ନିରାକାରପୁର (ଆ/ପ୍ର) ୧୬/୧୦ : ଟାଙ୍ଗୀ ବ୍ଲକ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।ପାରିବାରିକ କଳହରୁ ପୁତୁରା କାଠ ଫାଳିଆ ମାଡରେ ବଡ ବୋଉର ମୃତ୍ୟୁ ଘଟିଥିବାବେଳ ଜଣେ ପଡୋଶୀ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ଉକ୍ତ ଗ୍ରାମର ହେମଲତା ସ୍ବାଇଁ (୬୨) ।
ବୃନ୍ଦାବନପୁର ଗ୍ରାମର ଜଗବନ୍ଧୁ ସ୍ବାଇଁଙ୍କ ସହିତ ପଡୋଶୀ ଲିଙ୍ଗରାଜଙ୍କ ସ୍ୱାଇଁ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଥିଲା। ଗତ ଶନିବାର ଜଗବନ୍ଧୁ ସ୍ୱାଇଁଙ୍କ ଘର ନିକଟରେ ତାଙ୍କ ପୁତୁରା ଲିଙ୍ଗରାଜ ସ୍ବାଇଁ ଓ ତାଙ୍କ ପରିବାର ଲୋକେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଳିଗୁଲଜ କରୁଥିଲେ। ଜଗବନ୍ଧୁଙ୍କ ପତ୍ନୀ ହେମଲତା ସ୍ବାଇଁ (୬୨) ଗାଳିଗୁଲଜ ନ କରିବାକୁ ବାରଣ କରିଥିଲେ | ଏଥିରେ ଉତ୍କ୍ଷିପ୍ତ ହୋଇ ଲିଙ୍ଗରାଜ ଗାଳିଗୁଲଜ କରିବା ସହିତ ଏକ କାଠ ଫାଳିଆରେ ହେମଲତାଙ୍କୁ ଆକ୍ରମଣ କରିବାରୁ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସେ ତଳେ ପଡିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରୁଥିବା ବେଳେ ହେମଲତାଙ୍କ ଦୁଇ ବୋହୂ ଓ ପଡୋଶୀ ମହିଳା ସୁଜାତା ସ୍ବାଇଁ ମଧ୍ଯ ଆକ୍ରମଣର ଶିକାର ହୋଇଥିଲେ। ସୁଜାତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା।ସୁଜାତାଙ୍କୁ ଖୋର୍ଦ୍ଧା ପରେ ଭୂବନେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ହେମଲତାଙ୍କୁ ପରିବାର ଲୋକେ ପ୍ରଥମେ ଚାନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ Iଚାନ୍ଦପୁର ପୋଲିସ ଶବ ଜବତ କରି ବ୍ୟବଛେଦ ନିମନ୍ତେ ରଣପୁର ମେଡିକାଲକୁ ପଠାଇ ଥିଲେ ଏବଂ ପରେ ମୃତକର ପରିବାର ଲୋକେ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।