ବାସ୍ତବରେ ମଣିଷ କେତେ ଖୁସି ବା ଦୁଃଖୀ ତାହା ଜିଡିପିରେ ପ୍ରତିଫଳନ ହୋଇନଥାଏ । ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଗୁଣବତ୍ତା କିମ୍ବା ପିଲାମାନଙ୍କ ଖେଳର ଆନନ୍ଦକୁ ମୂଲ୍ୟ ଦିଏନାହିଁ । ଯେତେ ଶିଳ୍ପାୟନ ହୋଇ ପ୍ରାକୃତିକ ପରିବେଶ ଦୂଷିତ ହେବ ପରିବେଶଗତ ବିନାଶ ଘଟିବ, ଲୋକ ରୋଗାକ୍ରାନ୍ତ ହେବେ, ସେତେ ଜିଡିପି ବୃଦ୍ଧିପାଇବ । ଏଣୁ ସାମାଜିକ ମଙ୍ଗଳ ଗୁରୁତ୍ୱପୂର୍ଣ୍ଣ ।

୨୦୨୫ ଏପ୍ରିଲ-ଜୁନ୍‌ ମାସରେ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୮% ହୋଇଛି । ଆଶାଠାରୁ ଏହା ବହୁତ ଅଧିକ । ଅନେକ ଅର୍ଥନୀତିଜ୍ଞ, ପରିସଂଖ୍ୟାନବିତ୍‌, ବିଶ୍ଳେଷକ ଆକଳନ କରିଥିଲେ ଏହା ୬.୫-୭% ହେବ ବୋଲି । କିନ୍ତୁ ଏହି ଅଭିବୃଦ୍ଧିକୁ ନେଇ ବାରମ୍ବାର ପ୍ରଚାର କରାଯାଉଅଛି । କିନ୍ତୁ ଅଭିବୃଦ୍ଧି ଆକଳନ ତ୍ରୁଟିପୂର୍ଣ୍ଣ ଏବଂ ଅଧିକ ଦେଖାଯାଇଛି ବୋଲି କିଛି ବିଶେଷଜ୍ଞ କହୁଛନ୍ତି । ହଂକଂ ଏବଂ ସାଂଘାଇ ବ୍ୟାଙ୍କିଙ୍ଗ୍‌ କର୍ପାରେସନ ଲିମିଟେଡ ଓ ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ପ୍ରାଇମେରୀ ଡିଲରସିପ୍‌ ଚେତାବନୀ ଦେଇଛନ୍ତି ଯେ, ଭାରତର ଏହି ଜିଡିପି ଅଭିବୃଦ୍ଧି ହାର ଅତ୍ୟଧିକ କୁହାଯାଇପାରେ, କାରଣ କମ୍‌ ପ୍ରାଇସ ବା ମୂଲ୍ୟ ଡିଫ୍ଲେଟର, ବିଶେଷକରି ସେବା ଏବଂ ଉତ୍ପାଦନ କ୍ଷେତ୍ରରେ ବ୍ୟବହାର କରାଯାଇଛି । ଉତ୍ପାଦନ ବା ଆଉଟପୁଟ୍‌ ବା ପ୍ରଡକ୍ଟ, ଖର୍ଚ୍ଚ ବା ବ୍ୟୟ ଏବଂ ଆୟ ପରି ତିନିଟି ପଦ୍ଧତି ମାଧ୍ୟମରେ ଜିଡିପି ଆକଳନ କରାଯାଏ । ଉତ୍ପାଦନ ପଦ୍ଧତି ଅଧୀନରେ, ଆମେ ପ୍ରଥମେ ତିନିଟି ପ୍ରମୁଖ କ୍ଷେତ୍ର କୃଷି, ଶିଳ୍ପ ଏବଂ ସେବା ମୂଲ୍ୟର ସମଷ୍ଟିକୁ ଯୋଡ଼ି ମୂଲ୍ୟ ଗଣନା କରାଯାଏ । ମୂଲ୍ୟ ଯୋଡ଼ିବା ପର ଫଳାଫଳକୁ ଗ୍ରସ୍‌ ଭାଲ୍ୟୁ ଆଡେଡ୍‌ (ଜିଭିଏ) କୁହାଯାଏ ।

ଭାରତ ଏହାର ଜିଡିପି ସଂଖ୍ୟାଗୁଡ଼ିକୁ ଦୁଇଟି ରୂପରେ ଉପସ୍ଥାପନ କରେ: ବର୍ତ୍ତମାନର ମୂଲ୍ୟ ଏବଂ ସ୍ଥିର ମୂଲ୍ୟ । ବର୍ତ୍ତମାନର ମୂଲ୍ୟରେ ଜିଡିପି, ଯାହାକୁ ନାମାଙ୍କନ ଜିଡିପି କୁହାଯାଇଥାଏ । ତାହା ସେହି ସମୟରେ ପ୍ରଚଳିତ ମୂଲ୍ୟରେ ଉତ୍ପାଦନର ମୂଲ୍ୟ ପ୍ରଦାନ କରେ । ଜିଡିପି ସାଧାରଣତଃ "ସ୍ଥିର ବା କନଷ୍ଟାଣ୍ଟ’ ମୂଲ୍ୟରେ ଆକଳନ ଯାହାକୁ "ବାସ୍ତବ’ ଜିଡିପି କୁହାଯାଏ । ଜାନୁଆରୀ ୨୦୧୫ରେ ଗ୍ରହଣ କରାଯାଇଥିବା ଏକ ନୂତନ ପଦ୍ଧତି ଅନୁଯାୟୀ, ୨୦୦୪-୦୫ରୁ ୨୦୧୧-୧୨କୁ ମୂଳ ବର୍ଷ ପରିବର୍ତ୍ତନ କରଯାଇଥିଲା । ଅର୍ଥାତ୍‌ ୨୦୧୧-୧୨କୁ ଆଧାର କରି ନାମାଙ୍କନ ଓ ବାସ୍ତବ ଜିଡିପି ଆକଳନ କରାଯାଏ । ବର୍ତ୍ତମାନର ମୂଲ୍ୟରେ ଆକଳିତ ଜିଡିପିରୁ ମୁଦ୍ରାସ୍ଫୀତି ବା ମୂଲ୍ୟ ପରିବର୍ତ୍ତନର ପ୍ରଭାବକୁ ମୂଲ୍ୟ ବା ଜିଡିପି ଡିଫ୍ଲେଟର ମାଧ୍ୟମରେ ବାଦ୍‌ ଦେଲେ ବାସ୍ତବ ଜିଡିପି ପ୍ରାପ୍ତ ହୋଇଥାଏ । ବର୍ତ୍ତମାନ ମୂଲ୍ୟ ଡିଫ୍ଲେଟରକୁ କମ୍‌ କରି ଦେଖାଇବା ଯୋଗୁଁ ବାସ୍ତବ ଜିଡିପି ଆବଶ୍ୟକଠାରୁ ଅଧିକ ହେଉଛି । ଯଦି ଏପ୍ରିଲ-ଜୁନ୍‌ ୨୦୨୫ ତ୍ରୈମାସିକ କଥା ବିଚାର କରିବା, ତେବେ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୭.୮% ହୋଇଛି, ଯାହା ପାଞ୍ଚଟି ତ୍ରୈମାସିକରେ ସର୍ବାଧିକ । ଅପରପକ୍ଷରେ ନାମାଙ୍କନ ଜିଡିପି ଅଭିବୃଦ୍ଧି ହାର ତିନିଟା ତ୍ରୈମାସିକର ସର୍ବନିମ୍ନ ୮.୮% ହୋଇଛି । ଏହା ବିପରୀତଧର୍ମୀ । ଅର୍ଥାତ୍‌ ଡିଫ୍ଲେଟର ଅନୁସାରେ ମୁଦ୍ରାସ୍ଫୀତି ମାତ୍ର ୧%, ଯାହା ଠିକ୍‌ ବୋଲି ମନେ ହେଉନି । ଏହା ସଂପୂର୍ଣ୍ଣ ଅବାସ୍ତବ । ବଜେଟ୍‌ ୨୦୨୫-୨୬ରେ ନାମାଙ୍କନ ଜିଡିପି ଅଭିବୃଦ୍ଧି ୧୦.୧% ହେବ ବୋଲି ଧାର୍ଯ୍ୟ କରାଯାଇଛି । ନାମାଙ୍କନ ଜିଡିପି କମ୍‌ ହେବା ଅର୍ଥ କମ୍‌ ରାଜସ୍ୱ ଆଦାୟ ହେବ ଏବଂ ଅର୍ଥନୀତିର ଆକାର ନିମ୍ନ ହେବ ।

ଯେତେବେଳେ ବର୍ତ୍ତମାନର ସରକାର ଉପା ସରକାରଙ୍କର ଜିଡିପି ସଂଖ୍ୟା ସଂଶୋଧନ କରିଥିଲେ, ସେତେବେଳେ ଏହା ନାମାଙ୍କନ ଜିଡିପି ସଂଶୋଧନ କରିନଥିଲେ ବରଂ ଅଭିବୃଦ୍ଧି କମ୍‌ ଦେଖାଇବା ପାଇଁ ଜାଣିଶୁଣି ଏକ ଉଚ୍ଚ ମୂଲ୍ୟ ଡିଫ୍ଲେଟର ବ୍ୟବହାର କରିଥିଲେ । ବର୍ତ୍ତମାନ ଅଧିକ ବାସ୍ତବ ଅଭିବୃଦ୍ଧି ଦେଖାଇବା ପାଇଁ ଏକ ନିମ୍ନ ମୂଲ୍ୟ ଡିଫ୍ଲେଟର ବ୍ୟବହାର କରିଛନ୍ତି, ଯାହାକୁ ନେଇ ପ୍ରଶ୍ନ ଉଠିଛି । ଅତୀତରେ ଭାରତର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ଜିଡିପି ଆକଳନକୁ ନେଇ ଭାରତର ପଦ୍ଧତି ଉପରେ ସନ୍ଦେହ ପ୍ରକାଶ କରିଥିଲେ । ସୁବ୍ରମଣ୍ୟନଙ୍କ ଦ୍ୱାରା ଲିଖିତ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ବିକାଶ କେନ୍ଦ୍ର ଦ୍ୱାରା ପ୍ରକାଶିତ ଏହି ପତ୍ରରେ କୁହାଯାଇଛି ଯେ ୨୦୧୧-୧୨ ଏବଂ ୨୦୧୬-୧୭ ମଧ୍ୟରେ ଭାରତ ୭% ଅଭିବୃଦ୍ଧି ବଦଳରେ ୪.୫% ଅଭିବୃଦ୍ଧି ହାସଲ କରିଥିଲା । ସେହିପରି ୨୦୧୯ରେ ପ୍ରକାଶିତ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଅହମଦାବାଦର ଦୁଇ ଅର୍ଥନୀତିଜ୍ଞ ସେବାଷ୍ଟିଆନ୍‌ ମାରିସ୍‌ ଏବଂ ତେଜସ୍ୱୀ କୁମାରୀଙ୍କ ଦ୍ୱାରା କରାଯାଇଥିବା ଅନ୍ୟ ଏକ ଅଧ୍ୟୟନ ସୁବ୍ରମଣ୍ୟନଙ୍କ କଥାକୁ ସମର୍ଥନ କରିଥିଲା । ଜାନୁଆରୀ ୨୦୨୦ରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ମଧ୍ୟ ଜିଡିପି ଆକଳନ ପାଇଁ ଭାରତର ପଦ୍ଧତି ଉପରେ ସନ୍ଦେହ ପ୍ରକାଶ କରିଥିଲା ।

ଭାରତର ଜିଡିପି ଆକଳନ ପାଇଁ ଜିଡିପି ଡିଫ୍ଲେଟରକୁ ନେଇ ଦୁଇଟି ପୃଥକ ସମସ୍ୟା ଅଛି । ଅନ୍ତର୍ଜାତୀୟ ସ୍ତରରେ ଜିଡିପି/ପ୍ରାୟସ ଡିଫ୍ଲେଟର ପାଇଁ ଉତ୍ପାଦକ ମୂଲ୍ୟ ସୂଚକାଙ୍କ ବା ପ୍ରଡ୍ୟୁସର ପ୍ରାୟସ ଇଣ୍ଡେକ୍ସ ବ୍ୟବହାର କରିଲାବେଳେ, ଭାରତରେ ହାଲେସଲ୍‌ ପ୍ରାୟସ ଇଣ୍ଡେକ୍ସ ବା ପାଇକାରୀ ମୂଲ୍ୟ ସୂଚକାଙ୍କ ବ୍ୟବହାର କରାଯାଉଛି । ଯାହାଫଳରେ ପ୍ରାୟସ ଡିଫ୍ଲେଟର କମ୍‌ ରହୁଛି ଏବଂ ମୁଦ୍ରାସ୍ଫୀତି କମ୍‌ ଦେଖାଇବା ଯୋଗୁଁ ବାସ୍ତବ ଅଭିବୃଦ୍ଧି ଅଧିକ ହେଉଛି । ଉଦାହରଣ ସ୍ୱରୂପ ଏପ୍ରିଲ୍‌-ଜୁନ୍‌ ମାସରେ ଭାରତରେ ପାଇକାରୀ ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ଫୀତି ହାରାହାରି ୦.୩%ରୁ କମ୍‌ ଥିଲା, ଯାହା ୨୦୨୪ର ପ୍ରଥମ ତ୍ରୈମାସିକ ପରେ ସର୍ବନିମ୍ନ । ଏହି ସମୟରେ ଗ୍ରାହକ ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ଫୀତି ହାରାହାରି ୨.୭% ଥିଲା, ଯାହା ଛଅ ବର୍ଷରୁ ଅଧିକ ସମୟ ମଧ୍ୟରେ ସର୍ବନିମ୍ନ । ଫଳସ୍ୱରୂପ ଜିଡିପି ଡିଫ୍ଲେଟର ମାତ୍ର ୧% ଥିଲା- ପ୍ରାୟ ଛଅ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ । ଗତବର୍ଷ ସେହି ସମୟରେ ଜିଡିପି ଡିଫ୍ଲେଟର ୩.୧% ଥିଲା । ପୁନଶ୍ଚ ଭାରତରେ ପ୍ରଡ୍ୟୁସର ପ୍ରାୟସ ଇଣ୍ଡେକ୍ସ ପ୍ରସ୍ତୁତ କରାଯାଏନି ଏବଂ ପାଇକାରୀ ମୂଲ୍ୟ ସୂଚକାଙ୍କରେ ଠିକ୍‌ଭାବେ ମୁଦ୍ରାସ୍ଫୀତି ପ୍ରତିଫଳନ ହୁଏନାହିଁ । ଏହା ପ୍ରକୃତରେ ତୈଳ ଏବଂ ଇସ୍ପାତ ଭଳି ସାମଗ୍ରୀ ଦ୍ୱାରା ବହୁତ ପ୍ରଭାବିତ । ସେବାଗୁଡ଼ିକର ଅବଦାନ ଅର୍ଥନୀତିର ୬୦% ହେଲେ ମଧ୍ୟ ଏହି ସୂଚକାଙ୍କରେ ଅନ୍ତର୍ଭୁକ୍ତ ନୁହେଁ ।

ଦ୍ୱିତୀୟତଃ, ଯୁକ୍ତରାଷ୍ଟ୍ର ଆମେରିକା, ଅଧିକାଂଶ ୟୁରାପୀୟ ସଂଘ ଦେଶ, ଚୀନ୍‌ ଏବଂ ଦକ୍ଷିଣ କୋରିଆ ସମେତ ଅଧିକାଂଶ ଜି-୨୦ଦେଶ ଡବଲ୍‌ ଡିଫ୍ଲେସନ୍‌ ଭାବରେ ଜଣାଶୁଣା ଏକ ପଦ୍ଧତି ବ୍ୟବହାର କରି ଗ୍ରସ୍‌ ଭାଲ୍ୟୁ ଆଡେଡ (ଜିଭିଏ) ଆକଳନ କରନ୍ତି । ଭାରତରେ ଏକକ ଡିଫ୍ଲେସନ ବା ଡିଫ୍ଲେଟର୍‌ ପଦ୍ଧତି ଅନୁକରଣ କରାଯାଏ, ଯେଉଁଠାରେ କେବଳ ନାମାଙ୍କନ ଆଉଟପୁଟ୍‌ ବା ଉତ୍ପାଦ ମୂଲ୍ୟ ଆଉଟପୁଟ୍‌ ସୂଚକାଙ୍କ ଦ୍ୱାରା ଡିଫ୍ଲେଟ୍‌ କରାଯାଏ । କିନ୍ତୁ ଡବଲ୍‌ ଡିଫ୍ଲେସନ୍‌ କ୍ଷେତ୍ରରେ ନାମାଙ୍କନ ଆଉଟପୁଟ୍‌ ବା ଉତ୍ପାଦ ଏକ ଆଉଟପୁଟ୍‌ ଡିଫ୍ଲେଟର୍‌ ବ୍ୟବହାର କରି ଡିଫ୍ଲେଟ୍‌ କରାଯାଏ ଏବଂ ଇନପୁଟ୍‌ ଏକ ପୃଥକ ଇନପୁଟ୍‌ ଡିଫ୍ଲେଟର ବ୍ୟବହାର କରି ଡିଫ୍ଲେଟ୍‌ କରାଯାଏ । ତା'ପରେ ଗ୍ରସ ଭାଲ୍ୟୁ ଆଡେଡ ପାଇବାପାଇଁ ବାସ୍ତବ ଇନପୁଟ୍‌ ବାସ୍ତବ ଆଉଟପୁଟ୍‌ରୁ ବିୟୋଗ କରାଯାଏ । ବିପରୀତ ଭାବରେ, ଭାରତ ଏକକ ଡିଫ୍ଲେଟର୍‌ ବ୍ୟବହାର କରି ନାମାଙ୍କନ ଜିଡିପିକୁ ଡିଫ୍ଲେଟ୍‌ କରେ । ଡିଫ୍ଲେଟର ଯେତେ କମ୍‌ ହେବ ନାମାଙ୍କନ ଓ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ମଧ୍ୟରେ ପାର୍ଥକ୍ୟ ସେତେ ସଙ୍କୁଚିତ । ଭୁଲ୍‌ ଜିଡିପି ସଂଖ୍ୟା ଅର୍ଥନୀତିର ସ୍ୱାସ୍ଥ୍ୟ ଏକ ଭ୍ରମାତ୍ମକ ଚିତ୍ର ପ୍ରଦାନ କରିପାରେ, ଯାହାଫଳରେ ସରକାର ଭୁଲ୍‌ ଓ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି । ନିବେଶକ ଭୁଲ୍‌ ନିବେଶ ରଣନୀତି ଆପଣାଇଥାନ୍ତି । ଅତିରଞ୍ଜିତ ଅଭିବୃଦ୍ଧି ହାର ଭୁଲ୍‌ ବର୍ଣ୍ଣନା ସୃଷ୍ଟି କରିପାରେ ଏବଂ ଦୀର୍ଘକାଳୀନ ଯୋଜନା ଏବଂ ଅର୍ଥନୈତିକ ପ୍ରାଥମିକତାକୁ ପ୍ରଭାବିତ କରିପାରେ ।

ବେଶି ଚିନ୍ତାର ବିଷୟ ହେଉଛି ଯେଉଁ ଅନୁସାରେ ଜିଡିପି ବୃଦ୍ଧିପାଉଛି, ସେହି ଅନୁସାରେ ଅନ୍ୟ ସାମୂହିକ ସୂଚକାଙ୍କରେ ପ୍ରତିଫଳିତ ହେଉନି । ମାର୍ଚ୍ଚ ୩୧,୨୦୧୪ ସୁଦ୍ଧା କେନ୍ଦ୍ର ସରକାରଙ୍କ ଋଣ ୫୮.୬ ଲକ୍ଷ କୋଟି ଟଙ୍କା (ଜିଡିପିର ୫୨.୨ ପ୍ରତିଶତ) ଥିଲା, ଯାହା ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା ୧୮୧.୬୮ ଲକ୍ଷ କୋଟି (ଜିଡିପିର ୫୭.୧%) ଟଙ୍କାରେ ପହଞ୍ଚିଛି । ଏହା ୪୦%ରେ ସୀମିତ ରହିବା ଉଚିତ । ଉଭୟ କେନ୍ଦ୍ର ଓ ରାଜ୍ୟର ମିଶିଲେ ଏହା ଜିଡିପିର ୮୩% ହେବ, ଯାହା ୬୦%ରେ ସୀମିତ ରହିବା ଉଚିତ୍‌ । ୧ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୨୦୧୪ରେ ୬୨.୩୩ ଟଙ୍କା ଥିଲାବେଳେ ୨୦୨୫ ସେପ୍ଟେମ୍ବର ୯ ସୁଦ୍ଧା ୮୮.୨୨ ଟଙ୍କାକୁ ହ୍ରାସପାଇଛି । ସେହିପରି ନିଟ୍‌ ଆର୍ଥିକ ସଞ୍ଚୟ ହ୍ରାସପାଇଛି । ଏହା ଜିଡିପିର ୨୦୦୯-୧୦ରେ ୧୨.୧୦% ଥିଲାବେଳେ ୨୦୨୩-୨୪ରେ ୫.୧%କୁ ହ୍ରାସପାଇଛି । ୨୦୧୦-୧୧ ସମୟରେ ଭାରତରେ ମୋଟ୍‌ ପାରିବାରିକ ଋଣ ଜିଡିପିର ୮% ଥିଲା ଏବଂ ୨୦୨୨-୨୩ ସୁଦ୍ଧା ଜିଡିପିର ୩୭.୬%କୁ ବୃଦ୍ଧି ପାଇଥିଲା । ପୁନଶ୍ଚ ୨୦୨୪ ଜୁନ୍‌ ଶେଷରେ ଏହା ଜିଡିପିର ୪୨.୯%କୁ ବୃଦ୍ଧିପାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ନିଟ୍‌ ଆର୍ଥିକ ଦେୟ ଯାହା ୨୦୨୨-୨୩ରେ ୧୫.୯୬ ଲକ୍ଷ କୋଟି ଟଙ୍କା ବା ଜିଡିପିର ୫.୯% ଥିଲା ତାହା ବୃଦ୍ଧିପାଇ ୨୦୨୩-୦୨୪ରେ ୧୮.୭୯ ଲକ୍ଷ କୋଟି ଟଙ୍କା ବା ଜିଡିପିର ୬.୪%କୁ ବୃଦ୍ଧିପାଇଛି । ପାରିବାରିକ ସଞ୍ଚୟରେ ୧୮.୪% କୁ ହ୍ରାସପାଇଛି, ଯାହା ଐତିହାସିକ ସର୍ବନିମ୍ନ ସ୍ତରରେ ଅଛି । ଏଫଡିଆଇ ମଧ୍ୟ ନୈରାଶ୍ୟଜନକ । ୨୦୨୪-୨୫ ମସିହାରେ ମୋଟ୍‌ ଏଫଡିଆଇ ପ୍ରବାହ ପ୍ରାୟ ୧୪ ପ୍ରତିଶତ ବୃଦ୍ଧିପାଇ ୮୧ ବିଲିୟନ ଡଲାର ହୋଇଛି, ଯାହା ପୂର୍ବବର୍ଷ ୭୧.୩ ବିଲିୟନ ଡଲାର ଥିଲା । କିନ୍ତୁ ଆରବିଆଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୪-୨୫ ମସିହାରେ ନିଟ୍‌ ଏଫଡିଆଇ ପ୍ରବାହ ପୂର୍ବବର୍ଷ ୧୦.୧ ବିଲିୟନ ଡଲାରରୁ ହ୍ରାସ ପାଇ ୦.୪ ବିଲିୟନ ଡଲାର ହୋଇଛି । ଏହାର କାରଣ ଆଉଟୱାର୍ଡ ଏଫଡିଆଇ ବୃଦ୍ଧି ପାଇବା ।

ଅର୍ଥନୀତିରେ ଯାହାବି ଅଭିବୃଦ୍ଧି ଘଟୁଛି, ତାହା ସରକାରୀ ନିବେଶ ଯୋଗୁଁ ଘଟୁଛି । ଲୋକଙ୍କ କ୍ରୟ କ୍ଷମତାର ଅଭାବ ଯୋଗୁଁ ଘରୋଇ ନିବେଶ ବୃଦ୍ଧି ପାଉନାହିଁ । ୨୦୨୩-୨୪ରେ ଘରୋଇ କ୍ଷେତ୍ରର ନିବେଶ ଜିଡିପିର ତିନି ବର୍ଷର ସର୍ବନିମ୍ନ ସ୍ତର ୧୧.୨%କୁ ହ୍ରାସପାଇଛି, ଯାହା ପ୍ରକୃତରେ କୋଭିଡ୍‌ ପୂର୍ବ ୨୦୧୬ ଏବଂ ୨୦୨୦ ଆର୍ଥିକ ବର୍ଷ ମଧ୍ୟରେ ହାରାହାରି ୧୧.୮% ଠାରୁ କମ୍‌ । ଯାହା ଘରୋଇ କ୍ଷେତ୍ରରେ ଭାରତର ଦୁର୍ବଳ ନିବେଶ ଭାବନାକୁ ସୂଚିତ କରେ । ମୋଟ୍‌ ସ୍ଥିର ପୁଞ୍ଜି ଗଠନରେ ଘରୋଇ କ୍ଷେତ୍ରର ଅଂଶ ଭୌତିକ ସମ୍ପତ୍ତିରେ ନିବେଶର ଏକ ପ୍ରମୁଖ ମାପକ ୨୦୧୫-୧୬ରେ ଶୀର୍ଷ ୪୦% ରୁ ହ୍ରାସପାଇ ୨୦୨୩-୨୪ରେ ୩୨.୪%ରେ ପହଞ୍ଚିଛି, ଯାହା ୧୧ବର୍ଷର ସର୍ବନିମ୍ନ । ଦେଶର ମୋଟ୍‌ ବେକାର ଜନସଂଖ୍ୟାର ପ୍ରାୟ ୮୩% ଯୁବପିଢ଼ି । ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଅନୁଯାୟୀ, ୨୦୨୪ ବର୍ଷ ପାଇଁ, ଆନୁମାନିକ ଯୁବ ବେକାରୀ ୧୫ରୁ ୨୪ବର୍ଷ ମଧ୍ୟରେ ୧୬.୦୩% ଥିଲା । ଗତ ଦଶନ୍ଧି ମଧ୍ୟରେ ବେକାରୀ ହାର ହାରାହାରି ପ୍ରାୟ ୨୨% ରହିଛି । ୧୯୩୪ ମସିହାରେ ଜିଡିପି ଆକଳନ ପଦ୍ଧତି ଉଦ୍ଭାବନ କରିବା ପରେ ସାଇମନ କୁଜନେଟ୍‌ସ ସତର୍କ କରାଇ ଦେଇଥିଲେ ଯେ, ଏହାକୁ "ଏକ ଜାତିର କଲ୍ୟାଣ ଭାବରେ ଅନୁମାନ କରାଯାଇପାରିବ ନାହିଁ’ । ୧୯୬୮ ମସିହାରେ ସେନେଟର ରବର୍ଟ କେନେଡି ଏହାକୁ ଅଧିକ କାବ୍ୟିକ ଭାବରେ କହିଥିଲେ: ଜୀବନକୁ ଯାହା ମୂଲ୍ୟବାନ କରିଥାଏ ତାହା ବ୍ୟତୀତ ଜିଡିପି ସବୁକିଛି ସୂଚାଇଥାଏ । କୁଜନେଟ୍‌ସ ଚିନ୍ତିତ ଥିଲେ ଯେ, ଯଦି ଆୟ କିଛି ଲୋକଙ୍କ ହାତରେ କେନ୍ଦ୍ରିତ ହୁଏ, ତେବେ ଜିଡିପି ଅର୍ଥହୀନ ହେବ । ବାସ୍ତବରେ ମଣିଷ କେତେ ଖୁସି ବା ଦୁଃଖୀ ତାହା ଜିଡିପିରେ ପ୍ରତିଫଳନ ହୋଇ ନଥାଏ । ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଗୁଣବତ୍ତା କିମ୍ବା ପିଲାମାନଙ୍କ ଖେଳର ଆନନ୍ଦକୁ ମୂଲ୍ୟ ଦିଏନାହିଁ । ଯେତେ ଶିଳ୍ପାୟନ ହୋଇ ପ୍ରାକୃତିକ ପରିବେଶ ଦୂଷିତ ହେବ ପରିବେଶଗତ ବିନାଶ ଘଟିବ, ଲୋକ ରୋଗାକ୍ରାନ୍ତ ହେବେ, ସେତେ ଜିଡିପି ବୃଦ୍ଧିପାଇବ । ଏଣୁ ସାମାଜିକ ମଙ୍ଗଳ ଗୁରୁତ୍ୱପୂର୍ଣ୍ଣ ।

​​​​​​​ASD