ମୁମ୍ବାଇ,୧୬/୦୯: ଏସିଆ କପ୍ରେ ଭାରତ-ପାକିସ୍ତାନ ନୋ ହ୍ୟାଣ୍ଡସେକ୍ କଣ୍ଟ୍ରୋଭର୍ସି । ଆଇସିସିରୁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଶକ୍ତ ଚାପୁଡ଼ା ଲାଗିଛି । ମ୍ୟାଚ୍ ରେଫ୍ରି ଆଣ୍ଡି ପାୟକ୍ରାଫ୍ଟଙ୍କୁ ଟୁର୍ଣ୍ଣାମେଣ୍ଟରୁ ହଟାଇବାକୁ ଦାବି ଖାରଜ ହୋଇଛି । ଇଣ୍ଟର ନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍ ପାକିସ୍ତାନ କରିଥିବା ଅଭିଯୋଗର ଯାଞ୍ଚ ପରେ ନିଜର ନିଷ୍ପତ୍ତି ଶୁଣାଇଛି । ପିସିବି ନିଜର ଚିଠିରେ ଉଲ୍ଲେଖ କରିଥିଲା ଯେ ଯଦି ମ୍ୟାଚ୍ ରେଫ୍ରି ପାୟକ୍ରାଫ୍ଟଙ୍କୁ ଏସିଆ କପ୍ରୁ ହଟାନଯାଏ, ତେବେ ପାକ୍ ଟିମ୍ ଟୁର୍ଣ୍ଣାମେଣ୍ଟରୁ ଓହରିଯିବ। ଅନ୍ୟପଟେ ବୁଧବାର ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍ ୟୁଏଇ ସହିତ ରହିଛି ।
ସୂଚନା ଅନୁଯାୟୀ, ରବିବାର ଏସିଆ କପ୍ରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମୁକାବିଲା ହୋଇଥିଲା । ଏଥିରେ ଭାରତୀୟ ଦଳ ୭ ଓ୍ବିକେଟରେ ମ୍ୟାଚ୍ ଜିତି ନେଇଛି । ତେବେ ଏହି ମ୍ୟାଚକୁ ନେଇ ବିବାଦ ଦେଖା ଦେଇଛି । ଟସ୍ ସମୟରେ ଦୁଇ ଦଳର ଅଧିନାୟକ କରମର୍ଦ୍ଦନ କରିନଥିଲେ । ସୋସିଆଲ ମିଡିଆ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପ୍ରତିପକ୍ଷ ଅଧିନାୟକ ସଲମାନ ଆଘାଙ୍କ ସହ କରମର୍ଦ୍ଦନ କରିବାକୁ ମନା କରି ଦେଇଥିଲେ ବୋଲି ଦର୍ଶାଯାଇଥିଲା । କିନ୍ତୁ ପ୍ରକୃତ କଥା ପାକିସ୍ତାନ କ୍ରିକେଟ୍ ବୋର୍ଡ ପଦାକୁ ଆଣିଥିଲା । ପିସିବି କହିଥିଲା, ମ୍ୟାଚ୍ ରେଫ୍ରୀ ଆଣ୍ଡି ପାୟକ୍ରାଫ୍ଟ ପାକ୍ ଅଧିନାୟକ ସଲମାନ ଆଘାଙ୍କୁ କରମର୍ଦ୍ଦନ ନକରିବା ପାଇଁ କହିଥିଲେ । ଏହି ଅଭିଯୋଗକୁ ନେଇ ପିସିବି ଆଇସିସି ଏବଂ ଏସିସି ଦ୍ବାରସ୍ଥ ହୋଇଥିଲା । ଚିଠିରେ ଲେଖିଥିଲେ ଯଥା ଶିଘ୍ର ଏସିଆ କପ୍ରୁ ରେଫ୍ରୀ ପାୟକ୍ରାଫ୍ଟଙ୍କୁ ବିଦା କରାନଗଲେ ପାକ୍ ଟିମ୍ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବ ।
ଭାରତ-ପାକିସ୍ତାନ ମ୍ୟାଚ୍ରେ ମ୍ୟାଚ୍ ରେଫରୀ ଥିଲେ ଜିମ୍ବାୱେର ପାଇକ୍ରଫ୍ଟ । ସେ ହିଁ ଉଭୟ ଦଳର ଅଧିନାୟକଙ୍କୁ ମ୍ୟାଚ୍ ସମୟରେ ହାତ ନମିଳାଇବାକୁ ଅନୁରୋଧ କରିଥିଲେ ବୋଲି ପିସିବି ଅଭିଯୋଗ କରିଥିଲା । ପିସିସି ଏ ସଂପର୍କିତ ଲିଖିତ ଅଭିଯୋଗ ଆଇସିସିକୁ ପ୍ରଦାନ କରି ତୁରନ୍ତ ରେଫରୀଙ୍କ ବହିଷ୍କାର ଦାବି କରିଥିଲା । ପିସିବିର ଅଭିଯୋଗ, ‘ରେଫ୍ରୀ ଅଧିନାୟକ ଆଘାଙ୍କୁ ଡକାଇ ପ୍ରତିପକ୍ଷ ଅଧିନାୟକଙ୍କ ସହ ହାତ ନମିଳାଇବାକୁ କହିଥିଲେ । ଏଭଳି କରି ସେ ଉଭୟ ଆଇସିସି ଏବଂ ଏମସିସିର ନିୟମ ଉଲ୍ଲଂଘନ କରିଛନ୍ତି । ଯାହା କ୍ରିକେଟ୍ ପ୍ରତି ଆଦୌ ଶୋଭନୀୟ ନୁହେଁ ।’ ପିସିବି ଅଧ୍ୟକ୍ଷ ନକଭି ଏ ବିଷୟ ସୋସିଆଲ ମିଡିଆ ଏକ୍ସରେ ବି ଲେଖିଥିଲେ । ଏହା ଉପରେ ଇଣ୍ଟର ନ୍ୟାସନାଲ କ୍ରିକେଟ୍ କାଉନସିଲ୍ ତର୍ଜମା କରି ନିଜର ନିଷ୍ପତ୍ତି ଶୁଣାଇବା ସହ ପାକିସ୍ତାନର ଦାବିକୁ ଖାରଜ କରିଛି ।