କଟକ,୨୩/୦୯: କଟକ ଜିଲ୍ଲାର ଜମିଜମା ରେକର୍ଡର ଡିଜିଟାଇଜେସନ୍‌ ଏବଂ ସ୍କାନିଂ  କରାଯିବ । ଏଥିପାଇଁ ୨ କୋଟି ୨୧ ଲକ୍ଷ ୪୪  ହଜାର ୬୩୪ ଟଙ୍କା ଖର୍ଚ୍ଚ ହେବ । ଏହି ଅର୍ଥ ଯୋଗାଇ ଦେବାଲାଗି ଲ୍ୟାଣ୍ଡ ରେକର୍ଡ ନିର୍ଦ୍ଦେଶକ, ରାଜ୍ୟ ରାଜସ୍ୱ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ।

କଟକ ଜିଲ୍ଲାର ଜମିଜିମା ରେକର୍ଡ ରୁମ୍‌  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ରହିଛି । ଏହି  ରେକର୍ଡ ରୁମ୍‌ରେ କେବଳ କଟକ ଜିଲ୍ଲା ନୁହେଁ  ଉପକୂଳବର୍ତ୍ତୀ ଜଗତସିଂହପୁର, କେନ୍ଦ୍ରାପଡ଼ା,  ଯାଜପୁର ଆଦି ଜିଲ୍ଲାର ସମସ୍ତ ଜମିର ରେକର୍ଡପତ୍ର ରହିଛି । ନିକଟରେ ଜଗତସିଂହପୁର ଜିଲ୍ଲାର ରେକର୍ଡପତ୍ର ସେହି ଜିଲ୍ଲାକୁ ନିଆଯାଇଛି ।  ଅନ୍ୟସବୁ ଜିଲ୍ଲାର ରେକର୍ଡପତ୍ର ଏବେ ବି ସେହି ରେକର୍ଡ ରୁମ୍‌ରେ ରହିଛି । ଏହି  ରେକର୍ଡ ରୁମ୍‌ଟି ଇଂରେଜମାନଙ୍କ ସମୟରେ  ନିର୍ମାଣ ହୋଇଥିବାବେଳେ ଏହାକୁ ନବୀକରଣ  କରାଯାଇନି । ଫଳରେ ରେକର୍ଡ ରୁମ୍‌ରୁ ବିଭିନ୍ନ  ସ୍ଥାନରେ ବର୍ଷାଜଳ ଗଳି ପୁରୁଣା ରେକର୍ଡଗୁଡ଼ିକ  ନଷ୍ଟ ହୋଇଯାଉଛି । ଏ ସଂକ୍ରାନ୍ତରେ ଗତ କିଛିମାସ  ତଳେ ‘ପ୍ରମେୟ’ରେ ବିସ୍ତୃତ ରିପୋର୍ଟ ପ୍ରକାଶ  ପାଇଥିଲା ।

ଏହି ରିପୋର୍ଟ ପ୍ରକାଶ ପାଇବା ପରେ  ମୈତ୍ରୀ ସଂସଦ ସଭାପତି ଅଜୟ କୁମାର ମହାନ୍ତି  ଲ୍ୟାଣ୍ଡ ରେକର୍ଡରେ ଏକ ସ୍ମାରକପତ୍ର ପ୍ରଦାନ  କରି ରେକର୍ଡ ରୁମ୍‌ର ତୁରନ୍ତ ମରାମତି ପାଇଁ  ପଦକ୍ଷେପ ନେବାକୁ ସେ ଦାବି କରିଥିଲେ । ଏହି  ସ୍ମାରକପତ୍ର ଏବଂ ‘ପ୍ରମେୟ’ ରିପୋର୍ଟକୁ ଆଧାର  କରି ଲ୍ୟାଣ୍ଡ ରେକର୍ଡ ପକ୍ଷରୁ କଟକ ଅତିରିକ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଥିଲା । ଏହି  ରେକର୍ଡ ରୁମ୍‌ର ଡିଜିଟାଇଜେସନ୍‌ ଏବଂ ସ୍କାନିଂ ପାଇଁ  କେତେ ଅର୍ଥ ଖର୍ଚ୍ଚ ହେବ ତାହାର ଏକ ଆକଳନ  କରି ଦେବାକୁ କୁହାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ  ରିପୋର୍ଟ ଦେବା ପରେ ଲ୍ୟାଣ୍ଡ ରେକର୍ଡ ନିର୍ଦ୍ଦେଶକ  ବିଜୟ ଖଣ୍ଡାୟତରାୟ, ରାଜ୍ୟ ରାଜସ୍ୱ ବିଭାଗ  ସଚିବଙ୍କୁ ଏହି ଅର୍ଥ ଯୋଗାଇ ଦେବାକୁ ଅନୁରୋଧ  କରିଛନ୍ତି । ଏହି ଅର୍ଥ ମିଳିବା ପରେ ରେକର୍ଡ  ରୁମ୍‌ର ଡିଜିଟାଇଜେସନ୍‌ କାର୍ଯ୍ୟ ଆରମ୍ଭ ହେବ ।