​​​​​​​ଭୁବନେଶ୍ବର,୨୮।୧୦ : ବାତ୍ୟା ମୋନ୍‌ଥାର ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଅଶ୍ବତୀ ଏସ.ଙ୍କ ନିର୍ଦେଶ କ୍ରମେ କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। 

ବିଶେଷତଃ ଅଧିକ ପ୍ରଭାବିତ ହେବା ସମ୍ଭାବନା ଥିବା ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡା, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ବାଲେଶ୍ବର, ଜଗତସିଂହପୁର ଆଦି ୧୧ଟି ଜିଲ୍ଲାରେ ୬୭୯୫ ଜଣ ଆସନ୍ନପ୍ରସବା ମା’ ମାନଙ୍କୁ ଚିହ୍ନଟ କରାଯାଇଛି। ୧୫୫୮ ଜଣକୁ ଆବଶ୍ୟକତା ଅନୁଯାୟୀ ମା’ ଗୃହ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।  ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ନିରୀକ୍ଷଣ କରାଯାଉଛି। ଆବଶ୍ୟକ ସ୍ଥଳେ ୧୦୮ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଡାକ୍ତରଖାନା ଅଣାଯାଉଛି। ୪୫୨ ଜଣ ମହିଳା ନିରାପଦା ମାତୃତ୍ବ ଲାଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଜଣେ ମହିଳାଙ୍କ ସୁସ୍ଥ ଜାଆଁଳା ସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି।

ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ସବୁ ସମ୍ବେଦନଶୀଳ ଅଞ୍ଚଳରୁ ଶତ ପ୍ରତିଶତ ଆସନ୍ନପ୍ରସବା ମହିଳାଙ୍କୁ ନିରାପଦ ସ୍ଥାନକୁ ଆଣିବା ପ୍ରୟାସ ଜାରି ରହିଛି।ଏ  ଦିଗରେ ଯତ୍ନବାନ ହେବା ପାଇଁ ଶାସନ ସଚିବ ଅଶ୍ବତୀ ଏସ. ସମସ୍ତ ଅଧିକାରୀଙ୍କୁ କହିଛନ୍ତି।