ନୂଆଦିଲ୍ଲୀ: କୂଟନୀତିକ ସ୍ତରରେ ଭାରତର ବଡ଼ ବିଜୟ। ଭାରତ ଫେରିବ ୨୦୦୮ ମୁମ୍ବାଇ ଆକ୍ରମଣର ଘଟଣାର ଅନ୍ୟତମ ଅଭିଯୁକ୍ତ ତହୱର ରାଣା। ତହୱୁରକୁ ଭାରତ ପ୍ରତ୍ୟର୍ପଣ କରିବା ନେଇ ଆମେରିକା ରାଜି ହୋଇଛି। ଦୀର୍ଘଦିନ ଧରି ଭାରତ ତହୱୁରର ପ୍ରତ୍ୟର୍ପଣ ନେଇ ଉଦ୍ୟମ ଜାରି ରଖିଥିଲା। ଆମେରିକା ଓ ଭାରତ ମଧ୍ୟରେ ଥିବା ପ୍ରତ୍ୟର୍ପଣ ସନ୍ଧିରେ ଅଭିଯୁକ୍ତକୁ ଭାରତ ଆଣିବାରେ ସଫଳ ହେବାକୁ ଯାଉଛି ଭାରତ। 

୨୦୦୮ ମୁମ୍ବାଇ ଆକ୍ରମଣ ଘଟଣରେ ସମ୍ପୃକ୍ତ ଥିବା ପାକିସ୍ତାନୀ କାନାଡ଼ାର ନାଗରିକ ତହୱୁରକୁ ୨୦୦୯ରେ ସିକୋଗାରୁ ଗିରଫ କରିଥିଲା ଆମେରିକା ଏଫ୍‌ବିଆଇ। ୨୦୨୪ ଅଗଷ୍ଟରେ ଆମେରିକାର ଏକ କୋର୍ଟ ତହୱୁରକୁ ଭାରତ ପ୍ରତ୍ୟର୍ପଣ କରିବାକୁ ଅନୁମତି ଦେଇଥିଲେ। ଭାରତ ମଧ୍ୟ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ଦେଇଥିଲା। 

ତଥ୍ୟ ପ୍ରମାଣକୁ ଭିତ୍ତି କରି ଆମେରିକା କୋର୍ଟ ଦୁଇ ଦେଶ ମଧ୍ୟରେ ଥିବା ପ୍ରତ୍ୟର୍ପଣ ସନ୍ଧି ଅନୁସାରେ ଅଭିଯୁକ୍ତକୁ ଭାରତ ପଠାଇବାକୁ ଅନୁମତି ଦେଇଥିଲେ। ଅଭିଯୋଗ ଅନୁସାରେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଆମେରିକୀୟ ଆତଙ୍କବାଦୀ ଡେଭିଡ କୋଲେମନ ହେଡ୍‌ଲେଙ୍କୁ ସହଯୋଗ କରିଥିଲା ରାଣା। ହେଡ୍‌ଲୀ ମୁମ୍ବାଇ ଆସି ପ୍ରଥମେ ଆକ୍ରମଣ ହେବାକୁ ଥିବା ସ୍ଥାନଗୁଡ଼ିକର ତଦାରଖ କରି ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିଥିଲା। ଆଉ ଏହି ହେଡ୍‌ଲୀକୁ ସହଯୋଗ କରିଥିଲା ଅଭିଯୁକ୍ତ ତହୱୁର ରାଣା।  

ସୂଚନା ଥାଉକି, ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ପାକିସ୍ତାନର ୧୦ ଆତଙ୍କବାଦୀ ଯୋଜନା ମୁତାବକ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ଦୀର୍ଘ ୬୦ ଘଣ୍ଟା ଧରି ଏହି ଆକ୍ରମଣ ଜାରି ରଖିଥଲେ। ଏଥିରେ ଆମେରିକାର ୬ ଜଣ ନାଗରିକଙ୍କ ସମେତ ମୋଟ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା।