ଉମରକୋଟ, ୨୭୧୦ (ଆପ୍ର) : ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନ ସେମଳା ପଞ୍ଚାୟତ ବଡ ବାସିନୀ ଗ୍ରାମରେ। ମୃତକ ଜଣକ ହେଲେ ଉମରକୋଟ ବ୍ଲକ ଅନ୍ତର୍ଗତ ସେମଳା ପଞ୍ଚାୟତ ବଡ ବାସିନୀ ଗ୍ରାମର ସାଧୁ ରାଜଗଣ୍ଡ (୮୦)।

ସାଧୁ ସୋମବାର ଅପରାହ୍ନ ସମୟରେ ଘରେ ଶୋଇଥିଲେ। ଏହି ସମୟରେ ପୁଅ ବିଶ୍ବନାଥ ରାଜଗଣ୍ଡ ଏକ ଟାଙ୍ଗିଆରେ ସାଧୁଙ୍କୁ ଆକ୍ରମଣ କରିଥିଲେ। ପରେ ବିଶ୍ବନାଥ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ଝରିଗାଁ ବ୍ଲକ କୋଲେଗାଁ ପଂଚାୟତ ଅଧୀନ କୁଟ୍ରିଛାପର ଗ୍ରାମରେ ରହୁଥିବା ଝିଅ ଲକ୍ଷ୍ମୀ ଦୁରୁଆ(୩୦)ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଗୁରୁତର ଅବସ୍ଥାରେ ବାପାଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସାଧୁ ରାଜ ଗଣ୍ଡଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ଲକ୍ଷ୍ମୀ ଦୁରୁଆ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଥାନା ଅଧିକାରୀ ରମାକାନ୍ତ ସାଇଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି। ସୂଚନା ଥାଉ କି ରବିବାର ସାଧୁ ରାଜ ଗଣ୍ଡଙ୍କ ପତ୍ନୀଙ୍କ ଦଶାହ କାର୍ଯ୍ୟ ସମ୍ପନ୍ନ ହୋଇଛି।