ନୂଆଦିଲ୍ଲୀ,୦୭/୧୦: ଆମେରିକାର କାର୍ଲିଫର୍ଣ୍ଣିଆରେ ବଡ଼ ଅଘଟଣ ଘଟିଛି । ଚାହୁଁଚାହୁଁ ମଝି ଆକାଶରୁ ରାସ୍ତାକୁ ଖସି ପଡିଲା ଏକ ହେଲିକପ୍ଟର । ଆମେରିକାର ପୂର୍ବ ସାକ୍ରୋମେଣ୍ଟୋ ୫୦ ନମ୍ବାର ହାଇୱେରେ ଏକ ମେଡିକାଲ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକାଧିକ ଆହତ ହୋଇଛନ୍ତି । ରିଚ୍ ଏୟାର ମେଡିକାଲ୍ ସର୍ଭିସେସ୍ ଦ୍ୱାରା ପରିଚାଳିତ ଏକ ଲାଲ୍ ରଙ୍ଗର ହେଲିକପ୍ଟର ଖସି ପଡି ଖଣ୍ଡ ଖଣ୍ଡ ହୋଇଛି । ବିମାନଟି ଏକ ଗାଡି ଉପରେ ପଡିବା ଫଳରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ସମୟର ଭୟଙ୍କର ଦୃଶ୍ୟ ଭିଡିଓରେ କଏଦ ହୋଇଛି ।
ଫ୍ଲାଇଟ୍ରାଡାର-୨୪ ଅନୁଯାୟୀ, ବିମାନଟି ଏକ ଏୟାରବସ୍ ଏଚ୍-୧୩୦ ହେଲିକପ୍ଟର ଥିଲା । ଯାହାକୁ ରିଚ୍ ୫ ଭାବରେ ପରିଚାଳିତ କରାଯାଉଥିଲା । ୟୁସି ଡାଭିସ ମେଡିକାଲ୍ ସେଣ୍ଟରରୁ ଉଡ଼ାଣ ଭରିଥିଲା । ଦୁର୍ଘଟଣା ସମୟରେ ହେଲିକପ୍ଟରଟି ହସ୍ପିଟାଲକୁ ଯାଉଥିଲା କି ବାହାରକୁ ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣା ଯୋଗୁଁ ୫୦ ନମ୍ବର ହାଇୱେକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆଯାଇଛି । ଅଗ୍ନିଶମ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଅତି କମରେ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସାକ୍ରାମେଣ୍ଟୋ କାଉନସିଲ ସଦସ୍ୟ ଲିସା କାପଲାନ ଦୁର୍ଘଟଣାସ୍ଥଳରୁ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଯାହା ବେଶ୍ ଭୟଙ୍କର
କ୍ରାସ୍ର କାରଣ ଜଣାପଡିନାହିଁ- କାର୍ଲିଫର୍ଣ୍ଣିଆରେ କ୍ରାସ ହୋଇଥିବା ହେଲିକପ୍ଟର ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଉଥିଲା । ନିକଟସ୍ଥ ଏକ ହସ୍ପିଟାଲରୁ ଉଡ଼ାଣ ଭରିଥିଲା । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣାର ତଦନ୍ତ ଜାରି ରହିଛି ।