ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମ ଏସିଆ କପରେ ସଂଯୁକ୍ତ ଆରବ ଏମିରେଟସ୍ (UAE) ବିପକ୍ଷ ଗ୍ରୁ ପର୍ଯ୍ୟାୟ ମ୍ୟାଚ ବୟକଟ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ହ୍ୟାଣ୍ଡସେକ୍ ବିବାଦକୁ ନେଇ ଆରମ୍ଭ ହୋଇଛି ବୋଲି ପାକିସ୍ତାନି ଗଣମାଧ୍ୟମ ଜିଓ ନ୍ୟୁଜ ସୂଚନା ଦେଇଛି। ବିଗତ ମ୍ୟାଚରେ ଭାରତୀୟ ଦଳ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ସିଧାସଳଖ  ମନା କରିଦେଇଥିଲେ। ଏହି ଘଟଣା ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବଂ ଟିମ୍ ମ୍ୟାନେଜମେଣ୍ଟକୁ କ୍ଷୁବ୍ଧ କରିଛି ଯାହା ଫଳରେ ସେମାନେ ଆଗକୁ ଏହି ମ୍ୟାଚ୍ ଖେଳିବାକୁ ଅସ୍ୱୀକାର କରିଛନ୍ତି।

ସୂଚନା ମୁତାବକ, ଏସିଆ କପରେ ଚାଲୁଥିବା ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ ଶେଷହେବା ପରେ ପାକିସ୍ତାନ ଦଳ ପାରମ୍ପରିକ ଭାବେ ହ୍ୟାଣ୍ଡସେକ୍ ପାଇଁ ଆଗେଇ ଆସିଥିଲେ ତେବେ ସୂର୍ଯ୍ୟ କୁମା ଯାଦବଙ୍କ ନେତୃତ୍ତ୍ୱରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ଖେଳାଳିମାନଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ ଯାହାକୁ PCB ଅପମାନଜନକ ମନେ କରିଛି। ଏହା ପାକିସ୍ତାନୀ ଟିମ୍ରେ ଅସନ୍ତୋଷ ସୃଷ୍ଟି କରିଛି ଏବଂ ସେମାନେ ଏହି ବିବାଦକୁ ଗୁରୁତର ଭାବେ ଗ୍ରହଣ କରି ମ୍ୟାଚ୍ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ​​​​​​​

PCB ଏହି ଘଟଣାକୁ କ୍ରୀଡ଼ା ଜଗତରେ ପାରସ୍ପରିକ ସମ୍ମାନର ଉଲ୍ଲଂଘନ ବୋଲି ଅଭିଯୋଗ କରିଛି। ମ୍ୟାଚ ଶେଷ ହେବା ପରେ ପାକିସ୍ତାନ ଅଧିନାୟକଙ୍କ ସହ ଭାରତୀୟ ଅଧିନାୟକ ହାତ ମିଳାଇବା ଜରୁରି ଥିଲା ବୋଲି ପାକିସ୍ତାନ ଅଭିଯୋଗ କରିଛି। ତେବେ ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଏନେଇ ନିଜ ମତ ଜାରି କରିଛନ୍ତି। ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ଏକତା ପାଇଁ ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଅପରେସନ ସିନ୍ଦୂରକୁ ସମର୍ଥନ କରି ହାତ ମିଳାଇବା ପରିତ୍ୟାଗ କରିବାର ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ

ସୂତ୍ର ଅନୁସାରେ, PCB ଏସିଆନ୍ କ୍ରିକେଟ୍ କାଉନସିଲ (ACC) ନିକଟରେ ଏହି ଘଟଣା ସମ୍ପର୍କରେ ଔପଚାରିକ ଅଭିଯୋଗ ଦାୟର କରିବାକୁ ପରିକଲ୍ପନା କରୁଛି। ଏହା ସହିତ, ପାକିସ୍ତାନ ଟିମ୍ ଚଳିତ ବର୍ଷର ଏସିଆ କପ ମ୍ୟାଚରୁ ନିଜକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇପାରେ ବୋଲି ସୂଚନା ରହିଛି। ଯାହା ଟୁର୍ଣ୍ଣାମେଣ୍ଟର ସୂଚୀ ଏବଂ ଗ୍ରୁପ୍ ପର୍ଯ୍ୟାୟ ଉପରେ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି

ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ମ୍ୟାଚ୍ ଆରମ୍ଭ ହେବାକୁ ଥିବାରୁ UAE ଦଳ ଓ ମ୍ୟାଚ୍ ରେଫରି ପଡିଆକୁ ଓହ୍ଲାଇ ସାରିଛନ୍ତି। ତେବେ ଏଯାଏ ପାକିସ୍ତାନ ଦଳର କୌଣସି ବି ଖେଳାଳି ପଡିଆରେ ପହଞ୍ଚି ପାରି ନାହାନ୍ତି। ସମସ୍ତ ଖେଳାଳିଙ୍କୁ PCB ନିଜ ନିଜ ହୋଟେଲ କୋଠରିରେ ରହିବା ପାଇଁ ଆଦେଶ ଦେଇଥିବା ସୂଚନା ମିଳିଛି।

ଭାରତ କ୍ରିକେଟ୍ ବୋର୍ଡ ପର୍ଯ୍ୟନ୍ତ ଏହି ବିବାଦ ସମ୍ପର୍କରେ କୌଣସି ଆନୁଷ୍ଠାନିକ ବିବୃତି ଜାରି କରିନାହିଁ। ତେବେ ପାକିସ୍ତାନର ଏହି ବୟକଟ୍ ନିଷ୍ପତ୍ତି ଏସିଆ କପର ଗ୍ରୁ ପର୍ଯ୍ୟାୟ ଏବଂ ଟୁର୍ଣ୍ଣାମେଣ୍ଟ ଉପରେ ଗୁରୁତର ପ୍ରଭାବ ପକାଇପାରେ। ACC ଏବଂ ଅନ୍ୟ ଅଂଶୀଦାର ଦେଶମାନେ ଏହି ସ୍ଥିତିରେ କୌଣସି ମଧ୍ୟସ୍ଥତା କରିବେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।