ଭୁବନେଶ୍ବର, ୨୪/୧୦ :  ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଦେହାନ୍ତକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ତାଙ୍କର ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ ।  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣ କମଳରେ ତାଙ୍କ  ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି। ଓଁ ଶାନ୍ତି।

ସୂଚନାଯୋଗ୍ୟ ଯେ, ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ୮୧ ବର୍ଷ ବୟସରେ ଆଖି ବୁଜିଛନ୍ତି । ୧୯୮୫ରେ କବିତା ଶୈଳକଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି ।

୧୯୪୪ ଜୁନ୍ ୨୪ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ବତଲଗା ଗାଁରେ କବି ରାଜେନ୍ଦ୍ର କିଶୋର ପଣ୍ଡା ଜନ୍ମଗ୍ରହଣ କରିଥିଲେ ।ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ । ୧୯୪୭ରେ ଶ୍ରୀ ପଣ୍ଡାଙ୍କର ପ୍ରଥମ କବିତା ସଂଗ୍ରହ ‘ଗୌଣ ଦେବତା’ ପ୍ରକାଶିତ ହୋଇଥିଲା। ତାଙ୍କର ୧୬ଟି କବିତା ସଂକଳନ ପ୍ରକାଶ ପାଇଛି । ସେ ଦୁଇଟି ଉପନ୍ୟାସର ବି ରଚୟିତା । ରାଜେନ୍ଦ୍ର କିଶୋର ପଣ୍ଡା ୧୯୬୭ରୁ ୨୦୦୪ ଯାଏ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ ଦାୟିତ୍ବ ନିର୍ବାହ କରିଥିଲେ ।