାରଦ କାହିଁକି କୁହନ୍ତି? ମୁଁ କହିଲି, ସେ ନାରଦଙ୍କ କଥା ଛାଡ଼ି ମୂଳ ପ୍ରସଙ୍ଗକୁ ଆସି କୁହ ସରକାର କାହିଁକି ବେସରକାରୀ ଡିଲରମାନଙ୍କୁ ପ୍ରାଧାନ୍ୟ ଦେଉଛନ୍ତି? ଖତୁଆ କହିଲା- ତେବେ ଶୁଣ, କେବଳ ଚାନ୍ଦା ଆଦାୟ ପାଇଁ ଏସବୁ ନାଟକବାଜି । ଆଉ ଗୋଟେ ମଜା କଥା ଶୁଣ "ଭ୍ରଷ୍ଟାଚାର ବିରୁଦ୍ଧରେ ଜଣେ ଆନ୍ଦୋଳନକାରୀର ରାସନ କାର୍ଡରେ ତିନିଜଣ ପିଲା, ବାପା, ମାଆ ଏବଂ ସ୍ତ୍ରୀକୁ ମିଶାଇ ସାତଜଣଙ୍କ ପାଇଁ ପ୍ରତିମାସରେ ମାଗଣା ରାସନ ନେଉଛି ଶୁଣି ଭ୍ରଷ୍ଟାଚାର ଆନ୍ଦୋଳନର ଅଧ୍ୟକ୍ଷ ତାକୁ ଡାକି କହିଲେ- ତୁ ଏଡ଼େ ବୋକା! ବାପା, ମାଆ, ସ୍ତ୍ରୀକୁ ସିନା ବଢ଼ାଇ ପାରିବୁନି, ପିଲା ତିନି ଜାଗାରେ ସାତ ଲେଖିଥିଲେ ତୁ ମାସିକ ୧୧ଜଣଙ୍କର ରାସନ ମାଗଣା ପାଇଥାନ୍ତୁ । ଆରେ ବାବା, ମୁଁ ବି ସେୟା କରି ୧୧ଜଣଙ୍କର ମାଗଣା ରାସନ ପାଉଛି । ଆନ୍ଦୋଳନକାରୀ ଜଣକ ହସି କହିଲେ, ଆଜ୍ଞା ମୁଁ କ’ଣ ଆପଣଙ୍କ ସହିତ କମ୍ପିଟେସନ କରି ଛୁଆ ନାଁ ଲେଖିପାରିବି? ଅଧ୍ୟକ୍ଷ କହିଲେ କାହିଁକି? ସେ କହିଲେ ଆପଣ ବିବାହିତ ହେଲେ ମୁଁ ପରା ଅବିବାହିତ, ପିଲାଦିନୁ ବାପା ମରିଥିଲେ, ତିନିବର୍ଷ ହେଲା ମାଆ ମୃତ । ଅଧ୍ୟକ୍ଷ କହିଲେ ସତରେ ମୁଁ ବୋକା ଆଉ ତୁମେ ଧୃତ । ଖତୁଆଠାରୁ ମୁଁ ଏତକ ଶୁଣି କହିଲି, ଏଥିରେ ଚାନ୍ଦାର ପ୍ରସଙ୍ଗିକତା ରହିଲା କୋଉଠି? ଖତୁଆ କହିଲା, ଟିକେ ପ୍ରସଙ୍ଗଟିକୁ ଭଲଭାବରେ ଅନୁଧ୍ୟାନ କରନ୍ତୁ ଜାଣିପାରିବେ ।
ଏଠି କେବଳ ଚାନ୍ଦା ପାଇଁ ସବୁ ନାଟକ । ଦେଖନ୍ତୁ ଯେତେ ସବୁ ଆନ୍ଦୋଳନ ହେଉଛି ସମସ୍ତ ଆନ୍ଦୋଳନକାରୀଙ୍କ ମୁଖ୍ୟ ଲକ୍ଷ୍ୟ ହେଲା ଚାନ୍ଦା ଆଦାୟ । ଅର୍ଥାତ୍ ଯାହା ବିରୁଦ୍ଧରେ ଆନ୍ଦୋଳନ କରନ୍ତି ତା’ଠାରୁ ଚାନ୍ଦା ଆଦାୟ କରିବା ତାଙ୍କର ମୂଳ ଲକ୍ଷ୍ୟ । ଅତୀତରେ ଯିଏ ବସ୍ତିବାସିନ୍ଦାଙ୍କ ଦେବଦୂତ କହି ନିରୀହ ଲୋକଙ୍କଠାରୁ ଚାନ୍ଦା ଆଦାୟ କରି ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରି ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରୁଥିଲା, ତାର ମୁଖ୍ୟ ଲକ୍ଷ୍ୟ ଥିଲା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା । ଯେତେବେଳେ ସରକାର ତାଙ୍କୁ ଦଳକୁ ନିମନ୍ତ୍ରଣ କରି ରାଜ୍ୟସଭା ସଦସ୍ୟ ବା ବିଧାନସଭା ଟିକେଟ ଦେଇଦେଲେ, ସେହି ବସ୍ତିବାସିନ୍ଦାଙ୍କ ଦେବଦୂତ ବସ୍ତିବାସିନ୍ଦାଙ୍କୁ ପଛୁଆ ଠିଆ ଗୋଇଠା ମାରି କମ୍ପାନି, ପୁଞ୍ଜିପତି ତଥା ଠିକାଦାରଙ୍କ ତାରଣକର୍ତ୍ତା ସାଜି ତାଙ୍କଠାରୁ ଚାନ୍ଦା ଆଦାୟ କଲେ । ମୋଟାମୋଟି ଭାବରେ କହିବାକୁ ଗଲେ, ଏମାନେ ଚାନ୍ଦା ଆଦାୟ କରି ନେତା ସାଜନ୍ତି ଏବଂ ନେତା ହେବାପରେ ଖାଲି ଚାନ୍ଦା ହିଁ ଚାନ୍ଦା ଆଦାୟ କରନ୍ତି । ମୁଁ କହିଲି- ଚାନ୍ଦା ଏ ଦୁନିଆକୁ କରୁଛି ଚନ୍ଦା ।