ଭୁବନେଶ୍ଵର, ୫/୯ : ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଛେଚୁଛି। ଲଗାଣ ବର୍ଷାରେ ଜଳକା ନଦୀରେ ପୁଣି ଥରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜଳକା ନଦୀରେ ବନ୍ୟା ଆସିଲେ ବାଲେଶ୍ୱର ବସ୍ତା ଅଞ୍ଚଳ ପ୍ରଭାବିତ ହେବ। ଜିଲ୍ଲା ପ୍ରଶାସନକୁ ଏ ନେଇ ସଜାଗ କରାଯାଇଛି। ବୈତରଣୀ ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ଚାଲିଛୁ । ଗତକାଲି ୧୫ ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି। ପଦ୍ମପୁରରେ ସର୍ବାଧିକ ୮୮ମିମି ବର୍ଷା ହୋଇଛି। 

ସର୍ବୋଚ୍ଚ ଯନ୍ତ୍ରୀ  କହିଛନ୍ତି ଯେ, ମହାନଦୀରେ ଏବେ ବନ୍ୟା ସ୍ଥିତି ନାହିଁ। ମହାନଦୀ ଉପର ମୁଣ୍ଡରେ ୧୯ମିମି ବର୍ଷା ହୋଇଛି। ତେଣୁ ହୀରାକୁଦରେ ଇନ୍ ଫ୍ଲୋ ବଢିଛି। ଜଳଭଣ୍ଡାରକୁ ୩ ଲକ୍ଷ ୩୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି। ୭ ତାରିଖରେ ସାଢ଼େ ୪ ଲକ୍ଷରୁ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଯାହା ଫଳରେ ୨୦ଟି ଗେଟ୍ ଦେଇ ଏବେ ଜଳ ନିଷ୍କାସିତ ହେଉଛି। ହୀରାକୁଦର ଜଳସ୍ତର ଏବେ ୬୨୬.୫୮ ଫୁଟ ଅଛି।