ନୂଆଦିଲ୍ଲୀ,୨୮/୧୦: ଚୀନ୍‌ ନୂଆ ଚାଲବାଜି।ସୀମାକୁ ଭାରତକୁ ଚକମା ଦେବାକୁ ଷଡ଼ଯନ୍ତ୍ର କରୁଛି ଡ୍ରାଗନ। ତିବତସ୍ଥିତ ଲ୍ୟୁଞ୍ଜ୍‌ ବାୟୁସେନା ଘାଟି ପାଖରେ ୩୬ ମଜଭୁତ ବିମାନ ରହଣି ସ୍ଥଳ ନିର୍ମାଣ କରିଛି । ଏଥିସହ ନୂଆ ପ୍ରଶାସନିକ କମ୍ପେ୍ଲକ୍ସ ଏବଂ ଏକ ନୂଆ ଆପ୍ରନ୍‌ ବି ନିର୍ମାଣ  କରିଛି । ଏହା ମ୍ୟାକ୍‌ମୋହନ ରେଖାଠାରୁ ପ୍ରାୟ  ୪୦ କିଲୋମିଟର ଉତ୍ତରରେ ରହିଛି, ଯାହା  ଅରୁଣାଚଳ ପ୍ରଦେଶ କ୍ଷେତ୍ରରେ ଭାରତ ଓ  ଚୀନ୍‌ ମଧ୍ୟବର୍ତ୍ତୀ ସୀମା (ପ୍ରକୃତ ନିୟନ୍ତ୍ରଣରେଖା  ବା ଏଲ୍‌ଏସି) ନିକଟରେ ରହିଛି ।

ଚୀନ୍‌ ଯେଉଁ ବିମାନ ରହଣି ସ୍ଥଳ ନିର୍ମାଣ  କରିଛି, ତାହା ଅରୁଣାଚଳର ତୱାଙ୍ଗ ସହରଠାରୁ  ମାତ୍ର ୧୦୭ କିଲୋମିଟର ଦୂରରେ ରହିଛି ।  ଏହାଦ୍ୱାରା ଭାରତକୁ ଟାର୍ଗେଟ୍‌ କରି ଚୀନ୍‌ ନିଜ ଯୁଦ୍ଧ ବିମାନ ଶୀଘ୍ର ମୁତୟନ କରିପାରିବ ।  ଏଥିସହ ଅସ୍ତ୍ର ଭଣ୍ଡାରରୁ ଖୁବ କମ୍‌ ସମୟରେ  ଅସ୍ତ୍ରଶସ୍ତ୍ର ପରିବହନ କରିପାରିବ । ଚଳିତମାସ  ୧୭ ତାରିଖରେ ଲ୍ୟୁଞ୍ଜ୍‌ ବାୟୁସେନା ଘାଟିରୁ  ନିଆଯାଇଥିବା ଫଟୋରେ ୩୬ ବିମାନ ରହଣି  ସ୍ଥଳର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା  ଦେଖିବାକୁ ମିଳିଛି । ଏହାଛଡ଼ା ଭୂତଳ  ସୁଡ଼ଙ୍ଗରେ ଏହା ବିପୁଳ ମାତ୍ରାର ଗୋଳାବାରୁଦ  ମଧ୍ୟ ମହଜୁଦ ରଖିଛି ।

ଏ ନେଇ ଏୟାର ଚିଫ୍‌ ମାର୍ଶଲ  (ଅବସରପ୍ରାପ୍ତ) ତଥା ପୂର୍ବତନ ବାୟୁସେନା  ମୁଖ୍ୟ ବି ଏସ୍‌ ଧନୋଆ କହିଛନ୍ତି, ଚୀନ୍‌ର  ଏଭଳି କାର୍ଯ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ  ପରବର୍ତ୍ତୀ ସମୟରେ ଯଦି କୌଣସି ବିବାଦ  ଘଟେ, ତେବେ ଚୀନ୍‌ ଏହି ଲ୍ୟୁଞ୍ଜ୍‌ଠାରେ ନିର୍ମିତ  ବିମାନ ଘାଟିକୁ ହିଁ ବ୍ୟବହାର କରିବ । ଏଠାରେ  ଏହା ଟାକ୍ଟିକାଲ ଯୁଦ୍ଧ ବିମାନ ଏବଂ ହେଲିକପ୍ଟର  ମୁତୟନ କରିବ । ଏହାଛଡ଼ା ବହୁ ଆଗରୁ ଚୀନ୍‌  ଭୂତଳ ସୁଡ଼ଙ୍ଗରେ ବିପୁଳ ମାତ୍ରାର ଅସ୍ତ୍ରଶସ୍ତ୍ର ଓ  ଇନ୍ଧନ ଗଛିତ ରଖିଛି । ୨୦୧୭ରେ ଡୋକଲାମ  ବିବାଦ ବେଳେ ମୁଁ ନିଜ କର୍ମଚାରୀଙ୍କୁ ଏ ନେଇ  ସତର୍କ କରାଇଥିଲି । ତିବତରେ ଚୀନ୍‌ ଯେଉଁ  ବିମାନ ରହଣି ସ୍ଥାନ ନିର୍ମାଣ କରୁଛି, ତାହା  କେବଳ ବିମାନ ରଖିବାକୁ ଉଦ୍ଦିଷ୍ଟ ନୁହେଁବରଂ ଯୁଦ୍ଧ ବିମାନ ମୁତୟନ ଲାଗି ଏହା ନିର୍ମାଣ  ହେଉଛି । ସଦ୍ୟ ଫଟୋଗୁଡ଼ିକରୁ ତାହା ସତ୍ୟ  ପ୍ରମାଣିତ ହୋଇଛି ।

ସେହିଭଳି ବାୟୁସେନାର ପୂର୍ବତନ  ଉପମୁଖ୍ୟ ଏୟାର ମାର୍ଶଲ ଅନିଲ ଖୋସଲାଙ୍କ  ମତରେ ଭାରତ ପାଇଁ ଏହା ଏକ ସାଙ୍ଘାତିକ  ରଣନୀତିକ ବିପଦ ଭାବେ ଉଭା ହୋଇଛି ।  ସେମାନେ ଭବିଷ୍ୟତରେ ହୁଏତ କୌଣସି  ଆକ୍ରମଣ ଯୋଜନା କରୁଥାଇ ପାରନ୍ତି । ସଦ୍ୟ  ଭୂ-ରାଜନୈତିକ ବିବାଦ ପରିପ୍ରେକ୍ଷୀରେ ଚୀନ୍‌  ଏଭଳି ପଦକ୍ଷେପ ନେଇଛି । ୨୦୨୦ ଗଲୱାନ  ଘାଟିରେ ରକ୍ତାକ୍ତ ସଙ୍ଘର୍ଷ ପରେ ଚୀନ୍‌ ଲଗାତର  ଭାବେ ଏହାର ଅସ୍ତ୍ରଶସ୍ତ୍ର କ୍ଷମତା ବଢ଼ାଉଛି ।  ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ଉପରେ ବି  ଗୁରୁତ୍ୱ ଦେଉଛି । ଲ୍ୟୁଞ୍ଜ୍‌ ବିମାନ ରହଣି  ସ୍ଥଳ ଆଞ୍ଚଳିକ ସ୍ଥିରତାକୁ ପ୍ରଭାବିତ କରିବ ।  ପୂର୍ବରୁ ଏଲ୍‌ଏସିଠାରୁ ୫୦-୧୫୦ କିଲୋମିଟର  ଭିତରେ ଟିଙ୍ଗ୍ରି, ଲ୍ୟୁଞ୍ଜ୍‌ ଓ ବୁରାଙ୍ଗଠାରେ ଚୀନ୍‌ର  ବାୟୁସେନା ଘାଟି ରହିଛି । ଏହାଦ୍ୱାରା ପିପୁଲ୍ସ  ଲିବରେସନ ଆର୍ମି (ପିଏଲ୍‌ଏ) ତୁରନ୍ତ ବିମାନ  ଓ ଅସ୍ତ୍ରଶସ୍ତ୍ର ମୁତୟନ କରିପାରିବ ।