ପାଟଣାଗଡ଼, ୨୦।୯(ଆପ୍ର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ସୁନାମୁଦି ପାକ୍ସରେ ସାର କଳାବଜାରୀଙ୍କୁ ନେଇ ପାକ୍ସ ଶନିବାର ଘେରାଉ କରିଛନ୍ତି ଚାଷୀ। ସମ୍ପାଦକ, ସହକାରୀ କୃଷି ଅଧିକାରୀ ଓ ତହସିଲଦାଲଙ୍କୁ ଅଟକ ରଖିଥିଲେ। ଶେଷରେ ପୁଲିସ ହସ୍ତକ୍ଷେପ ପରେ ଅଟକ ଅଧିକାରୀ ଉଦ୍ଧାର ହୋଇଛନ୍ତି।
ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ସୁନାମୁଦି ପାକ୍ସ ସମ୍ପାଦକ ଚାଷୀମାନଙ୍କୁ ଋଣ ଦେବା ନେବା, ଧାନ କାର୍ଡ ରେଜିଷ୍ଟ୍ରେସନ, ଧାନ ବିଣାବିକା ସହ ସାର ଦେବା ନେବାରେ ପାତର ଅନ୍ତର କରୁଛନ୍ତି। ଏପରିକି ପ୍ରଥମ ପର୍ଯ୍ୟାୟରେ ଆସିଥିବା ଡିଏପି, ପଟାସ ଓ ୟୁରିଆ ସାର ହାତ ଗଣତି କିଛି ଚାଷୀଙ୍କୁ ସମ୍ପାଦକ ଜଣକ ଦେଇ ବାକିତକ ସାର ଖୋଲା ବଜାରରେ ଚଢ଼ା ଦରରେ ବିକ୍ରି କରି ଦେଇଥିଲେ। ଯାହାକୁ ନେଇ ଚାଷୀମାନେ ଏ ସମ୍ପର୍କରେ ବାରମ୍ବାର ଉପଖଣ୍ଡ ଜିଲ୍ଲା କୃଷି ଅଧିକାରୀଙ୍କୁ ଅଭିଯୋଗ କରି ଆସୁଥିଲେ। କିନ୍ତୁ ସେମାନେ କୌଣସି ସୁଫଳ ପାଇନଥିଲେ। ଶୁକ୍ରବାର ଏହି ପାକ୍ସକୁ ଦ୍ଵିତୀୟ ପର୍ଯ୍ୟାୟର ପୁଣି ୟୁରିଆ ସାର ଆସିଥିଲା। ଖବର ପାଇ ଚାଷୀମାନେ ସକାଳୁ ନିଜର ଆଧାର କାର୍ଡ ଧରି ଲମ୍ବା ଲାଇନରେ ଠିଆ ହୋଇଥିଲେ। ସମ୍ପାଦକ ଆସିବା ପରେ ଚାଷୀମାନେ ତାଙ୍କୁ ୟୁରିଆ ସାର ଦେବା ସହ ପ୍ରଥମ ପର୍ଯ୍ୟାୟରେ ଆସିଥିବା ବିଭିନ୍ନ ପ୍ରକାର ସାର କେଉଁ ସବୁ ଚାଷୀଙ୍କୁ ଦିଆଯାଇଛି ତାର ତାଲିକା ମଧ୍ୟ ମାଗିଥିଲେ। ଏହାକୁ ନେଇ ସମ୍ପାଦକଙ୍କ ସହ ବଚସା ହୋଇଥିଲା। ଖବର ପାଇ ପ୍ରଥମେ ସହକାରୀ କୃଷି ଅଧିକାରୀ ରାଜେଶ୍ଵରୀ ଭୋଇ ଓ ପରେ ତହସିଲଦାର ରୁଦ୍ର ମୋହନ ନାଏକ ଏହାର ସମାଧାନ ପାଇଁ ଆସିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଚାଷୀମାନେ ସମ୍ପାଦକ, ସହକାରୀ କୃଷି ଅଧିକାରୀ ଓ ତହସିଲଦାରଙ୍କୁ ଦୀର୍ଘ ୨ ଘଣ୍ଟା ଧରି କାର୍ଯ୍ୟାଳୟର ପରିସରରେ ତାଳା ମାରି ଅଟକ ରଖିଥିଲେ। ଖବର ପାଇ ପାଟଣାଗଡ ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟା ସଦଳବଳେ ଘଟଣାସ୍ଥଳକୁ ପହଞ୍ଚି ଉତ୍ତ୍ୟକ୍ତ ଚାଷୀ ମାନଙ୍କୁ ବୁଝାସୁଝା ପରେ ଅଧିକାରୀମାନଙ୍କୁ ଉଦ୍ଧାର କରିଥିଲେ।
ଏ ସମ୍ପର୍କରେ ସମ୍ପାଦକ ମୌସମ ବେହେରାଙ୍କୁ ପଚାରିବାରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ଡିଏପି ପଟାସ ଓ ୟୁରିଆ ସାର ଚାଷୀମାନଙ୍କୁ ଦିଆଯାଇଛି। ଯଦି ଚାଷୀ ମାନଙ୍କୁ ସାର ଦିଆଯାଇଛି ତେବେ ସାରର ତାଲିକା କାହିଁକି ଚାଷୀ ମାନଙ୍କୁ ଜଣାଉନାହାନ୍ତି ବୋଲି ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଖବର ପାଇଁ ଜିଲ୍ଲା କୃଷକ ମହାସଂଘ ସଭାପତି ଜତି ପ୍ରଧାନ ପହଞ୍ଚି ଚାଷୀ ମାନଙ୍କ ସହ ସାମିଲ ହୋଇ ପାକ୍ସ ସମ୍ପାଦକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ।