ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସମ୍ଭଲରେ ସରକାରୀ ଜମିରେ ନିର୍ମିତ ଏକ ମସଜିଦ ଏବଂ ସଂଲଗ୍ନ ବିବାହ ଗୃହ ସହ ଏକ ହସ୍ପିଟାଲ ଭଙ୍ଗାଯିବା ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଶନିବାର ଏହି ଆବେଦନକୁ ଖାରଜ କରି ବିଚାରପତି ଦିନେଶ ପାଠକଙ୍କ ଦ୍ୱାରା ଗଠିତ ଏକକ ଖଣ୍ଡପୀଠ ମସଜିଦ କମିଟିକୁ ଏହି ଆଦେଶ ବିରୋଧରେ ଟ୍ରାଏଲ୍ କୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମସଜିଦ ସରିଫ ଗୌସୁଲ ୱାରା ରାୱା ବୁଜୁର୍ଗ ଏବଂ ଏହାର ମୁତାୱାଲ୍ଲୀ (ଯତ୍ନକର୍ତ୍ତା), ମିଞ୍ଜାରଙ୍କ ଦ୍ୱାରା ଏହି ଆବେଦନଟି ଦାୟର କରାଯାଇଥିଲା।
ସୂଚନା ମୁତାବକ, ଗତ ଗୁରୁବାର ଦିନ, ପ୍ରଶାସନ ରାୟା ବୁଜୁର୍ଗ ଗାଁରେ ସରକାରୀ ଜାଗା ଉପରେ ନିର୍ମିତ ଏକ ମସଜିଦ ଏବଂ ୩୦ହଜାର ବର୍ଗଫୁଟ ପରିମିତରେ ନିର୍ମିତ ବିବାହ ମଣ୍ଡପକୁ ଭାଙ୍ଗିଥିଲା। ବ୍ୟପକ ପୋଲିସ ଫୋର୍ସ ଉପସ୍ଥିତିରେ ବୁଲଡୋଜର ବ୍ୟବହାର କରି ହଲଟିକୁ ଭାଙ୍ଗି ଦିଆଯାଇଥିଲା। ଦଶ ବର୍ଷ ପୂର୍ବେ ନିର୍ମିତ ଏହି ମସଜିଦ ଏବଂ ବିବାହ ମଣ୍ଡପକୁ ସର୍ଭେ ସମୟରେ ବେଆଇନ ଜବରଦଖଲ ଭାବେ ଘୋଷଣା କରାଯାଇଥିଲା। ଗତ ଚାରି ମାସ ମଧ୍ୟରେ ସମ୍ଭଲରେ ମସଜିଦକୁ ନେଇ ଏହା ଦ୍ୱିତୀୟ ବିବାଦ ଭାବେ ସାମ୍ନାକୁ ଆସିଛି।
ଶୁଣାଣି ସମୟରେ, ମସଜିଦ କମିଟି ପୂର୍ବ ଶୁଣାଣିରେ କୋର୍ଟ ଦ୍ୱାରା ମଗାଯାଇଥିବା ଜମି ମାଲିକାନା ଦଲିଲ ଉପସ୍ଥାପନ କରିଥିଲା। ମସଜିଦ ପକ୍ଷରୁ ଉପସ୍ଥିତ ଓକିଲ ଅରବିନ୍ଦ କୁମାର ତ୍ରିପାଠି ଯୁକ୍ତି ଦେଇଥିଲେ ଯେ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶ ବିନା ଏହି ଅଭିଯାନ ଆରମ୍ଭ ହୋଇଥିଲା। ତେବେ, କୋର୍ଟଙ୍କ ହସ୍ତକ୍ଷେପ ପରେ, ଶେଷରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଏହି ଘଟଣାକୁ ନେଇ ଓକିଲ କହିଛନ୍ତି ଯେ ବିବାହ ମଣ୍ଡପ ପୂର୍ବରୁ ଭଙ୍ଗାଯାଇଥିଲା। ସେ ଆହୁରି ଅଭିଯୋଗ କରିଛନ୍ତି ଯେ କର୍ତ୍ତୃପକ୍ଷ ଜାଣିଶୁଣି ଗାନ୍ଧୀ ଜୟନ୍ତୀ ଏବଂ ଦଶହରା ସମୟକୁ ଏହି ଅଭିଯାନ ପାଇଁ ବଛିଥିଲେ। ତେବେ ପ୍ରସାସନର ଏହି ନିଷ୍ପତ୍ତି ବଡ଼ ଧରଣର ଦଙ୍ଗା ସୃଷ୍ଟି କରିପାରିଥାନ୍ତା ବୋଲି ସେ କହିଛନ୍ତି।
ଅନ୍ୟପଟେ, ପ୍ରଶାସନ ଦାବି କରିଥିଲା ଯେ ବିବାହ ମଣ୍ଡପଟି ସେଠାରେ ପୂର୍ବରୁ ଥିବା ଏକ ପୋଖରୀ ଜମିରେ ନିର୍ମିତ ହୋଇଛି। ଏହାଛଡା ସେଠାରେ ଥିବା ମସଜିଦର ଏକ ଅଂଶ ମଧ୍ୟ ସରକାରୀ ଜମିରେ ତିଆରି ହୋଇଛି। ଜବାବରେ, ମସଜିଦ କମିଟି କହିତିଲା ଯେ, ସେମାନେ ସରକାରୀ ଜମିରେ ନିର୍ମିତ ମସଜିଦର ଅଂଶକୁ ହାତୁଡ଼ି ବ୍ୟବହାର କରି ସ୍ୱେଚ୍ଛାକୃତ ଭାବରେ ଭାଙ୍ଗିବା ଆରମ୍ଭ କରିଛନ୍ତି।
ଉଭୟ ପକ୍ଷର ଶୁଣାଣି ପରେ, ଆହ୍ଲାବାଦ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ଆବେଦନକାରୀଙ୍କୁ ଟ୍ରାଏଲ୍ କୋର୍ଟରେ ଏହାର ପ୍ରତିକାର ପାଇଁ ମାମଲା ଦାଏର କରିବାକୁ ଅନୁରୋଧ କରିଥିଲେ।