ଦୁବାଇ,୦୯/୧: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ  ମାନ୍ୟତା ତାଲିକାରେ ଭାରତୀୟ ଖେଳାଳି କେଏଲ ରାହୁଲ,  ରବିନ୍ଦ୍ର ଜାଡ଼େଜା, ମହମ୍ମଦ ସିରାଜଙ୍କ ଉନ୍ନତି ହୋଇଛି । ୱେଷ୍ଟ  ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ସିରିଜ  ମୋଟ୍‌ ୭ଟି ୱିକେଟ୍‌ ନେଇଥିଲେ । ଏହି ପ୍ରଦର୍ଶନ ବଳରେ  ତାଙ୍କ ମାନ୍ୟତାରେ ୩ଟି ସ୍ଥାନ ଉନ୍ନତି ହୋଇଛି । ସେ ୧୨ତମ  ସ୍ଥାନ ଦଖଲ କରିଛନ୍ତି । ଉକ୍ତ ମ୍ୟାଚରେ ୩ଟି ୱିକେଟ୍‌  ନେଇଥିବା ଯଶପ୍ରୀତ ବୁମରା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।  ୪ଟି ୱିକେଟ୍‌ ନେଇଥିବା କୁଲଦୀପ ଯାଦବଙ୍କ ମାନ୍ୟତାରେ ୭ଟି  ସ୍ଥାନ ଉନ୍ନତି ହୋଇଛି ଓ ସେ ୨୧ତମ ସ୍ଥାନରେ ପହଞ୍ଚିଛନ୍ତି ।  

ଉକ୍ତ ମ୍ୟାଚ୍‌ରେ ଶତକ ଅର୍ଜନ କରିଥିବା ଜାଡ଼େଜାଙ୍କ  ମାନ୍ୟତାରେ ୬ଟି ସ୍ଥାନ ଉନ୍ନତି ହୋଇଛି । ସେ ବ୍ୟାଟିଂ  ମାନ୍ୟତା ତାଲିକାର ୨୫ତମ ସ୍ଥାନ ଦଖଲ କରିଛନ୍ତି ।  ସେହିପରି ରାହଲ ୪ଟି ସ୍ଥାନ ଉପରକୁ ଉଠି ୩୫ତମ  ସ୍ଥାନରେ ପହଞ୍ଚିଛନ୍ତି । ଅଲ୍‌ରାଉଣ୍ଡର ତାଲିକାରେ ଜାଡ଼େଜା  ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେ ପ୍ରଥମ ଟେଷ୍ଟରେ ୪ଟି  ୱିକେଟ୍‌ ମଧ୍ୟ ନେଇଥିଲେ । ବ୍ୟାଟିଂରେ ଇଂଲଣ୍ଡର ଜୋ  ରୁଟ୍‌ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଭାରତୀୟଙ୍କ  ମଧ୍ୟରେ ଯଶସ୍ୱୀ ଜୈସ୍ୱାଲ ପଞ୍ଚମ, ରିଷଭ ପନ୍ତ ଅଷ୍ଟମ  ଓ ଶୁଭମନ ଗିଲ୍‌ ୧୩ତମ ସ୍ଥାନରେ ରହିଛନ୍ତି ।