ଭୁବନେଶ୍ୱର,୦୧/୧୦: ସପ୍ତାହକ ତଳେ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଲିଫ୍ଟ ଅଚଳ ହୋଇଗଲା । ୨୭ ଜଣ ଲିଫ୍ଟ ଭିତରେ ଫସି ରହିଲେ । ଘଣ୍ଟାଏ ପରେ ସେମାନଙ୍କୁ ଉଦ୍ଧାର କରାଗଲା । ଯାହାହେଉ ଅଳ୍ପକେ ଜୀବନ ବର୍ତ୍ତିଗଲା । ସେହିପରି ଭଦ୍ରକ ସରକାରୀ ହସ୍ପିଟାଲରେ ଲିଫ୍ଟରେ ଜଣେ ମହିଳା ରୋଗୀ ଫସି ରହିଲେ । ଷ୍ଟ୍ରେଚରରେ ନେବା ବେଳେ ହଠାତ୍ ଲିଫ୍ଟ ଉପରକୁ ଚାଲିବାରୁ ଦୁର୍ଘଟଣା ଘଟିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଲିଫ୍ଟରେ ରକ୍ତ ଜୁଡୁବୁଡୁ ଅଧା ଶରୀର ଝୁଲି ରହିଲା । ଏ ମାତ୍ର ଗୋଟିଏ ଦୁଇଟି ଉଦାହରଣ । ପ୍ରତିଦିନ ଏପରି ଲିଫ୍ଟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ହେଲେ ଏହାକୁ ଯାଞ୍ଚ କରିବାକୁ ରାଜ୍ୟରେ କୌଣସି ବ୍ୟବସ୍ଥା ନାହିଁ । ଦେଶର ଅନ୍ୟ ରାଜ୍ୟରେ ଲିଫ୍ଟ ଅଧିନିୟମ(ବାଇ-ଲ) ରହିଥିଲେ ମଧ୍ୟ ଓଡ଼ିଶାରେ ସେଭଳି ବ୍ୟବସ୍ଥା ନାହିଁ । ରାଜଧାନୀ ହେଉ କି ଅନ୍ୟ ସହର ସବୁଠି ଉଚ୍ଚ ଅଟ୍ଟାଳିକା ନିର୍ମାଣ ଚାଲିଛି ।\
ସପିଂ ମଲ୍ଠୁ ଆରମ୍ଭ କରି ବଡ଼ ଆପାର୍ଟମେଣ୍ଟ, ସରକାରୀ ଦପ୍ତର କୋଠାରେ ଲିଫ୍ଟ ଲଗାଯାଇଛି । ମାତ୍ର ୩ରୁ ୪ ମହଲା କୋଠାରେ ବି ଏବେ ଅନେକ ଘରୋଇ ଲୋକ ଲିଫ୍ଟ ଲଗାଉଛନ୍ତି । ଲିଫ୍ଟ ଲଗାଇବା ଖରାପ ନୁହେଁ, ବରିଷ୍ଠ ନାଗରିକ ଓ ରୋଗୀଙ୍କ ପାଇଁ ସୁବିଧା ମିଳିବ । କିନ୍ତୁ ଏହାର ଠିକ୍ ଯାଞ୍ଚ କରାଯାଉନି । ଏପରିକି ଲିଫ୍ଟ ପାଇଁ ପ୍ରତିବର୍ଷ ମେଣ୍ଟେନାନ୍ସ ଯାଞ୍ଚ କରିବାର ନିୟମ ରହିଥିଲେ ମଧ୍ୟ ଏହାକୁ କେହି ମାନୁ ନାହାନ୍ତି । ସେହିପରି ଲିଫ୍ଟରେ ଲାଇଫ୍ କିଟ୍ ମଧ୍ୟ ରଖାଯାଉନି । ଯାହା ଫଳରେ ଦୁର୍ଘଟଣା ଘଟିଲେ ସୁରକ୍ଷା ଦେଇ ହେଉନି । ୨୦୨୨ରେ ଭୁବନେଶ୍ୱରରେ ଜଣେ ୬୮ ବର୍ଷ ବୃଦ୍ଧଙ୍କର ଲିଫ୍ଟରୁ ପଡ଼ି ମୃତ୍ୟୁ ହୋଇଥିଲା । ସେହିପରି ଅନୁଗୁଳୁରେ ଚଳିତବର୍ଷ ଏକ ସପିଙ୍ଗ ମଲ୍ରେ ଲିଫ୍ଟ ଅଟକିବାରୁ ୮ ଜଣ ପ୍ରାୟ ୪୫ ମିନିଟରୁ ଉଦ୍ଧ୍ୱର୍ ସମୟ ଫସି ରହିଥିଲେ । ଦେଶର ୩ ବଡ଼ ସହରରେ ଲିଫ୍ଟ ପରିଚାଳନା ପାଇଁ ଅଧିନିୟମ ରହିଛି । ମହାରାଷ୍ଟ୍ରରେ ରାଜ୍ୟସ୍ତରୀୟ ଲିଫ୍ଟ ଅଧିନିୟମ ୧୯୩୯, ଦିଲ୍ଲୀରେ ଲିଫ୍ଟ ନିୟମ ୧୯୪୨ ଏବଂ ଗୁଜରାଟ ଭଳି ୧୧ ବଡ଼ ସହରରେ ଏହି ଲିଫ୍ଟ ଅଧିନିୟମ ଲାଗୁ କରାଯାଇଛି ।
ଏହି ନିୟମ ଅନୁସାରେ ଲିଫ୍ଟ ହେଡ ୍ଲାଇଟ ଉଚ୍ଚତା ୬୦ ଇଞ୍ଚ ଏବଂ ଟେଲ୍ ଲାଇଟ୍ ଉଚ୍ଚତା ୮୦ ଇଞ୍ଚ ରହିବ । ଲିଫ୍ଟର ଆକାର ଅନୁସାରେ ଏହାର ଜନ ଧାରଣ କ୍ଷମତା ରହିବ । ଏହା ସହ ଲିଫ୍ଟ ଏବଂ ଏସ୍କାଲେଟରକୁ ପ୍ରତି ବର୍ଷ ଯାଞ୍ଚ କରାଯିବ । ଏଥିପାଇଁ ଜଣେ ମୁଖ୍ୟ ଲିଫ୍ଟ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ । ସେ ଏହାକୁ ଯାଞ୍ଚ କରିବା ସହ ଲାଇସେନ୍ସ ପ୍ରଦାନ କରିବେ । ଏହା ସହ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ(ବିଆଇଏସ୍) କେଉଁ ପ୍ରକାର ଲିଫ୍ଟ ଲାଗୁଛି ଏହାକୁ ତର୍ଜମା କରିବାର ନିୟମ ରହିଛି । ଏନେଇ କେନ୍ଦ୍ର ଗ୍ରାହକ ଉପଭୋକ୍ତା ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ରେ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଲିଫ୍ଟ ଅଧିନିୟମ ଆଣିବାକୁ ଚିଠି ଲେଖି ଅବଗତ କରାଯାଇଥିଲା । ହେଲେ ଓଡ଼ିଶାରେ ଏହି ନିୟମକୁ ଆଜି ପର୍ଯ୍ୟନ୍ତ ଲାଗୁ କରାଗଲା ନାହିଁ । ଭୁବନେଶ୍ୱର ମହାନଗର ନିମଗ(ବିଏମ୍ସି) କମିଶନର ଚଞ୍ଚଳ ରାଣା କହିଛନ୍ତି, ଏହାକୁ ତର୍ଜମା କରାଯିବ । ଅନ୍ୟ ସହର ଭଳି ରାଜଧାନୀରେ ମଧ୍ୟ ଆଗକୁ ଲିଫ୍ଟ ନିୟମ ଆଣିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି ।