ରାୟଗଡ(ଗଜପତି) ୮।୧୦ - ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧୀନ ମାର୍ଲବା ପଞ୍ଚାୟତର ପେକେଟ ଗ୍ରାମରେ ଦଶହରା ଦିନ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗ୍ରାମ ନିକଟସ୍ଥ ବାଘମରା ପାହାଡ଼ ଭୁସ୍ଖଳନ ହୋଇଥିଲା।  ଏଥିରେ  ବାପା କାର୍ତ୍ତିକ ଶବର ଓ ପୁଅ ରାଜିକ ଶବର ମାଟି ପଥର ତଳେ ଚାପି ହୋଇ ନିଖୋଜ ହୋଇଥିଲେ l ଦୀର୍ଘ ସାତ ଦିନ ଧରି ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲେ ମଧ୍ୟ ଏଯାଏଁ ନିଖୋଜ ବାପା ପୁଅଙ୍କ ଖୋଜ ଖବର ମିଳିପାରି ନାହିଁ l

ଉକ୍ତ ଘଟଣା ଘଟିବା ମାତ୍ରେ ପ୍ରଶାସନ ପକ୍ଷରୁ ବାପାପୁଅ କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଓ ପୋଲିସ ସହ ଚାରିଟି ଜେସିବି ଯୁଦ୍ଧକାଳୀନ ଭିତ୍ତିରେ ଘଟଣାସ୍ଥଳରେ ପହଞ୍ଚାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା l ପରେ ଜିଲ୍ଲା ପ୍ରଶାସନ କୋରାପୁଟ, ଗୁଣୁପୁର ଏବଂ ଭଞ୍ଜନଗରରୁ ୮୭ ଜଣ ଓଡ୍ରାଫ ଟିମ ଏବଂ ଅତିରିକ୍ତ ୩୦ ଜଣ ଅଗ୍ନିଶମ ବାହିନୀଙ୍କ ସମେତ ୭ଟି ଅତ୍ୟାଧୁନିକ ହିଟାଚି ମେସିନ ନିୟୋଜିତ କରିଥିଲେ।  ଘଟଣାସ୍ଥଳ ଠାରୁ ବହୁ ଅଞ୍ଚଳକୁ ଛାନଭିନ କରିବା ସହ ନଦୀର ପ୍ରାୟ ୨୦ କିମି ପର୍ଯ୍ୟନ୍ତ ଖୋଜିଥିଲେ।  ଏପରିକି ଗ୍ରାମବାସୀଙ୍କ ସନ୍ଦେହ ଘେରରେ ଥିବା ସ୍ଥାନ ବା ବଡ଼ ବଡ଼ ପଥର ଗଦାକୁ ହଟେଇ ମଧ୍ୟ ଖୋଜିଥିଲେ। ଉଦ୍ଧାରକାରୀ ଦଳ କିନ୍ତୁ ଏଯାଏଁ କୌଣସି ସୁଫଳ ମିଳିପାରିନାହିଁ l

ଏନେଇ ବିଡ଼ିଓ ସନ୍ତୋଷ କୁମାର ବାରିକ,  ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ସବୁପ୍ରକାର ଚେଷ୍ଟା କରିଥିଲେ l ଉଭୟ ଜିଲ୍ଲା ଓ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଜଗି ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିଲେ l ଶେଷରେ ଏତେସବୁ ପ୍ରୟାସ ସତ୍ୱେ ନିଖୋଜଙ୍କ ସନ୍ଧାନ ମିଳିନାହିଁ ଫଳରେ ନିଖୋଜଙ୍କ ପରିବାରଙ୍କ ସମେତ ଗ୍ରାମବାସୀ ପ୍ରଶାସନର ଅନବରତ ଚେଷ୍ଟାରେ  ସନ୍ତୁଷ୍ଟ ହୋଇ ଉଦ୍ଧାର କାର୍ଯ୍ୟ ସୀମିତ ରଖିବାକୁ ଅନୁରୋଧ କରିଛନ୍ତି। ସରପଞ୍ଚ ଜଳନ୍ଧର କାର୍ଜୀ ଓ ବଡିଓ ସନ୍ତୋଷ କୁମାର ବାରିକଙ୍କ ପରିଶ୍ରମକୁ ପ୍ରଶଂସା କରି ନିଖୋଜଙ୍କୁ ମୃତ ଘୋଷଣା କରି ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ କରିଥିଲେ। ଆଗକୁ ଉଦ୍ଧାର କାର୍ଯ୍ୟ କେଉଁ ପ୍ରକାର କରାଯିବ ନା ସ୍ଥଗିତ କରାଯିବ ତାହା ଜିଲ୍ଲା ପ୍ରଶାସନ ସ୍ଥିର କରିବ।