ମନମୁଣ୍ଡା,୫/୧୧ : ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତ ପର୍ଯ୍ୟଟନସ୍ଥଳୀ ତଥା ଐତିହାସିକ ବାବା ଗୁପ୍ତେଶ୍ୱର ମହାଦେବଙ୍କ ଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭକ୍ତ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଆଜି ଦେଖିବାକୁ ମିଳିଛି। ଘଞ୍ଚ ଜଙ୍ଗଲ ଦେଇ ପ୍ରବାହିତ ବାଘନଦୀର ପୂର୍ବ ଦିଗ କୂଳରେ ଆଜକୁ ୨୦୦ବର୍ଷରୁ ଊର୍ଦ୍ଧ୍ବ ହେବ ପାହାଡ଼ ଗୁମ୍ଫାରେ ଏକ ଲିଙ୍ଗ ଆବିର୍ଭାବ ହୋଇଥିଲା। ସେହି ଦିନଠାରୁ ବାବା ଗୁପ୍ତେଶ୍ୱର ମହାଦେବ ନାମରେ ପୂଜିତ ହୋଇ ଆସୁଛନ୍ତି। ଏହାର ଅନେକ କିମ୍ବଦନ୍ତୀ ରହିଛି ଓ ପ୍ରସିଦ୍ଧି ମଧ୍ୟ ରହିଛି।
ଅନେକ ଭକ୍ତଙ୍କ ମନୋବାଞ୍ଛା ମଧ୍ୟ ପୂର୍ଣ୍ଣ ହୋଇଥିବା ଜାଣିବାକୁ ମିଳିଛି । ବାବାଙ୍କଠାରେ ଭକ୍ତମାନଙ୍କ ଅଘାଢ଼ ଭକ୍ତି ଓ ବିଶ୍ବାସ ରହିଛି । ବର୍ଷକୁ ପ୍ରାୟ ୬ମାସ ଭକ୍ତମାନେ ସେଠାକୁ ଡଙ୍ଗାରେ ଯାଇଥାନ୍ତି ଏବଂ ବାକି ୬ମାସ ଅସ୍ଥାୟୀ କାଠ ନିର୍ମିତ ପୋଲ ଦେଇ ଯାଇଥାନ୍ତି । କାଠ ନିର୍ମିତ ପୋଲ ଦେଇ ୬ମାସ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥାଏ । ବିଶେଷ କରି କାର୍ତ୍ତିକ ଚତୁର୍ଦ୍ଦଶୀ, ପୂର୍ଣ୍ଣମୀ ଏବଂ ମକର ସଂକ୍ରାନ୍ତିରେ ଏହାର ଯାତ୍ରା ତଥା ଉତ୍ସବ ହେଉଥିବାରୁ ସେ ଦିନମାନଙ୍କରେ ଅତ୍ୟଧିକ ଭିଡ଼ ଦେଖିବାକୁ ମିଳେ। ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଅସଂଖ୍ୟ ଲୋକ ଉକ୍ତ ନଦୀରେ ବୋଇତ ବନ୍ଦାଣ କରିବା ସହ ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ଓ ପୂଜାପାଠ ପାଇଁ ଯାଇଥିଲେ। ବାବାଙ୍କ ପୀଠ କୂଳରେ ଅସଂଖ୍ୟ ବଡ଼ ଛୋଟ ମାଛ ହାତ ପାହାନ୍ତରେ ଥାଆନ୍ତି। ଭକ୍ତମାନେ ସେମାନଙ୍କ ନିକଟକୁ ଯାଇ ଖାଦ୍ୟ ଦେଲେ ଖାଇବାକୁ ପାଖକୁ ଆସିଥାନ୍ତି, ଭୟ କରନ୍ତି ନାହିଁ । ଏହାର ମଧ୍ୟ ଏକ ମାହାତ୍ମ୍ୟ ରହିଛି । ଏହା ଭକ୍ତ ଓ ପର୍ଯ୍ୟଟକମାନଙ୍କ ଆକୃଷ୍ଟର କେନ୍ଦ୍ରବିନ୍ଦୁ ହୋଇଥାଏ। ସେହିପରି ବାଘ ନଦୀର ନୀଳ ଜଳରାଶି, ପ୍ରକାଣ୍ଡ ପ୍ରକାଣ୍ଡ ପଥର, ଅସଂଖ୍ୟ ଛୋଟ ବଡ଼ ସୁନ୍ଦର ସୁନ୍ଦର ଶିଳା ଖଣ୍ଡ, ବିସ୍ତୀର୍ଣ୍ଣ ବାଲୁକା ରାଶି ସାଙ୍ଗକୁ ଘଞ୍ଚ ଜଙ୍ଗଲରୁ ବହି ଆସୁଥିବା ଶୀତଳ ପବନ ଓ ପକ୍ଷୀମାନଙ୍କ ରାବ ସାଙ୍ଗକୁ କାଠ ପୋଲ ତଳ ଦେଇ କୁଳୁକୁଳୁ ନାଦରେ ବହି ଯାଉଥିବା ନୀଳ ଜଳରାଶି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ।
ଏହି ମାସରୁ ଏଠାକୁ ବଣ ଭୋଜି କରିବା ପାଇଁ ପ୍ରାୟ ପ୍ରତ୍ୟେକ ଦିନ ଭିଡ଼ ଜମିଥାଏ । ପର୍ଯ୍ୟଟକମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରହି ମନ ଭରି ଉପଭୋଗ କରିଥାନ୍ତି । ଆଜି ମଧ୍ୟ ସେପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ସେହିପରି ଏହାର ତଳ ମୁଣ୍ଡରେ ବିରାଟ ବାଘ ବ୍ୟାରେଜ୍ ମଧ୍ୟ ରହିଛି । ତାହା ମଧ୍ୟ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ହୋଇଥିଲା। ସରକାର ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ନଦୀକୂଳରେ ଏକ ପାର୍କ ଓ କଲ୍ୟାଣ ମଣ୍ଡପ ପାଇଁ ଅର୍ଥ ମଞ୍ଜୁର କରିଥିଲେ । କିନ୍ତୁ ଉକ୍ତ କଲ୍ୟାଣ ମଣ୍ଡପ ଅଧପନ୍ତରିଆ ହୋଇ ପଡ଼ି ରହିଛି । ଏହା ତୁରନ୍ତ ସମ୍ପୂର୍ଣ୍ଣ କରାଯିବାକୁ ସାଧାରଣରେ ଦାବି ହୋଇଛି । ବରଗୋଛା ଶ୍ରୀ ଜଗନ୍ନାଥ ପାଠାଗାର ସଭାପତି ଶାନ୍ତନୁ ଥାଟିଙ୍କ ଦିଗଦର୍ଶନ, ପ୍ରକୃତିପ୍ରେମୀ ତନ୍ମୟ ସାହୁଙ୍କ ନେତୃତ୍ୱରେ ପାଠାଗାରର ସଭ୍ୟମାନେ ଆଜିର ଭିଡ଼ ଦେଖି ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭକ୍ତମାନଙ୍କୁ ଜଳଖିଆ ଓ ଭୋଜନର ବ୍ୟବସ୍ଥା ମଧ୍ୟ କରିଥିଲେ । ଏଥିପାଇଁ ସାଧାରଣରେ ସେମାନଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି।