ଝରିଗାଁ,୨୨/୧୦ : ମାଟିର ଉର୍ବରତା ହ୍ରାସ ଯୋଗୁ ଝରିଗାଁ ଚାଷୀ ବିରି ଚାଷ ପ୍ରତି ବିମୁଖ ହେବାରେ ଲାଗିଛନ୍ତି । ଦିନଥିଲା ଅଞ୍ଚଳର ପ୍ରାୟ ଚାଷୀ ବିରି କରୁଥିଲେ । ବେପାରୀମାନେ ଏଠାରୁ ବିରି କିଣି ବାହାର ରାଜ୍ୟକୁ ରପ୍ତାନି କରି ଭଲ ରୋଜଗାର କରି ଲାଭବାନ ହେଉଥିଲେ । ଗତ ୩ ଦଶନ୍ଧି ହେଲା ଏହି ଚାଷରେ ଭଟ୍ଟା ପଡିଛି । ଶଙ୍କର ଜାତୀୟ ମକା ଚାଷ, ସ୍ୱଳ୍ପବୃଷ୍ଟି ଏହାର ପ୍ରମୁଖ କାରଣ ବୋଲି ଚାଷୀ କହୁଛନ୍ତି । ସେହିପରି କମଖର୍ଚ୍ଚ, କମ ଅବଧି, ଅଳ୍ପ ପରିଶ୍ରମରେ ମକା ହେଉଥିବାରୁ ସେଥିପ୍ରତି ଚାଷୀ ଅଧିକ ଆକୃଷ୍ଟ ହେଉଛନ୍ତି । ଯଦ୍ୱାରା ବିରି ଚାଷ ପ୍ରଭାବିତ ହୋଇଥିବା ଅଞ୍ଚଳର ଚାଷୀମାନେ କହିଛନ୍ତି ।  

ଝରିଗାଁ ବ୍ଲକରେ ୧୭ ହଜାର ୩୫୦ ହେକ୍ଟର ଚାଷଜମି ରହିଛି । ସେଥିମଧ୍ୟରେ ଡଙ୍ଗର ଜମି ପରିମାଣ ୭ ହଜାର ୯୫୦ ହେକ୍ଟର । ଚାଷୀଙ୍କ କହିବା ପ୍ରକାରେ ବର୍ତ୍ତମାନ ଡଙ୍ଗଲ ଜମିଗୁଡିକରେ ମକା ଚାଷ ଜାରି ରହିଛି । କିଛିବର୍ଷ ତଳେ ଅଞ୍ଚଳର ୫୦ ପ୍ରତିଶତ ଜମିରେ ଡାଲିଜାତୀୟ ଫସଲ ହେଉଥିଲା । ବିରି, କୋଳଥ, ଝୁଡୁଙ୍ଗ, ସିମ୍ବ ସହ ମାଣ୍ଡିଆ, ସୁଆଁ, ଖେଡଜନା (ଜନ୍ଦ୍ରି) ଭଳି କ୍ଷୁଦ୍ରଶସ୍ୟ ଆଦି ଚାଷ କରାଯାଉଥିଲା । ଏସବୁ ଭିତରେ ବିରି ଚାଷକୁ ଅଞ୍ଚଳର ଚାଷୀମାନେ ଅଧିକ ଗୁରୁତ୍ୱ ଦେଉଥିଲେ । ଏବେ କିନ୍ତୁ ବିରି ଚାଷ ବିରଳ ଫସଲରେ ପରିଣତ ହୋଇଛି । ଏହାର ବଡ କାରଣ ହେଲା ମକାଚାଷ । ଅଧିକ ଲାଭ ଆଶାରେ ଏଥିରେ ପ୍ରୟୋଗ ହେଉଥିବା ରାସାୟନିକ ସାର ଯୋଗୁ ମାଟିର ପୋଷକ ତତ୍ତ୍ୱ ନଷ୍ଟ ହେବାରେ ଲାଗିଛି । ଏଥିସହ ଜମିଗୁଡିକ ମଧ୍ୟ ଅନୁର୍ବର ହେବାରେ ଲାଗିଛି ।

ଗାଁ ଗହଳରେ ପୂର୍ବପରି ଗୋରୁଗାଈ ନାହାନ୍ତି । ପ୍ରାଣୀସମ୍ପଦ ହ୍ରାସ ସାଙ୍ଗକୁ ଜୈବିକ ସାର ଅଭାବରେ ଚାଷୀ ମଧ୍ୟ ବାଧ୍ୟହୋଇ ରାସାୟନିକ ସାରକୁ ଆପାଣାଇଥିବାରୁ ବିରି ଉତ୍ପାଦନ ବହୁ ପରିମାଣରେ କମିଯାଇଛି । ଅନ୍ୟପକ୍ଷେ ଉତ୍ପାଦନ ହ୍ରାସ ଯୋଗୁ ଏବେ ଅଞ୍ଚଳରେ ବିରି ଦର ଆକାଶଛୁଆଁ ହୋଇଗଲାଣି । ଚାଷୀ କହିଛନ୍ତି, ଅଞ୍ଚଳର ଅଣଜଳସେଚିତ ଜମିରେ ବର୍ଷକୁ ଥରେ ବିରି ଚାଷ ହେଉଛି । ଜଳସେଚିତ ଜମିଗୁଡ଼ିକରେ ୩ ଥର ଉତ୍ପାଦନ ହେଉଛି । ବିରି ବୁଣିବା ଠାରୁ ଅମଳ ପର୍ଯ୍ୟନ୍ତ ପ୍ରାୟ ୭୦-୭୫ ଦିନ ଲାଗୁଛି । ବୈଜ୍ଞାନିକ ପଦ୍ଧତି, ଜଳସେଚନ ସୁବିଧା, ଉନ୍ନତମାନର ବିହନ, ଜମିପ୍ରସ୍ତୁତି, ବିହନ ବିଶୋଧନ, ମାଟି ପରୀକ୍ଷା ପ୍ରତି ଦୃଷ୍ଟି ଦିଆଗଲେ ବିରି ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଚାଷୀ ଲାଭ ପାଇପାରନ୍ତେ ବୋଲି କହିଛନ୍ତି । କୃଷି ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଚାଷୀମାନେ କହିଛନ୍ତି ।