ପାତ୍ରପୁର,୧।୧୦ : ଜରଡ଼ା ଥାନା ଅନ୍ତର୍ଗତ ସି.ସରଧାପୁର ଗ୍ରାମର ଜଣେ ମହିଳା ଆତ୍ମହତ୍ୟା କରିଥିଲେ। ତେବେ ଯୌତୁକ ପାଇଁ ହତ୍ୟା କରାଯାଇଥିବା ମହିଳାଙ୍କ ବାପାଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଯାହା ଫଳରେ ପୋଲିସ ମହିଳାଙ୍କ ମୃତ୍ୟୁର ଦୁଇଦିନ ପରେ ଶ୍ମଶାନରୁ ଜବତ କରିଛି ମୃତ ମହିଳାଙ୍କ ହାଡ଼ ଓ ପାଉଁଶ ।
ଦିଗପହଣ୍ଡି ବ୍ଲକ ବୁରିପଦର ଗ୍ରାମର ଉଦୟ ନାଥ ମହାରଣାଙ୍କ ଝିଅ ଚାନ୍ଦିନୀ ମହାରଣା(୩୦) ୨୦୨୦ମସିହା ଫେବ୍ରୁଆରୀରେ ଜରଡ଼ା ଥାନା ଅନ୍ତର୍ଗତ ସି.ସରଧାପୁର ଗ୍ରାମର ଲଷ୍ମୀ ଚରଣ ମହାରଣାଙ୍କୁ ବିବାହ କରିଥିଲେ । ତାଙ୍କର ବର୍ତ୍ତମାନ ଏକ କନ୍ୟା ସନ୍ତାନ ଅଛି । ଯୁବତୀଙ୍କ ସ୍ୱାମୀ ବିଶାଖାପାଟଣା ଠାରେ ୱେଲ୍ଡର ଭାବେ କାର୍ଯ୍ୟ କରନ୍ତି । କୌଣସି କାରଣ କୁ ନେଇ ୨୮ ତାରିଖ ଭୋରୁ ଚାନ୍ଦିନୀ ଆତ୍ମହତ୍ୟା କରିଥିଲେ । ଉକ୍ତଦିନ ତାଙ୍କର ଶବ ସତ୍କାର ହୋଇଥିଲା ।
ମଙ୍ଗଳବାର ମୃତ ଯୁବତୀଙ୍କ ବାପା ଜରଡ଼ା ଥାନାରେ ପହଂଚି ତାଙ୍କ ଝିଅକୁ ପୁଅଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେଇଆସୁଥିଲେ। ଯାହା ଫଳରେ ତାଙ୍କ ଝିଅ ମାନସିକ ଭାରସାମ୍ୟ ହରେଇ ମୃତ୍ୟୁ ବରଣ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଜରଡ଼ା ପୋଲିସ ଶ୍ମଶାନରୁ ହାଡ଼ ଓ ପାଉଁଶ ଜବତ କରିଛି ।
ଜରଡ଼ା ଥାନାଧିକାରୀ ଟୁନା ସାସମଲଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଚାନ୍ଦିନୀଙ୍କ ଆତ୍ମହତ୍ୟା ଖବର ପୁଅଘର ଲୋକେ ଦେବା ପରେ ମୃତ ଚାନ୍ଦିନୀଙ୍କ ବାପା ଓ ଦୁଇଭାଇ ସି.ସରଧାପୁର ଗାଁରେ କିଛି ଭାଦ୍ରଲୋକ ଙ୍କ ସହିତ ପହଞ୍ଚିଥିଲେ । ତାପରେ ଶବ ସତ୍କାର ହୋଇଥିଲା । ବର୍ତ୍ତମାନ ସେମାନେ ଯୌତୁକ ନିର୍ଯ୍ୟାତନା ଯୋଗୁଁ ତାଙ୍କ ଝିଅ ମୃତ୍ୟୁବରଣ କରିଥିବା ଅଭିଯୋଗ ଆଣୁଥିବାରୁ ପୋଲିସ ଏକ ମାମଲା ରୁଜୁ କରି ଶ୍ମଶାନରୁ ହାଡ଼,ପାଉଁଶ ଜବତ କରି ତଦନ୍ତ ଆରମ୍ଭ କରିଛି । ଜରଡ଼ା ଥାନା ଏସଆଇ ମୀନାକ୍ଷୀ ଦଳବେହେରା ଘଟଣାର ତଦନ୍ତ କରୁଛନ୍ତି ।