ମାଲକାନଗିରି, ୨୬/୯ (ଆପ୍ର): ଅବକାରୀ ବିଭାଗର ପାଟ୍ରୋଲିଙ୍ଗ ବେଳେ ଛତିଶଗଡ଼କୁ ଯାଉଥିବା ଏକ ଗାଡି ସହିତ ୪୦ କେଜି ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ସାମିଲ ଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗୱାଡା ଗ୍ରାମ ନିକଟ କେନାଲ ରୋଡରେ କାଲିମେଳା ଅବକାରୀ ଥାନା ଅଧିକାରୀ ଦୀପକ କୁମାର ସାମଲଙ୍କ ନେତୃତ୍ୱରେ ପାଟ୍ରୋଲିଙ୍ଗ ଚାଲିଥିଲା। ତେବେ ସେହି ରାସ୍ତାରେ ଦ୍ରୁତଗତିରେ ଯାଉଥିବା ଏକ ଗାଡି ଉପରେ ସନ୍ଦେହ ହେବରୁ ତାକୁ ଅଟକାଯାଇ ଥିଲା। ଯାଞ୍ଚରୁ ଉକ୍ତ ଟ୍ରକରେ ୪୦ କିଲୋଗ୍ରାମ ଚୋରା ଗଞ୍ଜେଇ ଏବଂ ଗୋଟିଏ TATA(Intra) V10 ଚାରି ଚକିଆ ଗାଡି ଜବତ କରାଯାଇଛି।

ଏହି ଚୋରା ଚାଲାଣ ଘଟଣାରେ ମୋଟୁ. ଥାନା ଅଧିନସ୍ଥ ପୁସୁଗୁଡ଼ା ଗ୍ରାମର ସୋଡି ମୁନ୍ନା ଏବଂ ଆଶିଷ ସାଲବାମ ନାମକ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ଛତିଶଗଡ଼କୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ସେମାନଙ୍କୁ ଗିରଫ କରାଯାଇଥିଲା। ପେଟ୍ରୋଲିଂ ସମୟରେ କନେଷ୍ଟବଳ ପ୍ରବୀଣ କୁମାର ସାହୁ, ସୁଜାତା ହିଆଲ ଏବଂ ଅନ୍ୟାନ୍ୟ ଏକ୍ସାଇଜ୍ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।