ନୂଆଦିଲ୍ଲୀ, ୫।୯: ଆଧୁନିକ ସର୍ଭେରେ ପ୍ରଥମ ଥର ମଧ୍ୟ-ବୟସ୍କଙ୍କ ତୁଳନାରେ ‘ଜେନ୍-ଜି’ ବା ବର୍ତ୍ତମାନର ଯୁବଗୋଷ୍ଠୀ ଅଧିକ ଦୁଃଖୀ ବୋଲି ରିପୋର୍ଟରୁ ଜଣାପଡ଼ିଛି । ୪୪ ଦେଶର ଏକ ବିଶ୍ୱସ୍ତରୀୟ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ୧୨ରୁ ୨୮ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଦୁଃଖ ମନୋଭାବ ବୃଦ୍ଧି ପାଉଛି । ଜୀବନରେ ଖୁସିକୁ ମାପୁଥିବା ଏକ ଦୀର୍ଘ ଅବଧିର ଅନ୍ତର୍ଜାତୀୟ ସର୍ଭେ ସହାୟତାରେ ଏହି ଅଧ୍ୟୟନ କରାଯାଇଥିଲା । ଆଲେକ୍ସ ବ୍ରିସନ୍ ଓ ସିଆଓୱି ସୁଙ୍କ ସହଯୋଗରେ ଅଧ୍ୟୟନର ନେତୃତ୍ୱ ନେଇଥିଲେ ଡେଭିଡ୍ ଜି. ବ୍ଲାନ୍ଚଫ୍ଲାୱାର । ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଅଧ୍ୟୟନର ତଥ୍ୟ ପ୍ରସାରିତ ହୋଇଛି ।
ପୂର୍ବ ପିଢ଼ି ଜୀବନର ପ୍ରାୟ ମଧ୍ୟଭାଗରେ ନିଜକୁ ଦୁଃଖୀ ଅନୁଭବ କରୁଥିଲେ । କିନ୍ତୁ, ବର୍ତ୍ତମାନର ଯୁବପିଢ଼ି ପ୍ରାରମ୍ଭିକ ପର୍ଯ୍ୟାୟ, ଅର୍ଥାତ୍ ୧୨-୨୮ ବର୍ଷ ବୟସରେ ଅଧିକ ଦୁଃଖରେ ସମୟ ବିତାଉଛନ୍ତି । ବୟସ ସହିତ ସେମାନଙ୍କ ଜୀବନ ସହଜ ହୋଇଯାଉଛି । ଉଚ୍ଚ-ଆୟଯୁକ୍ତ ଦେଶରେ ଏହି ପରିବର୍ତ୍ତନ ଅଧିକ ଲକ୍ଷ୍ୟ କରାଯାଇଛି । କିନ୍ତୁ, ଅନେକ ଦେଶରେ ଏହା ବିସ୍ତୃତ ଭାବେ ଦେଖିବାକୁ ମିଳୁଛି । ଏହି ପ୍ୟାଟର୍ନକୁ ‘ସ୍କି ସ୍ଲୋପ୍’ ଭାବେ ବର୍ଣ୍ଣନା କରାଯାଇଛି । କିଶୋରାବସ୍ଥା ଶେଷ ଏବଂ ଯୁବାବସ୍ଥା ପ୍ରାରମ୍ଭରେ ନିରାଶା ଓ ଚିନ୍ତାର ସ୍ତର ଅଧିକ ଦେଖିବାକୁ ମିଳୁଛି । ବୟସ ବଢ଼ିବା ସହିତ ଏହା କ୍ରମଶଃ ହ୍ରାସ ପାଉଛି । ଅଧ୍ୟୟନର ତଥ୍ୟ ଗତ ଦଶନ୍ଧିରେ ଏହି ପରିବର୍ତ୍ତନକୁ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟରେ ହୋଇଥିବା ପତନ ସହ ଯୋଡ଼ିଛି । ଆଧୁନିକ ପିଢ଼ି ସହ ସଂଶ୍ଳିଷ୍ଟ ଅନେକ ଚାପକୁ ଅଧ୍ୟୟନ ଇଙ୍ଗିତ କରିଛି ।
ଏବେ ଆସନ୍ତୁ ଜାଣିବା ଜେନ୍-ଜି ସବୁଠୁ ଦୁଃଖୀ ହେବାର କାରଣ କ’ଣ ? ସ୍ମାର୍ଟଫୋନ୍ ଓ ସୋସିଆଲ ମିଡିଆର ବହୁଳ ବ୍ୟବହାର, କରୋନା ମହାମାରୀ ଯୋଗୁଁ ପ୍ରାରମ୍ଭିକ ଜୀବନରେ ବ୍ୟାଘାତ ଏବଂ ଆର୍ଥିକ ଓ ସାମାଜିକ ଚିନ୍ତା ଜେନ୍-ଜିଙ୍କ ଦୁଃଖର କାରଣ । ଅଧ୍ୟୟନର ସହ ଲେଖକ ଆଲେକ୍ସ ବ୍ରିସନ୍ କହିଛନ୍ତି, ଡିଜିଟାଲ ଡିଭାଇସ୍ର ବ୍ୟବହାର ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ହାନି ହେଉଛି । ଏହା ଏକ ବିଶ୍ୱସ୍ତରୀୟ ସଙ୍କଟ ବୋଲି ଡେଭିଡ୍ ବ୍ଲାନ୍ଚଫ୍ଲାୱାର କହିଛନ୍ତି । ଏଥିପାଇଁ ସ୍କ୍ରିନ୍ ଟାଇମ୍ ୱାଚ୍ ହ୍ରାସ କରିବାକୁ ଚେଷ୍ଟା କରିବା, ସାମାଜିକ ମିଳାମିଶା ଓ ଯୋଗ ବ୍ୟାୟାମ କରିବା ସହ ପ୍ରାକୃତିକ ପରିବେଶରେ ସମୟ ବିତାଇବା ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି ।