ହରଭଙ୍ଗା,୩୧/୧୦ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିଆଁକଟା ଗ୍ରାମରେ ଗତ ସେପ୍ଟେମ୍ବର ମାସରେ ଘଟିଥିବା ବାଣ ବିସ୍ଫୋରଣ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା l ଏହି ବିସ୍ଫୋରଣରେ ୧୦ରୁ ୧୨ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା l ଫଳରେ ମୃତକଙ୍କ ପରିବାର ପୂରା ବେଶାହାରା ହୋଇପଡିଥିବାବେଳେ ପ୍ରଶାସନ ଘଟଣାସ୍ଥଳରେ ପହଁଚି ମୃତକଙ୍କ ପରିବାକୁ ସମବେଦନା ଜଣାଇଥିଲେ l ପରବର୍ତ୍ତି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ସ୍ତ୍ରୀ କୌଶଲ୍ୟା ବେହେରାଙ୍କୁ ୪ଲକ୍ଷ ଟଙ୍କାର ସରକାରୀ ସହାୟତା ଘୋଷଣା କରାଯାଇଥିଲା l ଦୁର୍ଘଟଣାର ଆଜକୁ ଏକ ମାସ ପରେ ପ୍ରଶାସନ ପହଞ୍ଚି ଘୋଷଣା ହୋଇଥିବା ୪ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଦେଖିବାକୁ ମିଳିଛି l
ଏହି ସହାୟତା ରାଶି ପ୍ରଦାନ ସମୟରେ ହରଭଙ୍ଗା ତହସିଲଦାର ବଳଦେବ ବେହେରାଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ଓ ସରପଞ୍ଚ ଅଶୋକ ସେଠୀ ଉପସ୍ଥିତ ଥିଲେ l ଅନ୍ୟପଟେ ଗ୍ରାମର କ୍ଷତିଗ୍ରସ୍ତ ଓ ଆହତ ବ୍ୟକ୍ତି ପରିବାରଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି l ଅନ୍ୟପଟେ ପୁଲିସ ଓ ପ୍ରଶାସନର ମିଳିତ ଭାବେ ଏପରି ଘଟଣା ଗ୍ରାମରେ ପୁନର୍ବାର ପୁଣି ନ ଘଟିବା ପାଇଁ ଲୋକଙ୍କୁ ସଚେତନତା କରିବା ସହ ବେଆଇନ ବାଣ ଗୋଦାମ ଆଦି କାରବାର କରୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିଥିବା ଜଣାପଡ଼ିଛି l