ପାପଡାହାଣ୍ଡି/ଉମରକୋଟ,୫/୧୧ : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଡ଼େଙ୍ଗାଗୁଡ଼ା ନିକଟସ୍ଥ ନିର୍ମାଣଧୀନ ଭାରତମାଳା ରାସ୍ତାରେ ଏକ କାର୍ ଓ ପିକଅପ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ବୁଧବାର ଅପରାହ୍ନ ସମୟରେ ଝରିଗାଁ ଓ ଉମରକୋଟ ବନ ବିଭାଗର ୩ ଜଣ ବନ କର୍ମଚାରୀ କନ୍ଧମାଳ ଜିଲ୍ଲାର ଘୁ ଉଦୟଗିରିଠାରେ ତାଙ୍କର ତାଲିମ ଥିବାରୁ ଉମରକୋଟଠାରୁ ଭାରତମାଳା ରାସ୍ତାରେ ଯାଉଥିଲେ । ଏହି ସମୟରେ ପାପଡ଼ାହାଣ୍ଡି ଡ଼େଙ୍ଗାଗୁଡ଼ା ନିକଟରେ ଏକ ପିକଅପ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇପଡ଼ିଥିଲେ ।
ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ସଙ୍ଗେସଙ୍ଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଝରିଗାଁ ବନ ବିଭାଗର କର୍ମଚାରୀ ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତିଙ୍କ ମୁତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । କାମାକ୍ଷା ପ୍ରସାଦ ସ୍ୱାଇଁ ଓ ତନୁଜା ପରିଛା ଦୁଇ ଜଣ ଫରେଷ୍ଟରଙ୍କ ସହ ପିକଅପ ଡ୍ରାଇଭର ଅନେଶ ମଣ୍ଡଳ ଗୁରୁତର ହୋଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।