ଭୁବନେଶ୍ବର,୧୮।୯ : ପିଡିଏସ ଚାଉଳ ହେରଫେର ମାମଲାର ବିଚାର କରି ବାଲେଶ୍ବର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ପୂର୍ବତନ ସହାୟକ ଯୋଗାଣ ଅଧିକାରୀ  ପୂର୍ବତନ ଗୋଦାମ ସହାୟକଙ୍କୁ ୩ ବର୍ଷ ଲେଖାଏଁ ଜେଲ ସହ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।

ବାଲେଶ୍ୱର ଜିଲା ଯୋଗାଣ କାର୍ଯ୍ୟାଳୟର  ଅବସରପ୍ରାପ୍ତ ପୂର୍ବତନ ସହାୟକ ଯୋଗାଣ ଅଧିକାରୀ ଝସକେତନ ପ୍ରଧାନ ଏବଂ ବାଲେଶ୍ୱରର ରାଇସ ରିସିଭିଂ ସେଣ୍ଟର ଅବସରପ୍ରାପ୍ତ ପୂର୍ବତନ ଗୋଦାମ ସହାୟକ ବିଜୟ କୁମାର ନାୟକ ସେମାନଙ୍କ ପଦବୀର ଅପବ୍ୟବହାର କରି ୧୨୬୬.୨୬ କୁଇଣ୍ଟାଲ ପିଡିଏସ ଚାଉଳ ହେରଫେର  କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ  ଏହାର ତଦନ୍ତ କରି କୋର୍ଟରେ ସେମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ବାଲେଶ୍ବର ଭିଜିଲାନ୍ସ କୋର୍ଟ ଏହି ମାମଲାର ବିଚାର କରି ଝସକେତନ ଓ ବିଜୟଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ଭିଜିଲାନ୍ସ ପକ୍ଷରୁ  ଉଭୟଙ୍କ ପେନସନ ବନ୍ଦ କରିବା ପାଇଁ ସମ୍ପୃକ୍ତ ବିଭାଗ ନିକଟରେ ଆବେଦନ କରିବେ  ବୋଲି ଜଣାପଡିଛି।