ଭୁବନେଶ୍ୱର/ଚନ୍ଦକା,୧୦/୧୦: ରାଜଧାନୀ  ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ ଦଣ୍ଡ ହୋଇଛି । ମାତ୍ର  ୩୭ ଦିନରେ ଏହି ମାମଲାର ରାୟ ପ୍ରକାଶ ପାଇଛି । ଗୁରୁବାର ଚତୁର୍ଥ ଅତିରିକ୍ତ ଜିଲ୍ଲା ଏବଂ ଦୌରାଜଜ୍‌ କମ୍‌ ସ୍ପେସିଆଲ  ଜଜ୍‌(ପୋକ୍‌ସୋ) ଶୁଭଞ୍ଜନ ମହାନ୍ତି ଚନ୍ଦକା ଥାନାର ଏହି ନାବାଳିକା  ଦୁଷ୍କର୍ମ ମାମଲାର ବିଚାର କରି ଆସାମୀ ଭରତପୁରର ମୁନା ବେହେରା(୩୩)କୁ ଏହି ଦଣ୍ଡାଦେଶ ଦେଇଛନ୍ତି ।  

ମାମଲାରୁ ପ୍ରକାଶ, ଗତ ଅଗଷ୍ଟ ୩୧ ତାରଖ ରବିବାର  ପୀଡ଼ିତା ନାବାଳିକା(୧୩ ବର୍ଷ) ଖୁଦୁରୁକୁଣୀ ଓଷା ପାଇଁ  ନିକଟସ୍ଥ ଜଣଙ୍କ ଘରକୁ ଯାଇଥିଲେ । ନାବାଳିକା ସେଠାରେ ବୁଲାବୁଲି କରୁଥିବା ବେଳେ ମୁନା ତାଙ୍କୁ ନିକଟସ୍ଥ ଏକ ନିର୍ମାଣାଧୀନ ବିଲ୍ଡିଂକୁ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । କାହାରିକୁ କହିଲେ ବାପା-ମା’ଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ନାବାଳିକା ଘରକୁ ନ ଫେରିବାରୁ ତାଙ୍କ ମା’ ଖୋଜାଖୋଜି କରିଥିଲେ । ବହୁ ସମୟ ପରେ ସେ ନାବାଳିକା ଝିଅକୁ ପାଇଥିଲେ । ପଚରାଉପରା କରିଥିଲେ ମଧ୍ୟ ନାବାଳିକା ଭୟରେ କିଛି କହି ନଥିଲା । ପରଦିନ ପୀଡ଼ିତା ନାବାଳିକାର  ପ୍ରବଳ ରକ୍ତସ୍ରାବ ହେବାରୁ ସେ ବାପା-ମା’ଙ୍କୁ ଘଟଣା ସମ୍ପର୍କରେ  ଜଣାଇଥିଲା । ନାବାଳିକାର ବାପା ସେପ୍ଟେମ୍ବର ୨ରେ ଏନେଇ  ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । କମିଶନରେଟ୍‌  ପୁଲିସ ଏହି ମାମଲାକୁ ଗୁରୁତ୍ୱର ସହ ନେଇଥିଲା । ଏନେଇ  ଚନ୍ଦକା ଥାନା ମାମଲା ନଂ-୩୪୭/୨୦୨୫ରେ ଏକ ମାମଲା  ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ କରି ଏସ୍‌ଆଇ  ଜ୍ୟୋତ୍ସ୍ନାରାଣୀ ପ୍ରଧାନ ପରଦିନ ଅର୍ଥାତ ଗତମାସ ୩ ତାରିଖରେ  ମୁନାକୁ ଗିରଫ କରି ଜେଲ୍‌ ପଠାଇଥିଲେ । ଏଥିସହ ମାମଲାର  ଉପଯୁକ୍ତ ତଦନ୍ତ କରି ମାତ୍ର ୮ ଦିନରେ କୋର୍ଟରେ ଚାର୍ଜସିଟ୍‌  ଦାଖଲ କରାଯାଇଥିଲା ।  ଉପରୋକ୍ତ ମାମଲାରେ ବିଚାରପତି ୯ ଜଣ ସାକ୍ଷୀଙ୍କ  ଜବାନବନ୍ଦୀ, ୧୭ଟି ସାମଗ୍ରୀ ଯାଞ୍ଚ ଓ ୫୦ଟି ଦସ୍ତାବିଜ ଆଧାରରେ  ମୁନାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମୁନାକୁ ୨୦ ବର୍ଷର ସଶ୍ରମ  କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି ।  

ଜରିମାନା ଅନାଦାୟ ଆଉ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବ ।  ଏଥିସହ ପୀଡ଼ିତା ନାବାଳିକାଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର  ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ୍‌ ସେବା  ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଏହି  ମାମଲାକୁ ସହକାରୀ ପବ୍ଲିକ୍‌ ପ୍ରୋସିକ୍ୟୁଟର ହେମନ୍ତ ସ୍ୱାଇଁ  ଏବଂ ବରିଷ୍ଠ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରୋସିକ୍ୟୁଟର ସୁବ୍ରତ ପ୍ରିୟଦର୍ଶୀ  ପରିଚାଳନା କରୁଥିଲେ । ମାତ୍ର ୩୭ ଦିନରେ ଏହି ମାମଲାର ରାୟ ପ୍ରକାଶ  ପାଇଥିବାରୁ ପୁଲିସ କମିଶନର ଡ. ଏସ୍‌. ଦେବଦତ୍ତ ସିଂହ  ପୁଲିସ ସେବା ଭବନରେ ଚନ୍ଦକା ଥାନା ଅଧିକାରୀ  ସମିତା ମିଶ୍ର, ତଦନ୍ତକାରୀ ଅଧିକାରୀ ଜ୍ୟୋତ୍ସ୍ନାରାଣୀ,  ସହକାରୀ ପବ୍ଲିକ୍‌ ପ୍ରୋସିକ୍ୟୁଟର ହେମନ୍ତ ସ୍ୱାଇଁ ଏବଂ ବରିଷ୍ଠ  ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରୋସିକ୍ୟୁଟର ସୁବ୍ରତ ପ୍ରିୟଦର୍ଶୀଙ୍କୁ ଧନ୍ୟବାଦ  ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି ।