ନୂଆଦିଲ୍ଲୀ ୦୬/୧୦: ଅଭିନେତ୍ରୀ ହିନା ଖାନ୍ ପ୍ରାୟ ବର୍ଷେ ହେଲା ସ୍ତନ କର୍କଟ ସହ ଲଢ଼େଇ କରୁଛନ୍ତି । ଇତିମଧ୍ୟରେ ସେ କାମକୁ ମଧ୍ୟ ଫେରିଛନ୍ତି । ବିଗତ କିଛି ଦିନ ହେଲା ତାଙ୍କୁ କଲର୍ସ ଟିଭିର ଶୋ’ ‘ପତି, ପତ୍ନୀ ଔର ପଙ୍ଗା’ରେ ସ୍ୱାମୀ ରକି ଜୟସ୍ୱାଲଙ୍କ ସହ ଦେଖିବାକୁ ମିଳୁଛି । ନିକଟରେ ଏକ ସାକ୍ଷାତକାରରେ ହିନା ଇଣ୍ଡଷ୍ଟ୍ରିରେ କର୍କଟ ରୋଗ ସଂପର୍କରେ ଥିବା ଭ୍ରାନ୍ତ ଧାରଣା ଉପରେ ଆଲୋକପାତ କରିଛନ୍ତି ।
ସେ କହିଛନ୍ତି, କର୍କଟ ରୋଗୀଙ୍କୁ ଘରେ ବସିବାକୁ ହୋଇଥାଏ । ସେମାନଙ୍କର କିଛି କରିବାର ନାହିଁ । ସେମାନଙ୍କ ଜୀବନ ଶେଷ ହୋଇଛି ବୋଲି ଅନେକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି । ପ୍ରକୃତରେ କିନ୍ତୁ ତାହା ସତ ନୁହେଁ । ପ୍ରଥମ କିଛି ଦିନ କଷ୍ଟକର ହୋଇଥାଏ । କିନ୍ତୁ ତା’ ପରେ ଜଣେ କାମକୁ ଫେରିପାରିବେ । ଦୃଢ଼ ମନୋବଳ କର୍କଟ ରୋଗୀଙ୍କ ସବୁଠୁ ବଡ଼ ଶକ୍ତି । ତେଣୁ ମାନସିକ ଭାବେ ମଜଭୁତ ରହିବା ଜରୁରି । ଯଦି ଆପଣ ଭାବିବେ ଯେ କର୍କଟ କିଛି ନୁହେଁ, ତେବେ ଆପଣ ଏହାକୁ ହରାଇ ଦେଇପାରିବେ । ଏଥିସହ କର୍କଟ ରୋଗୀଙ୍କ ପାଇଁ ପରିବାରର ସମର୍ଥନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶରୀରରେ ଶକ୍ତି ଥିବା ଯାଏ ସେ ଅଭିନୟ କରିଚାଲିବେ ବୋଲି ପ୍ରକାଶ କରିଛନ୍ତି ।