ନୂଆଦିଲ୍ଲୀ, ୧୧/୯ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା। ବୁଧବାର ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟର ଏକ ବିତର୍କ କାର୍ଯ୍ୟକ୍ରମରେ କିର୍କଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଟ୍ରମ୍ପ ଏନେଇ ଟ୍ରୁଥ୍ ସୋସିଆଲ୍ରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି। ଏହା ଏକ ରାଜନୈତିକ ହତ୍ୟା ବୋଲି ଉଟା ରାଜ୍ୟପାଳ ସ୍ପେନ୍ସର କକ୍ସ କହିଛନ୍ତି। ଚାର୍ଲିଙ୍କ ମୃତ୍ୟୁକୁ ନେଇ ଆମେରିକାରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ରବିବାର ଯାଏଁ ଆମେରିକା ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି।
ସୂଚନାନୁଯାୟୀ, ବୁଧବାର ଚାର୍ଲି କିର୍କ ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ବିତର୍କ କାର୍ଯ୍ୟକ୍ରମରେ ଭାଷଣ ଦେଉଥିଲେ। ଏହି ସମୟରେ ଭିଡ଼ ଭିତରୁ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ଷ୍ଟେଜ୍ ଉପରେ ଚାର୍ଲି କିର୍କ ଟଳି ପଡ଼ିଥିଲେ। ଗୁଳିମାଡ଼ ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଲୋକମାନେ ଜୀବନ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୋକ ବ୍ୟକ୍ତ କରିଛନ୍ତି। ସେ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଲେଖିଛନ୍ତି ଯେ, 'ମହାନ କିମ୍ବଦନ୍ତୀ ଚାର୍ଲି କିର୍କ ଆଉ ଏହି ଦୁନିଆରେ ନାହାଁନ୍ତି। ଆମେରିକାର ଯୁବପିଢ଼ିଙ୍କୁ ତାଙ୍କଠାରୁ ଭଲ ଭାବରେ କେହି ବୁଝିପାରି ନଥିଲେ । ଚାର୍ଲିଙ୍କ ଭଳି ହୃଦୟ କାହାର ନଥିଲା। ତାଙ୍କୁ ସମସ୍ତେ ଭଲ ପାଉଥିଲେ । ସମ୍ମାନ କରୁଥିଲେ, ବିଶେଷକରି ମୁଁ । ଏବେ ସେ ଆଉ ଆମ ଗହଣରେ ନାହାଁନ୍ତି । ଚାର୍ଲିଙ୍କ ପତ୍ନୀ ଏରିକା ଓ ତାଙ୍କ ପରିବାର ପ୍ରତି ମେଲାନିଆ ଓ ମୋର ଗଭୀର ସମବେଦନା ରହିଛି। ଚାର୍ଲି, ଆମେ ତୁମକୁ ଭଲ ପାଉ!'
ଆମେରିକାର ଯାଞ୍ଚ ଏଜେନ୍ସି ଏଫବିଆଇର ନିର୍ଦ୍ଦେଶକ କାସ ପଟେଲ ଏନେଇ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢାଉ କରାଯାଉଛି। ସେପଟେ ଡେମୋକ୍ରାଟ୍ ଓ ରିପବ୍ଲିକାନ ନେତାମାନେ ଏହି ଘଟଣାକୁ ନିନ୍ଦା କରିଛନ୍ତି। କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗୋବିନ ନ୍ୟୁଜାମ କଡ଼ା ନିନ୍ଦା କରିଛନ୍ତି। ଚାର୍ଲି କିର୍କଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ପ୍ରାୟ ଏକ ହଜାର ଛାତ୍ର ତାଙ୍କ କ୍ୟାମ୍ପସ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଅନଲାଇନ୍ ଆବେଦନ ଦାଖଲ କରିଥିଲେ। କିନ୍ତୁ ବିଶ୍ୱବିଦ୍ୟାଳୟ ଏହାକୁ ବକ୍ତବ୍ୟର ସ୍ୱାଧୀନତା ଦର୍ଶାଇ ଚାର୍ଲିଙ୍କୁ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇଥିଲା।