ଭୁବନେଶ୍ୱର,୪/୧୦ : ଗଣମାଧ୍ୟମ ଅନୁଷ୍ଠାନ ମାରୁତି ମିଡିଆପକ୍ଷରୁ ଚଳିତ ମାସ ୧୧ ଏବଂ ୧୨ତାରିଖ ଦୁଇ ଦିନ ଧରି ଏଠାରେ ବ୍ୟାଙ୍କ ଓ ଆର୍ଥିକ ସେବା ସମ୍ପର୍କିତ ଜାତୀୟ ସମ୍ମିଳନୀ ଫିନଭିଜନ ଓଡ଼ିଶା-୨୦୨୫ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟର ପ୍ରମୁଖ ଶିଳ୍ପ-ବାଣିଜ୍ୟ ସଂଘ ଉକ୍ରଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍)ସହଯୋଗରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ବିଶେଷଜ୍ଞ ଯୋଗଦେଇ ଓଡ଼ିଶାରେ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରର ସ୍ଥିତି ଓ ବିକାଶ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ ।

ଏହି ସମ୍ମିଳନୀରେ ଉଦଘାଟନୀ ଓ ଉଦଯାପନୀ କାର୍ଯ୍ୟକ୍ରମ ବ୍ୟତୀତ ବ୍ୟାଙ୍କ ସେବା, ଷ୍ଟକ ଓ ସେୟାର ବଜାର, ମ୍ୟୁଚୁଆଲ୍ ଫଣ୍ଡ୍, ଏସ୍ଏମ୍ଇ, ଆଇପିଓ, ଗୃହ ଅର୍ଥଲଗାଣ ଏବଂ ବୀମା ସେବା ଆଦି ପ୍ରସଙ୍ଗରେ ମୋଟ୍ ୪ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ । ମଞ୍ଚାସୀନ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିବା ପରେ ବିଜ୍ଞ ଦର୍ଶକ ମଣ୍ଡଳୀଙ୍କ ସହ ଭାବ ବିନିମୟ କରିବେ। ଅତିଥିଙ୍କ ଆଲୋଚନା, ମତ ବିନିମୟ ଓ ରାଜ୍ୟରେ ବ୍ୟାଙ୍କ ତଥା ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରର ବିକାଶ ପାଇଁ ବିଶେଷଜ୍ଞମାନେ ଯେଉଁ ସବୁ ସୁପାରିଶ କରିବେ, ସେ ସବୁକୁ ଏକତ୍ର କରି ଏକ ସୁଶୋଭନୀୟ ସଂକଳନ ପ୍ରକାଶ କରାଯିବା ସହ ଏହାକୁ ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ୟୁସିସିଆଇଏଲ୍ର ସଭାପତି ଡକ୍ଟର ପ୍ରବୋଧ କୁମାର ମହାନ୍ତି ଏବଂ ଆୟୋଜକ ମାରୁତି ମିଡ଼ିଆର ନିର୍ଦ୍ଦେଶକ ମନୋଜ ପୃଷ୍ଟି ତଥା ଅନ୍ୟାନ୍ୟ କର୍ମକର୍ତ୍ତାମାନେ ୟୁସିସିଆଇଏଲ୍ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ୟୁସିସିଆଇଏଲର ଉପସଭାପତି ମୁରଲୀ ଜାମୁଲା, ଯୁଗ୍ମ ସମ୍ପାଦକ ସନ୍ତୋଷ ଅଗ୍ରୱାଲ ଏବଂ କୋଷାଧ୍ୟକ୍ଷ ନାରାୟଣ କୁମାର ପ୍ରମୁଖ ଜାତୀୟ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ମାରୁତି ମିଡ଼ିଆ ପକ୍ଷରୁ ଭୁବନେଶ୍ୱରରେ ଦୁଇ ଦିନିଆ ରାଜ୍ୟସ୍ତରୀୟ କୃଷି ଉଦ୍ୟୋଗୀ ସମ୍ମିଳନୀ ଫାର୍ମିଂ ଇନ୍ ଓଡ଼ିଶାସଫଳତାର ସହିତ ଆୟୋଜିତ ହୋଇଥିଲା ।